ମଥୁରାନଗରୀ, ୧୩/୦୧: ମଥୁରା  କାରାଗାରରେ ଜନ୍ମ ହେଲା କ୍ଷଣି ମଥୁରା ଛାଡ଼ି ଗୋପରେ ବଢ଼ି କିଶୋରାବସ୍ଥାରେ ପହଞ୍ଚିଥିବା  କୃଷ୍ଣ ବଳରାମ ଦୀର୍ଘ ୧୨ ବର୍ଷର ବ୍ୟବଧାନ ପରେ ମଥୁରା ଫେରିଥିବା ବେଳେ ଉଭୟଙ୍କ ବାଲ୍ୟ ସୁଲଭ ଚପଳାମି ସହିତ ମନମୁଗ୍ଧକାରୀ  ହସି ମଥୁରାବାସୀଙ୍କୁ ଆହ୍ଲାଦିତ କରିଛି । ବାଳକୃଷ୍ଣରୁ ଶ୍ରୀଗୋବିନ୍ଦ ହୋଇ ନଟନାଗର କଳାକାହ୍ନୁ ଶ୍ରୀକୃଷ୍ଣ ଷୋଳ ସହସ୍ର ଗୋପନାରୀ  ସହିତ ଭିଆଇଥିବା ଲୀଳାକୁ ତ୍ୟାଗ କରି କର୍ତ୍ତବ୍ୟ  ଦିଗରେ ଆଗେଇଛନ୍ତି । 

ଗୋବର୍ଦ୍ଧନ ଭାବେ ଇନ୍ଦ୍ରଙ୍କ  ଗର୍ବଗଞ୍ଜନ କରି ବ୍ରହ୍ମାଙ୍କ ଠାରୁ ବଂଶୀ ହାତେଇଥିବା ବଂଶୀଧର ମାମୁଁ କଂସଙ୍କ ଅହଙ୍କାରକୁ ଦମନ  କରିବା ପାଇଁ ମଥୁରାଗତ ହୋଇଛନ୍ତି । ସୁଦାମା ମାଳିର ମନ ଜିଣି ରଜକ ଓ କୁବଜାକୁ ଉଦ୍ଧାର କରିଛନ୍ତି । ଦେବକୀ ଓ ବସୁଦେବଙ୍କୁ କଷଣରୁ ମୁକ୍ତି ଦେବା ପାଇଁ ବାସୁଦେବ ଭାବେ ମଥୁରାରେ ପହଞ୍ଚିବା ପରେ ଅଦ୍ଭୁତପୂର୍ବ ନୀଳରଙ୍ଗ ଶରୀରକୁ ପୀତବସ୍ତ୍ର ପରିହିତ ଦିବ୍ୟ ରୂପକାନ୍ତି  ଏବଂ ଐଶ୍ୱରୀୟ ଠାଣି ସମଗ୍ର ମଥୁରାବାସୀଙ୍କୁ ରାଜରାସ୍ତାକୁ ଟାଣି ଆଣିଛି । ଯାହାକି ପ୍ରକାଶ୍ୟରେ କ୍ଷଣିକ ପାଇଁ ମଥୁରାବାସୀଙ୍କୁ କେଉଁ ସ୍ୱର୍ଗପୁରୀକୁ  ନେଇଯିବା ସହିତ କଂସ କବଳରୁ ମୁକ୍ତିର ବାଟକୁ  ଆହୁରି ପ୍ରସାରିତ କରିଦେଇଛି । 

ନିୟତିର ଅଦୃଷ୍ଟ ସମୟଚକ୍ରରେ ଅକ୍ରୁରଙ୍କ ସାଥିରେ କୃଷ୍ଣ ବଳରାମ ମଥୁରାକୁ ପ୍ରବେଶ କରିବା ପରେ ମଥୁରାରେ  ଖେଳିଯାଇଛି ଆନନ୍ଦ, ଉତ୍ସାହ ଆଉ ସ୍ୱାଧୀନ  ହେବାର ପ୍ରାକ୍‌ ଖୁସି । ବାଟେ ଘାଟେ ମଥୁରାବାସୀ  ପୂଜାଧ୍ୱଜାରେ ଉଭୟ ବେନିଭ୍ରାତାଙ୍କୁ କରିଥିବା  ସ୍ୱାଗତ ଅଭ୍ୟର୍ଥନା ଏକ ଭାବମୟ ପରିବେଶକୁ  ଜନ୍ମଦେଇଥିବା ସମୟରେ ଖଜୁରଟିକ୍ରା ସ୍ଥିତ  ମଧୁବନ ତୋଟା ଚଳଚଞ୍ଚଳ ହୋଇପଡ଼ିଥିଲା ।  ନନ୍ଦସୂତ ମଧୁବନ ତୋଟା ସ୍ଥିତ ଆଦିମାତାଙ୍କ  ଆସ୍ଥାନ ସଚ୍ଚିଦାନନ୍ଦ ମନ୍ଦିରରେ ପହଞ୍ଚିବା ପରେ  ନଗରବାସୀଙ୍କ ତରଫରୁ ଖଜୁରଟିକ୍ରାବାସୀ  ଉଭୟଙ୍କୁ ବିନମ୍ର ସମ୍ବର୍ଦ୍ଧନା ଜ୍ଞାପନ ସହ ଜୟକାର  ସ୍ୱାଗତ କରିଥିଲେ । ଉଭୟେ ମଧୁବନ ତୋଟାରେ  ରାତ୍ରୀ ଯାପନ କରିଥିବା ବେଳେ ରବିବାର ସକାଳୁ ଉଠି ବେନିଭାଇ ନିଜ ନିତ୍ୟକର୍ମ ସମାପନ ପରେ  ମଥୁରା ନଗର ବୁଲିଯିବା ପାଇଁ ସଖା ସହୋଦର  ସହ ବାହାରି ଥିଲେ । ସେଥି ନିମନ୍ତେ ନିଜର  ବସ୍ତ୍ର ବଦଳାଇ ରାଜକୀୟ ବସ୍ତ୍ର ପିନ୍ଧିବାକୁ ଇଚ୍ଛା  ପ୍ରକାଶ କରି ରାମକୃଷ୍ଣ କଂସାସୁରଙ୍କ କୌଳିକ  ରଜକକୁ ରାଜୋଚିତ ବସ୍ତ୍ର ମାଗିଥିଲେ । ହେଲେ  କଂସ ଆଚରଣରେ ପରିଚାଳିତ ରଜକ ଜଣକ  ରାଜକୀୟ ବସ୍ତ୍ର ଦେବାପାଇଁ ମନା କରି ଛାର  ନାଗରିକ ହୋଇ ରାଜା ପୋଷାକ ପନ୍ଧିବାର ଇଚ୍ଛା  ବୋଲି କଟାକ୍ଷ ହାଣି ରାମକୃଷ୍ଣଙ୍କୁ ଅପମାନିତ  କରିଥିଲେ । 

ତ୍ରିଲୋକର ଭୂତ ଭବିଷ୍ୟତ  ନୀୟନ୍ତା ବାଳକୃଷ୍ଣ ରାଗରେ ରଜକଙ୍କୁ ଏକ ଶକ୍ତ  ଚାପୁଡ଼ା ମାରି ତାର ପ୍ରାଣ ନାଶ କରିବା ସହିତ  ଇହ ଜଗତରୁ ଉଦ୍ଧାର କରି ମୋକ୍ଷ ପ୍ରଦାନ  କରିଥିଲେ । ସୂଚନା ଯୋଗ୍ୟ ଯେ, ତ୍ରେତୟା  ଯୁଗରେ ଏହି ରଜକ ତାର ପୂର୍ବ ଜନ୍ମରେ ପ୍ରଭୁ  ଶ୍ରୀରାମଙ୍କୁ ଆକ୍ଷେପ କରିବା ସହିତ ସୀତାଙ୍କ  ପାତାଳଗାମୀ ହେବାର କାରଣ ସାଜିଥିବାରୁ  ଜଗତପାଳଙ୍କ ଅଶ୍ରୁପାତର କାରଣ ସାଜି  ଦ୍ୱାପରରେ ପୁର୍ନଜନ୍ମ ପାଇଥିଲେ ଉପରୋକ୍ତ  ରଜକ ଜଣକ । ଏବଂ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ  ସ୍ପର୍ଶରେ ପ୍ରାଣ ହାରି ମୋକ୍ଷପ୍ରାପ୍ତି ହୋଇଥିଲେ ।  ଉକ୍ତ ଦୃଶ୍ୟଟି ଖଜୁରଟିକ୍ରା ସ୍ଥିତ ଖଜୁରକଁଟିଏନ  ବନ୍ଧରେ ଅଭିନୀତ ହୋଇଥିବା ବେଳେ ସ୍ଥାନୀୟ  ଧୋବାପଡ଼ାର ବାହାବଲ ସେଠ ଓ ଉର୍ବଷୀ ଏଥିରେ  ଅଭିନୟ କରିଥିଲେ । ପ୍ରବଳ ଜନସମାଗମ  ମଧ୍ୟରେ ସମ୍ପାଦିତ ହୋଇଥିବା ଅଭିନୟ ଦୃଶ୍ୟଟି  ବେଶ ଆକର୍ଷଣୀୟ ହୋଇଥିଲା । ରଜକର ମୃତ୍ୟୁ  ପରେ ବଜାଗଜାରେ ସ୍ଥାନୀୟ ଶ୍ରଦ୍ଧାଳୁମାନେ  ବେନିଭ୍ରାତାଙ୍କୁ ମୁଣ୍ଡାଇ ବୁଲିଥିଲେ । ସେଠି ବାହାରି  ବେନିଭ୍ରାତା ରାଜକୀୟ ପୋଷାକ ପରିଧାନ କରି  ରାମକୃଷ୍ଣ ନଗର ଭ୍ରମଣ କରୁଥିବା ବେଳେ ସୁଦାମା  ମାଳି ସହିତ ସାକ୍ଷାତ ହୋଇଥିଲା । ଭାବବିହ୍ୱଳ  ସୁଦାମା ଶ୍ୟାମଘନ ଓ ଶଙ୍କର୍ଷଣଙ୍କୁ ନିକଟରେ  ପାଇ ଆଦର ସେବା କରିବା ସହିତ ନାନା ପ୍ରକାର  ସୁଗନ୍ଧିତ ଫୁଲରେ ସଜ୍ଜିତ କରିଥିଲେ । ବୃଦ୍ଧି  ପାଇଥିବା ଉକ୍ତ ଅପୂର୍ବ ଶୋଭାକାନ୍ତି ସାଧାରଣରେ  ଏକ ଅଦ୍ଭୁତପୂର୍ବ ରୂପରାଜି ସୃଷ୍ଟି କରିଥିଲା ।  ଏବଂ ଏଭଳି ଏକ ନୈସର୍ଗିକ ରୂପକୁ ଦର୍ଶନ  କରିବା ପାଇଁ ଠୁଳ ହୋଇଥିବା ଗହଳିର ମନରେ  ଆନନ୍ଦ ସହିତ ଆଖିରେ ଆନନ୍ଦାଶ୍ରୁ ସମ୍ପୂର୍ଣ୍ଣ ଭାବେ  ପରିବେଶକୁ ଭାବମୟ କରିଥିଲା । 

ଏହି ଦୃଶ୍ୟଟି  ଖଜୁରଟିକ୍ରା ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା  ବେଳେ ମାଳି ଭୂମିକାରେ ଖଜୁରଟିକ୍ରାର ସଂକୀର୍ତ୍ତନ  ଗାହକ ରାମ ସାହୁ ଅଭିନୟ କରିଥିଲେ । ସେଠୁ  ବହାରି ବେନିଭ୍ରାତା ପୁଣି ନଗର ପରିକ୍ରମା ପାଇଁ  ଆଗକୁ ବଢ଼ଥିବା ବେଳେ ମଥୁରାବାସୀ ତାଙ୍କୁ  ଧୂପଦୀପ ନୈବେଦ୍ୟରେ ସ୍ୱାଗତ କରୁଥିବା ଦୃଶ୍ୟ  ବାସ୍ତବିକ ମନୋରମ ପରିବେଶ ସୃଷ୍ଟିକରିଥିଲା ।  ତେବେ କୃଷ୍ଣ ବଳରାମ ଯାଉଥିବା ସମୟରେ ପିଠିରେ ଏକ କୁଜ ଥିବା ନାରୀ କୁବ୍‌ଜା ହଠାତ୍‌ ପ୍ରଭୁଙ୍କ ବାଟ ଓଗାଳି ଥିଲେ । ନିଜର କୁରୂପ  ସତ୍ତେ୍ୱ ସୁଗନ୍ଧିତ ଚନ୍ଦନ କୁଙ୍କୁମରେ ପ୍ରଭୁଙ୍କୁ  ବେଶ କରିଥିଲେ । କୁବ୍‌ଜାର ଏପରି ବାତ୍ସଲ୍ୟଭରା  ପ୍ରୀତିରେ ତୃପ୍ତ ହୋଇ ଭଗବାନ କୃଷ୍ଣ ତାର  କୁଜରେ ହାତ ବୁଲାଇ ଆଣିବା ପରେ ସହସା  କୁଜଟି ନାରୀର ପିଠିରୁ ଉଭେଇଯାଇ ଏକ  ସୁନ୍ଦରୀ ନାରୀ ଶରୀରରେ ରୂପାନ୍ତରିତ ହୋଇ  ଯାଇଥିଲା । ଦେଖଣାହାରୀମାନେ ଏହାକୁ ଦେଖି  ବିସ୍ମିତ ହୋଇଯାଇଥିବା ବେଳେ ନୂଆ ଜୀବନ  ପାଇଥିବା ମହିଳା ଜଣକ ଆନନ୍ଦାଶ୍ରୁ ସହିତ  କୃଷ୍ଣବଳରାମଙ୍କୁ କରିଥିବା ପୂଜା ଆରାଧନା ଏକ ଭାବମୟ ପରିବେଶକୁ ଜନ୍ମ ଦେଇଥିଲା । ଏହି  ଦୃଶ୍ୟଟି ମଥୁରାନଗର ମହାନ୍ତିପଡ଼ା ସ୍ଥିତ କାଳୀ  ମନ୍ଦିରରେ ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିର  ପ୍ରଶାସନ ତରଫରୁ ବେଶ୍‌ ସୁନ୍ଦର ଆୟୋଜନ  କରାଯାଇଥିଲା । ସେହିକ୍ରମରେ ନଗର ଭ୍ରମଣ  ସମୟରେ ବେନିଭ୍ରାତା ବହୁ ଶ୍ରଦ୍ଧାଳୁମାନଙ୍କ ଘରକୁ  ମଧ୍ୟ ଯାଇ ପୂଜା ପାଇଥିଲେ । ଏଭଳି ଆଲୌକିକ  କାଣ୍ଡ ଶୋଭା ସ୍ୱଚକ୍ଷୁରେ ଦେଖିବା ପାଇଁ ବହୁ ଜନ  ସମାଗମ ହୋଇଥିବା ସମୟରେ ଶ୍ରଦ୍ଧାଳୁମାନେ  ଆନ୍ତରିକତାର ସହିତ କରୁଥିବା ପୂଜାର୍ଚ୍ଚନା  ଏକ ଭାବମୟ ପରିବେଶକୁ ଜନ୍ମ ଦେଇଥିଲା ।  ପରେ ଭଗବାନ କୃଷ୍ଣ ବଳରାମ ବିଭିନ୍ନ ଭକ୍ତଙ୍କ  ଗୃହକୁ ଯାଇ ପୂଜାର୍ଚ୍ଚନା ପାଇବା ସହ ଆଶୀର୍ବାଦ  ଦେଇଥିଲେ ଏବଂ ଶେଷରେ ମଧୁମଙ୍ଗଳ ସମେତ ଗୋପାଳ ବାଳକମାନଙ୍କୁ ସାଥିରେ ଘେନି  ‘ଧନୁଗୃହ'କୁ ପ୍ରବେଶ କରି ସେଠାରେ ରାତ୍ରୀ  ଯାପନ କରିଥିଲେ ।   

ପ୍ରକାଶ ଯୋଗ୍ୟ ଯେ, ଆଦିମାତା ମନ୍ଦିରରୁ  ବାହାରିବା ଠାରୁ ରଜକ ଓ ସୁଦାମା ମାଳି ଦୃଶ୍ୟକୁ  ଖଜୁରଟିକ୍ରାବାସୀ ପରିଚାଳନା କରିଥିବା ବେଳେ  ରଜକ ଉଦ୍ଧାର ଦୃଶ୍ୟକୁ କାଳୀ ମନ୍ଦିରର ଯୁବକମାନେ  ପରିଚାଳନା କରିଥିଲେ । ଖଜୁରଟିକ୍ରାର ସେବାରାମ  ଦାଶ, ସୁଧିର ଦାଶ, ନିମାଇଁ ମହାପାତ୍ର, କିଶୋର  ମିଶ୍ର, ପଞ୍ଚାନନ ବାଗ, ପୂର୍ବତନ କାଉନସିଲର  ବୁଟା ମହାରଣା ପ୍ରମୁଖ ରଜକ ଉଦ୍ଧାର ଦୃଶ୍ୟ  ପରିଚାଳନାରେ ସହଯୋଗ କରିଥିଲେ । ଖଜୁରଟିକ୍ରା  ସ୍କୁଲରେ ଆୟୋଜିତ ସୁଦାମ ମାଳି କାର୍ଯ୍ୟକ୍ରମକୁ  ପଡ଼ାବାସୀ ପରିଚାଳନା କରିଥିବା ବେଳେ  ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀମାନେ  ସହଯୋଗ କରିଥିଲେ । ସେହିଭଳି କୁବଜା  ଉଦ୍ଧାର କାର୍ଯ୍ୟକ୍ରମକୁ ମନ୍ଦିର କମିଟିର ରାଜେଶ  ଶତପଥି, ଗୌରାଙ୍ଗ ନାଏକ, ପରେଶ ବିଶିଙ୍କ  ସମେତ ସଦସ୍ୟମାନେ ପରିଚାଳନା କରିଥିବା  ବେଳେ ମନ୍ଦିର କମିଟିର ସଭ୍ୟମାନେ ସହଯୋଗ  କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ବରଗଡ଼  ନଗରପାଳ କଳ୍ପନା ମାଝିଙ୍କ ସମେତ ୱଡ଼ ନମ୍ବର  ୮ର କାଉନସିଲର ରୀନା ମହାପାତ୍ର, ୱାର୍ଡ ନମ୍ବର ୧୩ର କାଉନସିଲର କବିତା ବେହେରା ଏବଂ  ଅନ୍ୟ କାଉନସିଲରମାନେ ସହଯୋଗ କରିଥିଲେ ।