ଭୁବନେଶ୍ୱର ୨୨/୦୪:  ବିଶ୍ୱ ମୁଖ ସ୍ୱାସ୍ଥ୍ୟ ମାସ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ରୁ୍ୟଟ୍‌ ଅଫ୍‌ ଡେଂଟାଲ୍‌ ସାଇନ୍‌ସେସ୍‌ (ଆଇଡିଏସ୍‌) ପକ୍ଷରୁ ପ୍ରାୟ ୧୯ଟି ସ୍କ୍ରିନିଂ ଓ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ବିଭିନ୍ନ ଅଂଚଳରୁ ପ୍ରାୟ ୧୧୫୩ ବ୍ୟକ୍ତିବିଶେଷ ଉପକୃତ ହୋଇଥିଲେ। 

ଏକ ମାସ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨୦ ତାରିଖରେ ଆରମ୍ଭ ହୋଇଥିଲା। ଯେଉଁଥିରେ କି ବିଭିନ୍ନ ସଚେତନମୂଳକ ଏବଂ ଶୈକ୍ଷିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନ୍ୟାସ୍‌ନାଲ୍‌ ଓରାଲ ହେଲ୍‌ଥ ପ୍ରୋଗ୍ରାମର ଇନ୍‌ଚାର୍ଜ ଡକ୍ଟର ଜୀବନ୍ତ ଆଚାର୍ଯ୍ୟ ଏବଂ ଆଇଡିଏସ୍‌ର ଡିନ୍‌ ପ୍ରଫେସର (ଡକ୍ଟର) ରୁଚି ଭୂୟାଂ ବକ୍ତବ୍ୟ ରଖିଥିଲେ। 

ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ମେମ୍ବର୍ସ, ଇନ୍‌ଟର୍ଣ୍ଣ ଏବଂ କର୍ମଚାରୀ ମାନେ ଏପ୍ରିଲ ୬ ତାରିଖ ଦିନ ଭୁବନେଶ୍ୱର ଆନନ୍ଦବନ ପର୍ଯ୍ୟନ୍ତ ଏକ ୱାକାଥନ୍‌ର ଆୟୋଜନ କରିଥିଲେ। ସେହିପରି ଏପ୍ରିଲ୍‌ ୧୮ ତାରିଖ ଦିନ ସିଆପିଏଫ୍‌ କ୍ୟାମ୍ପସ୍‌ରେ ଏକ ସ୍କିନିଂ ଓ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା ଯେଉଁଠାରେ ୧୨୦ ଜଣ ରୋଗୀ ପରୀକ୍ଷା ଓ ଚିକିତ୍ସା କରାଇଥିଲେ । 

ଆଇଡିଏସ୍‌ ପକ୍ଷରୁ ୩ଟି କଂଟିନୁଇଙ୍ଗ ଡେଂଟାଲ ଏଜୁକେସନ୍‌ (ସିଡିଇ) ପ୍ରୋଗ୍ରାମ ଏବଂ ୱେବିନାର ଆୟୋଜନ କରାଯିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୋଷ୍ଟର ପ୍ରସ୍ତୁତି, ବକ୍ତୃତା ଏବଂ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏପ୍ରିଲ୍‌ ୧୯ ତାରିଖ ଦିନ ଆୟୋଜିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଆଡିସ୍‌ନାଲ୍‌ ଡାଇରେକ୍‌ଟର ଅଫ୍‌ ମେଡିକାଲ୍‌ ଏଜୁକେସନ୍‌ ଡକ୍ଟର ବ୍ରଜ କିଶୋର ଦାଶ ଏବଂ ପ୍ରଫେସର (ଡାକ୍ତର) ଭୂୟାଁ ଉପସ୍ଥିତ ଥିଲେ।