ମଥୁରାନଗରୀ,୧୦/୦୧: ବରଗଡ଼ ଧନୁଯାତ୍ରାର ସପ୍ତମ ଦିବସରେ ଗୁରୁବାର ଗୋପପୁରରେ ଗୋପୀମାନଙ୍କ ଦହିବିକା ଓ ରାଧାକୃଷ୍ଣଙ୍କ ନାବକେଳି ସହିତ କଂସ ପଠାଇଥିବା ଶଂଖଚୂଡ଼ ନାଗର ବଧ ଦୃଶ୍ୟକ୍ରମ ଅଭିନୀତ ହୋଇଛି । ସେହିକ୍ରମରେ  ଗୋପପୁରରୁ ଗୋପାଙ୍ଗନାମାନଙ୍କ ସହିତ  ଦହି ବିକ୍ରୀ କରିବାକୁ ନିଜେ ସ୍ୱୟଂ ରାଧାମଥୁରା  ନଗରୀକୁ ଆସିଥିଲେ । ମଧ୍ୟାହ୍ନରେ କାମସାରି ଘରକୁ  ଫେରିବା ପାଇଁ ତରତର ଗୋପାଙ୍ଗନାଙ୍କ ସହିତ ରାଧା ଯମୁନାକୂଳକୁ ଧାଇଁ ଆସିବା ପରେ କପଟାଚାରୀ  କୃଷ୍ଣଙ୍କ ସହିତ ଗୋପନ ସାକ୍ଷାତ ହେବାପରେ ଚାରିଚକ୍ଷୁର ମିଳନ ହୋଇଥିଲା । 

ନାଉରିଆ ବେଶରେ ନଉକା ଧରି ଆସିଥିବା ଶ୍ରୀକୃଷ୍ଣଙ୍କ ଆନ୍ତରିକ ଇଚ୍ଛା ଓ ଉଦ୍ଦେଶ୍ୟକୁ ଭଲକରି ହୃଦୟଙ୍ଗମ କରିବା  ପରେ ଗୋପାଙ୍ଗନାମାନେ ମଧ୍ୟ ସୁଯୋଗ ସୃଷ୍ଟି କରି ବାହାନାରେ ଓହ୍ଳାଇ ଯାଇଥିଲେ । ଥଟ୍ଟାମଜା ସହିତ ନଉକାରେ ବୁଲିବାର ମଜା ଉଠାଉଥିବା ରାଧାକୃଷ୍ଣଙ୍କ ନୀରବ ଯାତ୍ରାକୁ ଗୋପୀ ଓ ଗୋପାଳମାନେ  ଉପଭୋଗ କରିଥିବା ବେଳେ ଚାରିପଟେ  ଜମା ହୋଇ ରହିଥିବା ମଥୁରା ଓ ଗୋପବାସୀ  ରାଇମୋହନଙ୍କ ଯୁଗଳଙ୍କ ଏହି ଅପରୂପ ଶୋଭାକାନ୍ତି  ଦର୍ଶନ କରି ପରମ ତୃପ୍ତି ଲାଭ କରିଥିଲେ । ବରଗଡ଼ ୱାର୍ଡ଼ ନମ୍ବର ୧୨ ସ୍ଥିତ ମନାବନ୍ଧରେ  ଆୟୋଜିତ ଏହି ଦୃଶ୍ୟକୁ ଦେଖିବା ପାଇଁ ସହସ୍ରାଧିକ  ଶ୍ରଦ୍ଧାଳୁମାନେ ଜମା ହୋଇଥିଲେ । ବଜାଗଜାରେ  ସ୍ଥାନୀୟ ସାହିବାସୀ ରାଇମୋହନଙ୍କୁ କାନ୍ଧରେ  ବସାଇ ପାଛୋଟି ଆଣିଥିବା ବେଳେ ବାଟସାରା ଠୁଳ  ହୋଇଯାଇଥିବା ପଡ଼ାବାସୀ ଉଭୟଙ୍କ ପଦଧୌତ  ପୂର୍ବକ ଧୂପଦୀପରେ ପୂଜାର୍ଚ୍ଚନା ସହ ଭଗବତ  ଶ୍ରୀଚରଣାମୃତ ପାନ କରିଥିଲେ । ପରେ ରାଧା ଓ  ଗୋପୀମାନେ ଘରକୁ ଫେରିଯାଇଥିବା ବେଳେ  ନଟବର ନଉକାରୁ ଓହ୍ଲାଇ ଗୋପଦାଣ୍ଡରେ ସହୋଦର  ଓ ସଖାସଖୀମାନଙ୍କ ସହିତ ବିଭିନ୍ନ ଖେଳରେ ମଜ୍ଜି  ଗୋପବାସୀଙ୍କୁ ବିଭୋର କରିଥିଲେ । 

ଗୁରୁବାର ମଧ୍ୟ  ଶ୍ରୀକୃଷ୍ଣ ବେନିଭାଇ ଗୋପନଗର ପରିଭ୍ରମଣ  କରି ବିଭିନ୍ନ ଘରକୁ ପଶି ଚୋରାଇ ଲହୁଣୀ  ଖାଇଥିବା ବେଳେ ସବୁଦେଖି ନଦେଖିଲା ପରି  ଅଭିନୟ କରୁଥିବା ଗୋପୀମାନେ ମନ୍ତ୍ରମୁଗ୍ଧ ହୋଇ  ଏହାକୁ ଉପଭୋଗ କରିଥିଲେ । ଆଉ ନାବକେଳି  ସମୟରେ ଗୋପୀ ଗୋପାଳଙ୍କ ହୃଦୟଛୁଆଁ ଗୀତ  ପରିବେଶକୁ ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦବୁଦ୍ଧ  କରିବା ସହିତ ଶ୍ରଦ୍ଧାଳୁମାନଙ୍କୁ ପୂର୍ବର ସେହି  ପୌରାଣିକ ବାତାବରଣକୁ ଫେରାଇ ଆଣିବାରେ  ସକ୍ଷମ ହୋଇଥିଲା ।

ଅପରାହ୍ନରେ ନନ୍ଦ ଯାଶୋଦା  କୃଷ୍ଣ ବଳରାମଙ୍କ ସହିତ ନନ୍ଦ ଦରବାରରେ ଉପସ୍ଥିତ  ହୋଇ ପ୍ରଜାଙ୍କ ହାନୀଲାଭ ବୁଝିଥିଲେ । ପରେ ନନ୍ଦରାଜାଙ୍କ ପରାମର୍ଶକ୍ରମେ ଦରବାରରେ ବିଭିନ୍ନ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସାଂସ୍କୃତିକ କମିଟିର ଆବାହକ ଗୋପାଳକୃଷ୍ଣ ଦାଶଙ୍କ ସଂଯୋଜନରେ ଏବଂ ଗୋପପୁର କମିଟିର  ସଦସ୍ୟମାନଙ୍କ ସହଯୋଗରେ ତୋରାର  ବୋଧନ ଏକାଡ଼େମୀ ସମ୍ବଲପୁରୀ ନୃତ୍ୟ, ହୀରାଖଣ୍ଡ  କଳାପରିଷଦ ଟୋପର ସମ୍ବଲପୁରୀ ନୃତ୍ୟ, ଜୟମାଁ  ଦୁର୍ଗା କଳାପରିଷଦ ମୁରିବାହାଲର ଘୁଡ଼କା ନାଚ, କଟକର ମୋନାସିଲଶ ଓଝା ଓ ଦଳର ଓଡ଼ିଶୀ  ନୃତ୍ୟ, ବାରିପଦାର ଛଉ ନୃତ୍ୟ ଓ ଜାତୀୟ  ନୃତ୍ୟଦଳ ଗୁଜୁରାଟର କଳାକାରମାନେ ନାଚଗୀତ  ପରିବେଷଣ କରି ଗୋପବାସୀଙ୍କୁ ଦୀର୍ଘ ରାତିଯାଏଁ  ବାନ୍ଧି ରଖିବାରେ ସଫଳ ହୋଇପାରିଥିଲେ ।