ଓଡ଼ିଶା/ପୁରୀ,୭/୧୨ : ବିଶ୍ୱ ଶକ୍ତି ସମ୍ମିଳନୀ ୨୦୨୫ ରବିବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ପୁରୀ ଘୋଷଣାନାମାର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ବିଶେଷ କରି ଭାରତର ଶକ୍ତି ପରିବର୍ତ୍ତନକୁ ସୁଦୃଢ଼ କରିବା ପାଇଁ ଚାରୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶକ୍ତି ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟିର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ଚେଞ୍ଜର ଭାରତ ମୁଖ୍ୟ ବିବେକ ଅଗ୍ରୱାଲଙ୍କ ସମେତ ପ୍ରମୁଖ ଉପସ୍ଥିତ ଥିଲେ ।

ଦୁଇ ଦିନ ଧରି ବିଶ୍ୱ ଶକ୍ତିନେତା, ନୀତି ନିର୍ଦ୍ଧାରକ, ଶିଳ୍ପ ସିଇଓ, ବିଶ୍ୱ ବିଶେଷଜ୍ଞ ଏବଂ ଗବେଷକଙ୍କ ଏକ ବିଶିଷ୍ଟ ଗୋଷ୍ଠୀଙ୍କ ରୁଦ୍ଧଦ୍ୱାର ଆଲୋଚନା, ବିଷୟବସ୍ତୁ ସଂଶ୍ଳିଷ୍ଟ ପ୍ୟାନେଲ୍ ଆଲୋଚନା, ବୈଷୟିକ ଗଭୀର ଅନୁଧ୍ୟାନ ଓ ଜ୍ଞାନ-ଆଦାନ ସମ୍ବନ୍ଧୀୟ ଅଧିବେଶନ ଚାଲୁଥିଲା। ଅଧିବେଶନରେ କୃତ୍ରିମ ବୁଦ୍ଧିମତା-ସକ୍ଷମ ଗ୍ରୀଡ୍ ସୁରକ୍ଷା, କାର୍ବନ ମାର୍କେଟ, ଉନ୍ନତ ଆର୍ଥିକ ସହାୟତା, କ୍ଲିନ୍-ଟେକ୍ ନବସୃଜନ ଏବଂ ସଂସ୍ଥାଗତ ସଂସ୍କାର ଭଳି ସୀମାନ୍ତ ପ୍ରସଙ୍ଗଗୁଡ଼ିକରେ ଅନୁସନ୍ଧାନ କରାଯାଇଛି । ସାମୂହିକ ଭାବରେ ଏହି ଆଲୋଚନାଗୁଡ଼ିକ ଏକ ଦୀର୍ଘକାଳୀନ, ସହଯୋଗପୂର୍ଣ୍ଣ ପ୍ଲାଟଫର୍ମ ପାଇଁ ଭିତ୍ତିଭୂମି ସ୍ଥାପନ କରିଛି । ଯାହା ଭାରତର ଶକ୍ତି କ୍ଷେତ୍ରକୁ ଏକ ସ୍ୱଚ୍ଛ, ସ୍ଥିର ଏବଂ ନବସୃଜନ-ଚାଳିତ ଭବିଷ୍ୟତ ଆଡକୁ ମାର୍ଗଦର୍ଶନ କରିବ।

ନବସୃଜନ, ପ୍ରତିଷ୍ଠାନଗତ ସୁଦୃଢ଼ୀକରଣ ଏବଂ ନବସୃଜନ-ଶକ୍ତି ନିୟୋଜନକୁ ଅଗ୍ରସର କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ବିଶ୍ୱ ଶକ୍ତି ସମ୍ମିଳନୀର ଏକ ପ୍ରମୁଖ ଅଂଶ ଅଟେ । ସାରା ଓଡ଼ିଶାରେ ଗବେଷଣା, ପାଇଲଟ୍ ପ୍ରକଳ୍ପ ଏବଂ ସ୍ୱଚ୍ଛ-ଶକ୍ତି ନିୟୋଜନକୁ ତ୍ୱରାନ୍ୱିତ କରିବା ପାଇଁ ଚାରୋଟି ରଣନୈତିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।