ପୁରୀ, ୦୭/୦୪: ବହୁ ପ୍ରତୀକ୍ଷିତ  ଶ୍ରୀକ୍ଷେତ୍ରର ସାହି ଯାତ  ଆରମ୍ଭ ହୋଇଛି । ପରମ୍ପରା ମୁତାବକ ଶ୍ରୀରାମ ନବମୀ ତିଥିରେ ପୁରୀର ସାହିଯାତ ଶୁଭାରମ୍ଭ କରାଯାଇଛି । ସାହିଯାତର ପ୍ରଥମ ଦିବସରେ କାଳିକାଦେବୀ ସାହି ଆଖଡ଼ା ପକ୍ଷରୁ ରାମ ଜନ୍ମନୀତି ପାଳିତ ହୋଇଛି । ଏହି ଅବସରରେ ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଋଷ୍ୟଶୃଙ୍ଘ  ଆଦି ଚରିତ୍ର ସାହିରୁ ବାହାରି ପ୍ରଥମେ  ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରିବା ସହ ଆଜ୍ଞାମାଳ ପ୍ରାପ୍ତ ହୋଇଥିଲେ । ପରେ ଏହି ଚରିତ୍ରମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀରାମଜନ୍ମ ନୀତିରେ ସାମିଲ ହୋଇଥିଲେ । ସେଠାରୁ ଚରୁଅନ୍ନ ଆଣି ମା’ ଦକ୍ଷିଣକାଳୀଙ୍କୁ ଅର୍ପଣ କରାଯିବା ପରେ ରାମ ଲକ୍ଷ୍ମଣ ଆଦି ଚରିତ୍ରମାନେ ବନ୍ଧୁ ସାହି ମାଟିମଣ୍ଡପସାହିରେ ପରିକ୍ରମା କରିଥିଲେ । ଏହି ଅବସରରେ ବିଭିନ୍ନ ପଟୁଆର ସାହିଯାତରେ ସାମିଲ ହୋଇଥିଲା । 

ଶ୍ରୀମନ୍ଦିରର ରୀତିନୀତିକୁ ନେଇ ରାମ ନବମୀରେ ରାମଜନ୍ମଠାରୁ ରାମଙ୍କ ଅଭିଷେକ ପର୍ଯ୍ୟନ୍ତ ପୁରୀର ଆଠ ସାହି ୪୨  କନ୍ଦି ବୀରବାଦ୍ୟରେ କମ୍ପିବ। କାର୍ଯ୍ୟସୂଚୀ ଅନୁସାରେ କାଳିକାଦେବୀ ସାହି ପକ୍ଷରୁ ରାମଜନ୍ମ ନୀତି ଶେଷ ହେବା ପରେ ୭  ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞ ରକ୍ଷା ନୀତି ହେବ । ସେହି ଦିନ ମାଟିମଣ୍ଡପ ସାହିର ନିଶାଣ ଯାତ୍ରା ମଧ୍ୟ କରାଯିବ । ସେହିପରି ୨୨ ତାରିଖରେ ଗୌଡ଼ବାଡ଼ ସାହି ପକ୍ଷରୁ ରାମଙ୍କ ରାଜ୍ୟାଭିଷେକ ନୀତି କରାଯିବା ସହ ସାହିଯାତ ସମାପ୍ତି ହେବ ।