ନୂଆଦିଲ୍ଲୀ,୨୨/୧୧; ଭାରତରେ ୩୦ ପ୍ରତିଶତ ମହିଳା ନିଜର ଅନ୍ତରଙ୍ଗ ସାଥୀ ବା ଜୀବନସାଥୀଙ୍କ ଦ୍ୱାରା ହିଂସାର ଶିକାର ହୋଇଥାନ୍ତି । ଅର୍ଥାତ ସେମାନେ ନିଜ ସ୍ୱାମୀଙ୍କ ଦ୍ୱାରା ଶାରୀରିକ, ମାନସିକ, ଆର୍ଥିକ ଓ ଯୌନ ନିର୍ଯାତନା ଭୋଗିଥାନ୍ତି । ୧୫ ବର୍ଷରୁ ୪୯ ବର୍ଷର ପ୍ରତି ୫ ଜଣରେ ଜଣେ ମହିଳା ଏଭଳି ହିଂସାର ଶିକାର ହୋଇଥାନ୍ତି । ଏଭଳି ଭାବେ ଦେଖିଲେ ବିଶ୍ୱରେ ପ୍ରାୟ ୮୪ କୋଟିରୁ ଅଧିକ ମହିଳା ଜୀବନରେ କେବେ ନା କେବେ ଜୀବନ ସାଥୀଙ୍କ ଦ୍ୱାରା ଯୌନ ନିର୍ଯାତନା ଭୋଗିଥାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏକଥା ଜଣାପଡିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ୨୦୦୦- ୨୦୨୩ ମଧ୍ୟରେ ୧୬୮ଟି ଦେଶକୁ ନେଇ ସର୍ଭେ କରିବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଆସନ୍ତା ନଭେମ୍ବର ୨୫ ଆନ୍ତର୍ଜାତିକ ମହିଳା ବିରୋଧୀ ହିଂସା ନିବାରଣ ଦିବସ (ଇଣ୍ଟରନ୍ୟାସନାଲ ଡେ ଫର ଏଲିମିନେସନ ଅଫ୍ ଭାୟୋଲେନ୍ସ ଏଗେନଷ୍ଟ ୱିମେନ) ପୂର୍ବରୁ ଏହି ରିପୋର୍ଟ ଜାରି କରାଯାଇଛି । ଏହି ୨୩ ବର୍ଷ ଭିତରେ ମହିଳାଙ୍କ ବିରୋଧରେ ହେଉଥିବା ହିଂସା ହ୍ରାସ କରିବାକୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ୨୦୩୦ ସୁଦ୍ଧା ମହିଳା ବିରୋଧୀ ହିଂସା ସମାପ୍ତ କରିବା ଲାଗି ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ହାସଲ କରିବା କଷ୍ଟକର ହୋଇପଡିବ । ଜୀବନସାଥୀ କିମ୍ବା ସ୍ୱାମୀଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କ କଥା ଯଦି ଦେଖାଯିବ ତେବେ ବିଶ୍ୱରେ ୧୫ରୁ ୪୯ ବର୍ଷ ବୟସ୍କ ୮.୪ ପ୍ରତିଶତ ମହିଳା ଅନ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି । ଭାରତରେ ଏହା ୪ ପ୍ରତିଶତ ରହିଛି ।

୨୦୨୨ରେ ଗ୍ଲୋବାଲ ଡେଭେଲପମେଣ୍ଟ ରିଲିଫ ଫଣ୍ଡରୁ ମାତ୍ର ୦.୨ ପ୍ରତିଶତ ଅର୍ଥ ମହିଳା ବିରୋଧୀ ହିଂସା ରୋକିବା କାର୍ଯ୍ୟକ୍ରମ ଲାଗି ଆବଣ୍ଟନ କରାଯାଇଛି । ୨୦୨୫ରେ ଏହି ଅର୍ଥ ଆହୁରି କମ୍ ହୋଇଛି । କିନ୍ତୁ ଏହି ସମୟ ସୀମା ଭିତରେ ମାନବୀୟ ସଙ୍କଟ, ଯୁଦ୍ଧ ଓ ଜଳବାୟୁ ପରିବର୍ତ୍ତନ ଭଳି ବିପଦ ମହିଳାଙ୍କ ବିରୋଧରେ ହିଂସାକୁ ଆହୁରି ବୃଦ୍ଧି କରିଛି । ରିପୋର୍ଟରୁ ଜଣାପଡିଛି ଯେ ହିଂସା ପ୍ରଭାବିତ ମହିଳାଙ୍କୁ ଅସମୟରେ ଗର୍ଭଧାରଣ କରିବା, ଯୌନରୋଗରେ ପୀଡିତ ହେବା ଓ ମାନସିକ ଅବସାଦର ଶିକାର ହେବା ଭଳି ସମସ୍ୟାର ସାମ୍ନା କରିବାକୁ ପଡିଛି । ମହିଳା ବିରୋଧୀ ହିଂସା ସବୁ ଦେଶରେ ଘଟୁଛି । କିନ୍ତୁ କମ୍ ବିକଶିତ ଦେଶ, ସମ୍ବେଦନଶୀଳ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହେଉଥିବା ଦେଶମାନଙ୍କରେ ମହିଳାମାନେ ଅଧିକ ହିଂସାର ସାମ୍ନା କରିଥାନ୍ତି ।

ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଅଧନୋମ ଘେବ୍ରେୟେସସ୍ କହିଛନ୍ତି ମହିଳା ବିରୋଧୀ ହିଂସା ମନୁଷ୍ୟର ସବୁଠାରୁ ପୁରୁଣା ତଥା ବଡ ଅନ୍ୟାୟ ମଧ୍ୟରୁ ଅନ୍ୟତମ । ଯେଉଁ ସମାଜର ଅଧା ଲୋକ ଭୟରେ ଜୀବନ ଜୀଇଁଥାନ୍ତି ତାହାକୁ ନିରପେକ୍ଷ, ସୁରକ୍ଷିତ ତଥା ସୁସ୍ଥ ସମାଜ ବୋଲି କୁହାଯାଇପାରିବ ନାହିଁ । ଏହା ସମ୍ମାନ, ସମାନତା ଓ ମାନବାଧିକାର ସହ ଜଡିତ ମାମଲା । ପ୍ରତିଟି ସଂଖ୍ୟା ପଛରେ ଜଣେ ମହିଳା କିମ୍ବା ଯୁବତୀ ଅଛନ୍ତି, ଯାହାଙ୍କ ଜୀବନ ସବୁଦିନ ପାଇଁ ବଦଳି ଯାଇଛି । ମହିଳା ଓ ଯୁବତୀଙ୍କୁ ସଶକ୍ତ କରିବା ଇଚ୍ଛାଧୀନ ନୁହେଁ, ବରଂ ଏହା ଶାନ୍ତି, ବିକାଶ ଓ ସୁସ୍ଥ ସମାଜ ପାଇଁ ଏକ ଜରୁରି ସର୍ତ୍ତ । ମହିଳାଙ୍କ ପାଇଁ ଦୁନିଆ ସୁରକ୍ଷିତ ରହିଲେ ତାହା ସମସ୍ତଙ୍କ ପାଇଁ ସୁରକ୍ଷିତ ରହିପାରିବ ବୋଲି ସେ କହିଛନ୍ତି ।