ମଥୁରାନଗରୀ,୦୫/୦୧: ବିଶ୍ୱ ପ୍ରସିଦ୍ଧ  ବରଗଡ଼ ଧନୁଯାତ୍ରାର ମୁକ୍ତାକାଶ ରଙ୍ଗମଞ୍ଚରେ ଯାତ୍ରାଭିନୟର ଦୃଶ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା । ମୃତ୍ୟୁ ଭୟରୁ କଂସ ନିଷ୍ପାପ ଶିଶୁଙ୍କୁ ବି ଛାଡ଼ି ନାହିଁ  ା ଭଉଣୀ ଦେବକୀଙ୍କ ୬ଟି ଗର୍ଭରୁ ଜନ୍ମ ନେଇଥିବା  ଶିଶୁଙ୍କୁ ଶିଳାରେ କଚାଡ଼ି ମାରିବାକୁ କଂସ ଦ୍ୱିଧାବୋଧ କରିନାହାନ୍ତି । ଯାହାର ଏକ ନିଚ୍ଛକ ଅଭିନୟ ପରାକାଷ୍ଠା ଶନିବାର ଧନୁଯାତ୍ରାର ଦ୍ୱିତୀୟ ଦିବସରେ ଦେଖିବାକୁ  ମିଳିଥିଲା । ଭାଇ କଂସର ଅତ୍ୟାଚାରକୁ ଆଉ ସହିନପାରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜକୁ ସମର୍ପି ଦେଇଥିଲେ । 

ଦେବକୀଙ୍କ ଆକୁଳ ନିବେଦନ ଆଉ ବସୁଦେବଙ୍କ ପ୍ରତିବେଦନା ଟାଳି ନପାରି ଜଗତପାଳ ବିଷ୍ଣୁ ଯୋଗ ବଳରେ ଦେବକୀଙ୍କ ସପ୍ତମ ଗର୍ଭ ହରଣ  କରି ରୋହୀଣୀଙ୍କ ଗର୍ଭରେ ସ୍ଥାପନ କରିଥିଲେ  ା ଭଗବାନଙ୍କ ଆକର୍ଷଣ ଜନିତ ଗର୍ଭହରଣରୁ  ଜୀବନଦାନ ପାଇଥିବାରୁ ପରବର୍ତ୍ତୀ ସମୟରେ  ସଙ୍କର୍ଷଣ ବା ବଳରାମ ନାମରେ ପରିଚିତି ପାଇଛନ୍ତି  ା ଶୂନ୍ୟେ ଶୂନ୍ୟେ ଉଡ଼ିଯାଇଥିବା ସପ୍ତମ ଗର୍ଭନେଇ କଂସ ଚିନ୍ତାରେ ବୁଡ଼ିରହି ପାତ୍ରମନ୍ତ୍ରୀଙ୍କ ସହିତ ଆଲୋଚନାରେ ବ୍ୟସ୍ତ ଥିବା ବେଳେ ଏପଟେ କିଛିମାସ  ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସୂଚନା କଂସଙ୍କୁ ପୂର୍ଣ୍ଣ ବିଚଳିତ କରିଥିଲା । 

ମହାରାଜଙ୍କୁ ପୂର୍ବାପେକ୍ଷା  ଅଧିକ ସତର୍କ କରିଦେଇଥିଲା । କାରାରକ୍ଷୀଙ୍କ କଡ଼ା ପହରା ଭିତରେ ମଥୁରା କାରାଗାରରେ ଶେଷରେ ଅଧରାତିରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମଲାଭ  ନେଇଥିଲେ ଶ୍ରୀକୃଷ୍ଣ । ସାତ ପୁଅକୁ ହରାଇବା  ପରେ ଅଷ୍ଟମ ସନ୍ତାନକୁ ହରାଇବା ଆଶଙ୍କାରେ ଆତଙ୍କିତ ଦେବକୀ-ବସୁଦେବ ନାରାୟଣଙ୍କୁ ସ୍ମରଣ  କରିଥିଲେ । ଜଗତକର୍ତ୍ତାଙ୍କ ମାୟା ବଳରେ ସମସ୍ତ  ରକ୍ଷୀ କାଳନିଶାଗ୍ରସ୍ତ ହେବା ପରେ କାରାଗାର ଦ୍ୱାର  ଆପେ ଖୋଲିଯାଇଥିଲା ଏବଂ ସୃଷ୍ଟିପାଳକଙ୍କ ଅଦୃଶ୍ୟ  ନିର୍ଦ୍ଦେଶ ମତେ ବସୁଦେବ ନବଜାତକ ଶ୍ରୀକୃଷ୍ଣକୁ ନେଇ ଗୋପପୁରକୁ ଯାତ୍ରା କରିଥିଲେ । ଆଗକୁ ଉଛୁଳା  ଯମୁନାନଈ ବାଧକ ସାଜିଥିଲେ ମଧ୍ୟ ପ୍ରଭୁଙ୍କ ସ୍ପର୍ଶରେ  ନଈ ବାଟ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ନଈ ପାରି  ହୋଇ ବସୁଦେବ ଗୋପରେ ପହଞ୍ଚି ପ୍ରସବ ଜନିତ  ପୀଡ଼ାରେ ନିଦ୍ରିତାବସ୍ଥାରେ ଥିବା ଯଶୋଦାଙ୍କ କୋଳରେ  ଶ୍ରୀକୃଷ୍ଣଙ୍କୁ ଶୁଆଇ ତାଙ୍କ ନବଜନ୍ମିତା ଶିଶୁକନ୍ୟାଙ୍କୁ  ଧରି ମଥୁରା କାରାଗାର ଫେରି ଦେବକୀଙ୍କ ନିକଟରେ  ଶିଶୁ କନ୍ୟାକୁ ଶୁଆଇବା ପରେ କାରାଗାରର ପୂର୍ବ  ସ୍ଥିତି ଫେରିଥିଲା । ଅଷ୍ଟମ ଗର୍ଭ ବଂଚାଇବାରେ ସଫଳ  ହୋଇଥିବାରୁ ଦୀର୍ଘଦିନ ପରେ ବସୁଦେବଙ୍କ ଆଖିରୁ  ଖୁସିର ଅଶ୍ରୁ ବୋହି ଚାଲିଥିବା ବେଳେ ନିଦ୍ରାଭଙ୍ଗ ହେବା  ପରେ ପୁଅ ବଦଳରେ ଝିଅକୁ ପାଇ ଖୁସିରେ ଦେବକୀ  ଆତ୍ମହରା ହୋଇଉଠିଥିଲେ । ଏପଟେ ରାଜଦରବାରେ  ପହଂଚି ଦୁର୍ମିଳାସୁର ନିଜକୁ କଂସଙ୍କ ପିତା ବୋଲି ଦାବି  କରି ପୁତ୍ରକୁ ଆଲିଙ୍ଗନ କରିବା ପାଇଁ ଆଗ୍ରହ ପ୍ରକାଶ  କଲାପରେ ମାଁଙ୍କ ମାନହାନୀ ଅଭିଯୋଗରେ ମହାରାଜ  କଂସ ଦୁର୍ମିଳାସୁରକୁ ବଧ କରି ମାତୃଋଣ ପରିଶୋଧ  କରିବାରେ ହେଳା କରି ନଥିଲେ । ମୃତ୍ୟୁ ଭୟ ଏଡ଼ାଇବା  ପାଇଁ ରଙ୍ଗମହଲ ଅଭିମୁଖେ ପ୍ରସ୍ଥାନ କରି ସୁରାର  ସାହାଯ୍ୟ ନେଇଥିଲେ, ରାଜନର୍ତ୍ତକୀଙ୍କ ମତୁଆଲା  ନୃତ୍ୟଗୀତରେ ବୁଡ଼ିରହି ଅଷ୍ଟମ ଗର୍ଭ ଚିନ୍ତାରୁ ମୁକୁଳିବା  ପାଇଁ ଉଦ୍ୟମ କରିଥିଲେ ।      

ନିଶାମଣି ପଡ଼ିଆ ଲୋକମଣ୍ଡପ ପଡ଼ିଆରେ ରଙ୍ଗମହଲ  ନିର୍ମାଣ କରାଯାଇଥିବା ବେଳେ ସମଲେଶ୍ୱରୀ ମଣ୍ଡପ  କାରାଗାର ପାଲଟିଥିଲା । ସେହିଭଳି ବସୁଦେବ-ଉଗ୍ରସେନଙ୍କ ଭେଟ ଯମୁନା ନଈ କୂଳ ଅର୍ଥାତ ବରଗଡ଼  ନଦୀପଡ଼ାରେ ସମ୍ପାଦିତ ହୋଇଥିଲା । ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ସ୍ଥାନରୁ ଆସିଥିବା  ୧୪ଟି ନୃତ୍ୟ ଦଳ ରାଜଦରବାର ଓ ରଙ୍ଗମହଲରେ  ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ସାଂସ୍କୃତିକ କମିଟି  ଆବାହକ ଗୋପାଳକୃଷ୍ଣ ଦାଶଙ୍କ ତତ୍ୱାବଧାନରେ  ଉଭୟ ରାଜଦରବାର ଓ ରଙ୍ଗମହଲରେ ପୁରୀ  କାକଟପୁରର ମାଁ ଶାରଳା ଡ଼େନ୍‌ସ ଏକାଡ଼େମୀ,  ବୌଦ୍ଧ ବାଉଁଶୁଣୀର ସାଂସ୍କୃତିକ ପରିଷଦ, ଅତାବିରାର  ତିହାର ପରିଷଦ, ଅଏଁଲାପାଲିର ଶତୃଘ୍ନ ସାଂସ୍କୃତିକ କଳା ପରିଷଦ, ବରଗଡ଼ର ବଳରାମ ଡ଼େନ୍‌ସ  ଏକାଡ଼େମୀ, ଅତାବିରାର କୁରେଇଫୁଲ, ଖୋର୍ଦ୍ଧାର ମାଁ  ଚଇତାଳୀ ଚଇତି ଘୋଡ଼ାନାଚ, ମହୁଲପାଲି ଭାରତୀ  କଳାବିକାଶ କେନ୍ଦ୍ରର ଘୁଡ଼ୁକାନାଚ, ଗଞ୍ଜାମ ଶୁଭଶ୍ରୀ  ଦଳର ରଣପା ନୃତ୍ୟ, ବରପାଲି ବଡ଼ଗାଁର ଭୁବନ ସାହୁ  ପାର୍ଟିର ଶବ୍ଦନୃତ୍ୟ, କଂଟାବାଞ୍ଜି ସୃଜନ ସଙ୍ଗୀତ ଦଳର  ଢ଼ାପ ନୃତ୍ୟ, ଇଜେଡ଼ସିସି ପ୍ରୟୋଜିତ କୋଲକାତା  ପୁରୁଲିଆର ଛଉନୃତ୍ୟ, କୋଲକାତା ମେଦିନିପୁରର  ଆଦି ନୃତ୍ୟ ସଙ୍ଗଠନ ଏବଂ ମାଣ୍ଡୋସିଲର ଲଲିତ  ଜଗତ ଓ ଦଳର କଳାକାର ନୃତ୍ୟ ପରିବେଷଣ କରି  ମହାରାଜା କଂସଙ୍କଠାରୁ ପ୍ରଶଂସିତ ହୋଇଥିଲେ । 

 ସେହିଭଳି ରାଜଦରବାରରେ ଆଜି କେନ୍ଦ୍ର ଶିକ୍ଷା ଓ  ଦକ୍ଷତା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ରାଜ ଅତିଥି ଭାବେ  ଉପସ୍ଥିତ ରହି ମହାରାଜା କଂସଙ୍କୁ କଳିଙ୍ଗ ନରେଶଙ୍କ  ଅଭିବାଦନ ଜଣାଇଥିଲେ । ମହାରାଜା କଂସ କେନ୍ଦ୍ରମନ୍ତ୍ରୀ  ଶ୍ରୀ ପ୍ରଧାନଙ୍କ କୁଶଳ ସାମାଚାର ପଚାରି ମଥୁରାର  ଶିକ୍ଷାବ୍ୟବସ୍ଥାକୁ ଆହୁରି ସଦୃଢ଼ କରିବାକୁ ଶ୍ରୀ ପ୍ରଧାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ । ତେବେ ମନ୍ତ୍ରୀ ଶ୍ରୀ ପ୍ରଧାନ ମଥୁରା  କଟକ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ  ଆଗକୁ ଗ୍ରହଣ କରାଯିବାକୁ ଥିବା ଅନ୍ୟାନ୍ୟ ପଦକ୍ଷେପ  ଉପରେ ବିସ୍ତୃତ ସୂଚନା ପ୍ରଦାନ କରି ମହାରାଜା କଂସଙ୍କ  ବିଜୟ କାମନା କରିଥିଲେ । ଏ ଅବସରରେ ବରଗଡ଼  ବିଧାୟକ ଅଶ୍ୱିନୀ ଷଢ଼ଙ୍ଗୀଙ୍କ ସମେତ ବହୁ ରାଜନୈତିକ  ବ୍ୟକ୍ତି ଉପସ୍ଥିତ ଥିଲେ ।