ମଥୁରାନଗରୀ,୧୧/୦୧: ବର୍ଷ ବର୍ଷ  ଧରି ସମାନ ନାଟ୍ୟକ୍ରମ ହୋଇ ଆସୁଛି ।  ତଥାପି ନା କଳାକାରଙ୍କ ମନରେ ବିରାଗ ଭାବ  ଜାତ ହେଉଛି ନା ଦର୍ଶକ ମନରେ ନିରୁତ୍ସାହ  ଭାବ ଦେଖାଦେଉଛି । ଓଲଟା ଦିନକୁଦିନ ଉଭୟଙ୍କ ଉତ୍ସାହ ବହୁଗୁଣିତ ହେଉଛି ।  ଏହାହିଁ ହେଉଛି ବିଶ୍ୱ ପ୍ରସିଦ୍ଧ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପାଳିତ ହେଉଥିବା ବରଗଡ଼ ଧନୁଯାତ୍ରାର ବିଶେଷତ୍ୱ । ଅଭିନୟ ହେଲେବି ନଈବାଲିରେ କୃଷ୍ଣ ପଦଚିହ୍ନ ଦେଖି ଅକ୍ରୂରଙ୍କ ଭାବବିହ୍ୱଳତା ସହିତ ଏହି ଦୃଶ୍ୟକୁ  ସାମାନ୍ୟ ଟିକିଏ ଦେଖିବା ପାଇଁ, ମନଭିତରେ ବାନ୍ଧି ରଖିବା ପାଇଁ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ଭିଡ଼  ଏହାକୁ ପ୍ରମାଣିତ କରୁଛି ।    

ଶୁକ୍ରବାର ନାଟ୍ୟାଭିନୟରେ ମଥୁରା ନରେଶ ମହାରାଜା କଂସଙ୍କ ଅନୁରୋଧ କ୍ରମେ ପୂର୍ବତନ ମହାମନ୍ତ୍ରୀ ଅକ୍ରୂର ଧନୁଯାତ୍ରା ପାଇଁ ବେନିଭାଇଙ୍କୁ ନିମନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଗୋପ ପହଞ୍ଚିଛନ୍ତି । ଏପଟେ କଂସାସୁର ଦରବାରରେ ନିଜ ମୃତ୍ୟୁ ରୋକିବା ପାଇଁ  ଯମପୁରୀ ଉପରେ ଆକ୍ରମଣ କରିଛନ୍ତି । ଧନୁଯାତ୍ରା ତ ଏକ ଛଳନା ମାତ୍ର । କପଟି କଂସ ରଚିଥିବା ଏକ ମାୟାଜାଲ । ଆଉ ଅତ୍ୟାଚାରୀ କଂସଙ୍କ ନିହିତ ସ୍ୱାର୍ଥ ଜାଣି ସୁଦ୍ଧା ଅନ୍ୟାୟରେ ସହଯୋଗ କରିବାକୁ ବାଧ୍ୟ ହୋଇଥିବା ଅକ୍ରୂର ଛଳ ଛଳ ନୟନରେ ଶ୍ରୀହରିଙ୍କ ଉଦ୍ଦେଶ୍ୟରେ  ପ୍ରଣିପାତ ଜଣାଇ ନିମନ୍ତ୍ରଣ ଚିଟାଉ ଧରି  ଆଗକୁ ବଢ଼ିଥିଲେ । 

ମଥୁରା ନରେଶ କଂସଙ୍କ  ସହିତ ବିଚାର ବିମର୍ଷ ପରେ ମହର୍ଷି ନାରଦଙ୍କ  ଦ୍ୱାରା ପ୍ରସ୍ତାବିତ ଧନୁଯାତ୍ରା ନିମନ୍ତ୍ରଣ ପତ୍ର  ନେଇ ପୂର୍ବତନ ମନ୍ତ୍ରୀ ଭଗବତ ବିଶ୍ୱାସୀ ବୃଦ୍ଧ ଅକ୍ରୂର ଗୋପ ଉଦ୍ଦେଶ୍ୟରେ ଯାତ୍ରା  କରି ଯମୁନା ନଈ ପାରିକରିଥିଲେ । ପ୍ରଭୁଙ୍କୁ ସୁମରଣା କରି ଗୋପ ସୀମାନ୍ତରେ ପ୍ରବେଶ  କରିଥିଲେ । ରଥରୁ ଓହ୍ଲାଇ ଗୋପମାଟିରେ ପାଦ ଥାପି ନିଜକୁ ଗୌରବାନ୍ୱିତ ମନେକରି ଆଗକୁ ବଢ଼ୁଥିବା ବେଳେ ହଠାତ ନଈ କୂଳରେ କୃଷ୍ଣପାଦ ଚିହ୍ନ ଦର୍ଶନ କରି ଭାବ ବିହ୍ୱଳ ହୋଇ ଯାଇଥିଲେ । କୃଷ୍ଣ ରସରେ ନିମଗ୍ନ ଅକ୍ରୂର ଗୋପରେ ପ୍ରବେଶ କରି  ଘରେ ଘରେ କୃଷ୍ଣ ପ୍ରେମର ଛାପ ଦେଖି  ବିଭୋର ହୋଇଉଠିଥିଲେ । ଗୋପଦାଣ୍ଡକୁ  ପ୍ରବେଶ କରିବା କ୍ଷଣି ଦେଖିବାକୁ ମିଳିଥିବା ଗୋପୀମାନଙ୍କ କୃଷ୍ଣ ବଳରାମଙ୍କୁ କୋଳି  ଖୁଆଇବା, ଗୋପାଳମାନଙ୍କ ସହିତ  ଥଟ୍ଟା ପରିହାସ ଓ ଖେଳ, ଗୋପାଙ୍ଗନାଙ୍କ  ଦହିଚୋରିକୁ ନେଇ ମିଛ ରାଗ ଆଦି ଦୃଶ୍ୟରେ ଅଭିଭୂତ ଅକ୍ରୂର ନିଜକୁ ହଜାଇ  ଦେଇଥିଲେ । ନନ୍ଦପୁରରେ ପ୍ରବେଶ  କରି ନନ୍ଦରାଜାଙ୍କୁ ଚିଟାଉ ହସ୍ତାନ୍ତର କରି  ଆଗମନର କାରଣ ବର୍ଣ୍ଣନା କରିଥିଲେ ।  ପତ୍ର ମାର୍ଜନା ପରେ ନନ୍ଦରାଜା ବିଚଳିତ  ହୋଇଯାଇଥିବା ସମୟରେ ଯଶୋଦା  ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ। ଧନୁଯାତ୍ରା  ପାଇଁ କୋଳନନ୍ଦନଙ୍କୁ ପଠାବା ପାଇଁ ମୂଳରୁ ହିଁ  ମନା କରିଦେଇ ଫେରିଯିବାକୁ ମଥୁରାମନ୍ତ୍ରୀଙ୍କୁ  ସିଧା କହିଥିଲେ। ମାତ୍ର ଅକ୍ରୂରଙ୍କ ମନ ତ  କୃଷ୍ଣଠି ଥିଲା ବେଳେ ଏଯାଏଁ ତାଙ୍କୁ ଦେଖି  ନଥିବାରୁ କଂସଙ୍କ ଡ଼ଗର ଦାୟିତ୍ୱ ତୁଳାଇ  ନନ୍ଦ ଯଶୋଦାକୁ ବୁଝାଇ ସୁଝାଇ ରାଜିହେବାକୁ  ପ୍ରାର୍ଥନା କରି ବେଣୁପାଣିଙ୍କ ଏହି ଯାତ୍ରାରେ  ହିଁ ସମଗ୍ର ସୁରକୂଳର ଲାଭ ଅଛି ବୋଲି  କହିଥିଲେ । 

ଏଣେ ଗୋପଦାଣ୍ଡରେ କୃଷ୍ଣ ବଳରାମ ବାଲ୍ୟ ସଖାମାନଙ୍କ ସହିତ  ଖେଳ ଖେଳୁଥିବା ସମୟରେ କଂସ ପ୍ରେରୀତ  ଶଙ୍ଖଚୂଡ଼ ନାଗକୁ ପାଦରେ ଦଳି ମୋକ୍ଷ ପ୍ରଦାନ କରି ଘରକୁ ଫେରିଥିଲେ। ଏ ପର୍ଯ୍ୟନ୍ତ କୃଷ୍ଣ ସାନ୍ନିଧ୍ୟ ପାଇ ନଥିବା ଅକ୍ରୂର ନନ୍ଦବଳାଙ୍କୁ ଖୋଜି ଖୋଜି ନୟାନ୍ତ ହୋଇ ଗୋପସାରା ଘୂରି ବୁଲୁଥିଲେ । ଗୋଧୂଳି  ସମୟରେ ଚିରାଚରିତ ଭାବେ ଘରକୁ  ଫେରି ମୂରଲିଧର ଗୋଧନ ସେବାରେ  ନିଜକୁ ନିୟୋଜିତ କରିଥିବା ସମୟରେ କୃଷ୍ଣ  ବିଳାପୀ ଅକ୍ରୂର ଖୋଜି ଖୋଜି ଗୁହାଳକୁ ପଶି  ଗାଈଙ୍କ ଗହଣରେ କୃଷ୍ଣଙ୍କୁ ଦେଖି ବାଟରେ  ହିଁ ରହିଯାଇଥିଲେ । ପଛପଟୁ କୃଷ୍ଣଙ୍କ ସେ  ଅପରୂପ ଶୋଭାରାଜି ଦେଖି ପରମତୃପ୍ତିରେ  ବିଭୋର ହୋଇଯାଇଥିଲେ । ଗାଈ ଦୁହୁଁଥିବା ଅବସ୍ଥାରେ ତାଙ୍କ ବେଣୀ ଖୋଲିଯିବା ପରେ  ପଛପଟୁ ଆପେ ବାହାରିଆସିଥିବା ତୃତୀୟ  ଓ ଚତୁର୍ଥ ହାତରେ ବାଳକୃଷ୍ଣଙ୍କ ବେଣିବନ୍ଧା  ଦୃଶ୍ୟ ଅକ୍ରୂରଙ୍କୁ ଅଭିଭୂତ କରିଥିଲା । ବାସୁଦେବଙ୍କ ଚତୁର୍ଭୁଜ ରୂପରୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଜାଣିପାରି ତାଙ୍କର  ପାଦତଳେ ଲୋଟିପଡ଼ିଥିଲେ । ଯାହାକି ଗୋପରେ ଏକ ଭାବମୟ ପରିବେଶକୁ  ଜନ୍ମ ଦେଇଥିଲା । ଏହିସବୁ ଦୃଶ୍ୟାବଳି  ଦେଖିବା ପାଇଁ ଗୋପପୁରରେ  ପ୍ରବଳ ଜନସମାଗମ ହୋଇଥିଲା । ଆଖପାଖ ଗ୍ରାମାଂଚଳରୁ ଧାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଗୋପଦାଣ୍ଡ  ଉଛୁଳି ଉଠିଥିଲା ।