ଭୁବନେଶ୍ୱର,୧୪/୦୩: ପାରା ଜାଭେଲିନ ଫିଙ୍ଗାଳି ସୁଚିତ୍ରା ପରିଡ଼ା ଦିଲ୍ଲୀରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଗ୍ରାଁପ୍ରିରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଗତକାଲି ମହିଳା ୧୦୦ ମିଟରରେ ଜୟନ୍ତୀ ବେହେରା  ବ୍ରୋଞ୍ଜ ପଦକ ପାଇଥିଲେ । ଦୁଇ ଦିନରେ ଓଡ଼ିଶାକୁ  ୨ଟି ପଦକ ମିଳିଛି।

ସୁଚିତ୍ରା ମହିଳା ଏଫ୍‌-୫୫ ବର୍ଗର  ଜାଭେଲିନ ଥ୍ରୋରେ ଭାଗ ନେଇଥିଲେ । ସେ  ୧୫.୯୩ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ  ଜିତିଥିଲେ । ସେହିପରି କାଜାଖସ୍ତାନର  ଭିକ୍ଟୋରିଆ ଭୋରୋବେ (୧୪.୬୪ ମିଟର)  ରୌପ୍ୟ ଏବଂ ପୂଜା (୧୩.୮୧ ମିଟର) ବ୍ରୋଞ୍ଜ  ପଦକ ପାଇଥିଲେ ।

ସ୍ୱର୍ଣ୍ଣ ପଦକକୁ ସୁଚିତ୍ରା ନିଜର କୋଚ,  ସାଥୀ ଖେଳାଳି ଏବଂ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ  ସମର୍ପିତ କରିଛନ୍ତି । ଓଡ଼ିଶା ପାରା କ୍ରୀଡ଼ା ସଂଘ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି । ଚଳିତ  ବର୍ଷ ସେ ଚେନ୍ନାଇରେ ଆୟୋଜିତ ୨୩ତମ  ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ନୂଆ ଜାତୀୟ ରେକର୍ଡ (୧୮.୭୯) ସହ ସ୍ୱର୍ଣ୍ଣ  ଜିତିଥିଲେ । ସେ ୨୦୨୪ରେ ଜାତୀୟ ରେକର୍ଡ  (୧୬.୯୯) କରିଥିଲେ । ନିଜ ରେକର୍ଡ ସୁଚିତ୍ରା  ନିଜେ ଏଥର ଭଙ୍ଗ କରିବାରେ ସଫଳ ହୋଇଥିଲେ ।  

ଗତବର୍ଷ ଜୟନ୍ତୀ ଇଣ୍ଡିଆନ ଓପନ ପାରା  ଆଥଲେଟିକ୍ସ ଇଣ୍ଟରନ୍ୟାସନାଲ ଚାମ୍ପିଅନସିପ୍‌ରେ  ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ଏବଂ ସଟପୁଟ ଥ୍ରୋରେ  ବ୍ରୋଞ୍ଜ ଜିତିଥିଲେ । ୨୦୨୩ରେ ଥାଇଲାଣ୍ଡରେ  ଆୟୋଜିତ ୱାର୍ଲ୍ଡ ଏବିଲିଟିସ୍ପୋର୍ଟ୍ସ ଗେମ୍‌ସରେ  ଜାଭେଲିନରେ ସ୍ୱର୍ଣ୍ଣ ଓ ସଟପୁଟରେ ବ୍ରୋଞ୍ଜ ପଦକ  ପାଇଥିଲେ ।  

ଜୟନ୍ତୀ ମହିଳା ଟି-୪୭ ବର୍ଗର  ୧୦୦ ମିଟରରେ ନିର୍ଦ୍ଧାରିତ ଦୂରତାକୁ ୧୩.୬୨  ସେକେଣ୍ଡ ନେଇ ତୃତୀୟ ସ୍ଥାନ ହାସଲ କରିଥିଲେ ।  ଏ.ସୋଲୋଭେଭା ୧୨.୫୫ ସେକେଣ୍ଡ ସହ ସ୍ୱର୍ଣ୍ଣ  ଏବଂ ଜାନନୀ ୱିକରାମସିଂହା ୧୩.୨୫ ସେକେଣ୍ଡ  ସହ ରୌପ୍ୟ ଜିତିଥିଲେ ।