ବାଲେଶ୍ୱର, ୨୬/୦୫(ଅଜିତ୍ ମୁଖାର୍ଜୀ): ମୋବାଇଲ୍ ସ୍କ୍ରିନ୍ ଉପରେ ଘୂରି ବୁଲୁଛି ଆଙ୍ଗୁଠି । ରିଲ୍ସ ମାୟାରେ ବାୟା ଯୁବପିଢ଼ି । ପଢ଼ିବା ଅଭ୍ୟାସ କମିଗଲାଣି । ପ୍ରାଥମିକ ସ୍କୁଲ୍ର ପିଲା ଅକ୍ଷର ଚିହ୍ନିପାରୁ ନ ଥିବା ଅଭିଯୋଗ ହେଉଛି । ଡିଜିଟାଲ୍ ଯୁଗର ଏହି ଦୌଡ଼ରେ ବିତରକଙ୍କ ଗାଁ ‘ସାହାଦା’ ସୃଷ୍ଟି କରିଛି ଭିନ୍ନ ଧାରା । ଗାଁର ୩୦ ଖବରକାଗଜ ବିତରକ ଭୋର୍ରୁ ଘର ଘର ବୁଲି କେବଳ ଖବରକାଗଜ ପହଞ୍ଚାଉ ନାହାନ୍ତି ବରଂ ନୂଆ ପିଢ଼ିଙ୍କୁ ଖବର ସହ ଯୋଡ଼ି ରଖିବାର ଦାୟିତ୍ୱ ନେଇଛନ୍ତି । ସେମାନଙ୍କ ମିଳିତ ଉଦ୍ୟମରେ ବାଲେଶ୍ୱର ସହର ଓ ଉପକଣ୍ଠରେ ଶତାଧିକ ନୂଆ ପାଠକ ସୃଷ୍ଟି ହେଉଛନ୍ତି । ଖବରକାଗଜ ପ୍ରତି ଲୋକଙ୍କ ଭଲ ପାଇବା ବଢୁଛି ।
ବାଲେଶ୍ୱର ସହର ଉପକଣ୍ଠ ଗୁଡୁ ପଞ୍ଚାୟତର ଛୋଟିଆ ଗାଁ ‘ସାହାଦା’ । ପାଖାପାଖି ୧୦୦ ପରିବାର ରହନ୍ତି । ଏଠାରେ ଅଛନ୍ତି ୩୦ ଜଣ ଖବର କାଗଜ ବିତରକ । ରାତି ପ୍ରାୟ ୩ଟାରୁ ଚଳଚଞ୍ଚଳ ହୋଇଉଠେ ଗ୍ରାମ୍ୟ ପରିବେଶ । ସାଇକେଲ, ମୋପେଡ୍ ଧାଏଁ ଗାଁଠୁ ୭ କିମି ଦୂର ଷ୍ଟେସନ ଆଡ଼କୁ । ଖବରକାଗଜ ଉଠାଇବାକୁ ଆରମ୍ଭ ହୁଏ ପ୍ରତିଯୋଗିତା । ଖବରକାଗଜ ବାଣ୍ଟିବା, ବକେୟା ଅର୍ଥ ସଂଗ୍ରହ କରି ଫେରୁ ଫେରୁ ମୁଣ୍ଡ ଉପରକୁ ସୂର୍ଯ୍ୟ ଚାଲିଆସନ୍ତି । ତତଲା ଗ୍ରୀଷ୍ମ ହେଉ କି ହାଡ଼ଭଙ୍ଗା ଶୀତ ଅଥବା ଝଡ଼ବର୍ଷା ଏହି କାମ ରୁଟିନ୍ ବନ୍ଧା ଜୀବନର ଅଙ୍ଗ ପାଲଟିଛି । ପ୍ରାୟ ୫୦ ବର୍ଷ ହେଲା ଖବରକାଗଜ ବାଣ୍ଟିବାକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି ଏଠାକାର ବିତରକ ଭାଇମାନେ । ଅନେକଙ୍କ ତିନି ପିଢ଼ି ଏହି କାମ କରୁଥିବା ଦେଖିବାକୁ ମିଳିଛି ।
ବାଲେଶ୍ୱର ଖବରକାଗଜ ବିକ୍ରେତା ସଂଘ ସମ୍ପାଦକ ତଥା ସାହାଦା ବାସିନ୍ଦା ଅନିରୁଦ୍ଧ ଲେଙ୍କା କହିଛନ୍ତି, ଆମ ଅଞ୍ଚଳର ବାଞ୍ଛାନିଧି ରାଉତ, ଶିବ କୁଅଁର, କୃଷ୍ଣଚନ୍ଦ୍ର ରାଉତ ପ୍ରଥମେ ଏହି ବୃତ୍ତିକୁ ଆପଣାଇଥିଲେ । ସେ ବି ଦୀର୍ଘ ୩୦ ବର୍ଷ ହେଲା ଏହି ବୃତ୍ତି ସହ ଜଡ଼ିତ । ସନାତନ ରାଉତ, ଶ୍ରୀକାନ୍ତ କୁଅଁର, ରବୀନ୍ଦ୍ର ପ୍ରଧାନ, ସନାତନ ଲେଙ୍କା, ସୁକାନ୍ତ ଦାସ, ରବି କୁଅଁର, ମଧୁସୂଦନ ରାଉତ, ଅଜୟ କୁମାର ଲେଙ୍କା, କମଳଲୋଚନ ରାଉତ, ଅନୁକିଶୋର ରାଉତ, ମଙ୍ଗୁଳୁ ସିଂହ, ସୁଶାନ୍ତ ଦାସଙ୍କ ଭଳି ଅନେକ ଏହି କାମରେ ବର୍ଷ ବର୍ଷ ଧରି ନିୟୋଜିତ ଅଛନ୍ତି ।
ଏମାନଙ୍କ ମଧ୍ୟରେ ମାତ୍ର କେତେଜଣଙ୍କୁ ଛାଡ଼ିଲେ, ଅନେକ ସ୍ୱଳ୍ପ ଶିକ୍ଷିତ । କିନ୍ତୁ ନିଜ ସନ୍ତାନଙ୍କୁ ଖବରକାଗଜ ପଢ଼ିବା ଅଭ୍ୟାସ କରାଇବା ସହ ଉଚ୍ଚ ଶିକ୍ଷିତ କରିଥିବା ଦେଖାଯାଇଛି । ଖବରକାଗଜ ବିତରକ କୃଷ୍ଣଚନ୍ଦ୍ର ରାଉତଙ୍କ ପୁଅ ମୁମ୍ବାଇରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଛନ୍ତି । ଏହାଛଡ଼ା ଅନେକଙ୍କ ପୁଅଝିଅ ମଧ୍ୟ ଉଚ୍ଚ ଶିକ୍ଷିତ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ :- Poor Family Struggle : ଡିସେମ୍ଵର ମାସରେ ଘର ଜଳିଗଲା, ଯେଉଁଠି ଗୁହାରି କଲେ ବି ଲାଭ ହେଲାନି, ଶେଷରେ ଛେଳି ଗୁହାଳରେ ୮ ପ୍ରାଣୀ କୁଟୁମ୍ଵ
ହକର୍ସଙ୍କ ଅବଦାନ ସମ୍ପର୍କରେ ଶ୍ରୀ ଲେଙ୍କା କହିଛନ୍ତି, ଗାଁ ନିଦରେ ଶୋଇଥିବାବେଳେ ରାତି ପ୍ରାୟ ୩ଟାରେ ଆମକୁ ଉଠିବାକୁ ପଡ଼େ । ପରିବାରର ମହିଳାମାନେ ମଧ୍ୟ ଆମକୁ ଅନୁସରଣ କରନ୍ତି । ସେମାନେ ସ୍ନାନଶୌଚ ସାରି ରୋଷେଇ ଆରମ୍ଭ କରନ୍ତି । ଭୋର୍ରୁ କଂସାଏ ପଖାଳ ଖାଇ ରେଳଷ୍ଟେସନକୁ ବାହାରିବାକୁ ପଡ଼େ । ସେଠାରୁ ଖବରକାଗଜ ଉଠାଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥାଉ । ଖରା-ବର୍ଷା-ଶୀତ ଏହା ଆମ ଧରାବନ୍ଧା ଜୀବନ ପାଲଟିଛି । ଖବରକାଗଜ ଠିକଣା ସ୍ଥଳରେ ନ ପହଞ୍ଚିବା ଯାଏ ଫୁରସତ୍ ମିଳେନି । ଏହି କାମ ଆମକୁ ଅଧିକ ଦାୟିତ୍ୱବାନ୍ କରିଛି । ଏଭଳି ବୃତ୍ତିର ମର୍ଯ୍ୟାଦା ସ୍ୱତନ୍ତ୍ର । ଆମେ ଖବର ସହ ଯୋଡ଼ିହେଉ । ଲୋକଙ୍କୁ ମଧ୍ୟ ଯୋଡ଼ିରଖୁ । ଖବରକାଗଜ ସହ ଜଡ଼ିତ ଥିବାରୁ ଆମ ପରିବାର ସଦସ୍ୟ ଏବଂ ଗ୍ରାମବାସୀ ବେଶ୍ ସଚେତନ । ପରିବେଶ ସଫେଇ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ ଲୋକେ ସାମିଲ ହୁଅନ୍ତି । ପରିବାରର ସଦସ୍ୟଙ୍କ ସମାଜ ପ୍ରତି ଦାୟିତ୍ୱ ବଢ଼ିଛି । ଏହି ବୃତ୍ତି ଆମକୁ ପରିଚୟ ଦେଇଛି । ଆମ ପରପିଢ଼ି ମଧ୍ୟ ଏହି ରାସ୍ତାରେ ଯିବେ ବୋଲି ଆଶା ରଖିଛୁ ।
ସମ୍ପ୍ରତି ଛାପା ଗଣମାଧ୍ୟମ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଶ୍ରୀ ଲେଙ୍କା କହିଛନ୍ତି, କରୋନା ମହାମାରୀ ଖବରକାଗଜ ଶିଳ୍ପର ସ୍ଥିତିକୁ ସଙ୍କଟରେ ପକାଇଥିଲା । ବିତରକଙ୍କ ଉଦ୍ୟମରେ ଏଥିରେ ଅନେକ ସୁଧାର ଆସିଛି । ଲୋକେ ସକାଳୁ ଖବରକାଗଜ ଖୋଜିବା ଦେଖିଲେ ଖୁସି ଲାଗେ ।