କଟକ,୦୯/୧୦: ବିଶ୍ୱ ଡାକ ଦିବସ । ଲୋକଙ୍କୁ ଡାକ ସେବାର ଭୂମିକା ସମ୍ପର୍କରେ ସଚେତନ କରିବା ସହ ବିଶ୍ୱରେ ସାମାଜିକ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଡାକ ସେବାର ଅବଦାନ ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିୟନ୍ ଦ୍ୱାରା ପ୍ରତିବର୍ଷ ଅକ୍ଟୋବର ୯ ତାରିଖରେ ଏହି ଦିବସ ପାଳନ କରାଯିବ ବୋଲି ପରକଳ୍ପନା କରାଯାଇଥିଲା । ଦେଶରେ ବ୍ରିଟିସ୍ ଅମଳରୁ ଚାଲି ଆସୁଥିବା ଏହି ସେବା ସମୟ ସହିତ ପରିବର୍ତ୍ତନ ହେବା ସହ ଡିଜିଟାଇଜେସନ୍ ହୋଇଛି । ବ୍ୟାଙ୍କ୍ ସହ ତାଳ ଦେଇ ଡାକ ବିଭାଗରେ ବିଭିନ୍ନ ନୂଆ ଯୋଜନା ମଧ୍ୟ ପ୍ରଣୟନ କରାଯାଉଛି । ତେବେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାର ଡାକ ସେବା ପଶ୍ଚିମବଙ୍ଗ ଏବଂ ବିହାର ଡାକ ସର୍କଲର ଏକ ଅଂଶ ଥିବା ବେଳେ ୧୯୪୯ ମସିହାରେ ଓଡ଼ିଶା ସ୍ୱାଧୀନ ଡାକ ସଂସ୍ଥା ହେବା ପରେ କଟକ ସ୍ଥିତ ବକ୍ସିବଜାରରେ ସାଧାରଣ ଡାକ କାର୍ଯ୍ୟାଳୟ(ଜିପିଓ) ନାଁରେ ଡାକ ସେବାର ମୁଖ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଯାହା ଆଜି ପର୍ଯ୍ୟନ୍ତ ଦୀର୍ଘ ୭୬ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛି ।
ଦିନ ଥିଲା ଯେତେବେଳେ ମୋବାଇଲ୍ କିମ୍ବା ଇଣ୍ଟରନେଟ୍ର ସୁବିଧା ନଥିଲା, ସେତେବେଳେ ଲୋକଙ୍କ ଭାବ ଆଦାନପ୍ରଦାନ ଏବଂ ଯୋଗାଯୋଗର ମୁଖ୍ୟ ଏବଂ ଏକମାତ୍ର ମାଧ୍ୟମ ଥିଲା ଡାକ । ଏହା ଦ୍ୱାରା ଦେଶ ବିଦେଶରେ ଥିବା ଲୋକେ ନିଜ ସମ୍ପର୍କୀୟଙ୍କ ନିକଟକୁ ଚିଠି ଲେଖି ଡାକ ମାଧ୍ୟମରେ ପଠାଉଥିଲେ । ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ପୋଷ୍ଟ ଅଫିସ୍ର ପୋଷ୍ଟମ୍ୟାନ୍ ଏହି ଚିଠି ଲୋକଙ୍କ ଘରେ ପହଞ୍ଚାଉଥିଲେ । ଏପରିକି ଘର ବାହାରେ ଥିବା ଲୋକଙ୍କ ସହ ଯୋଗାଯୋଗ ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଚିଠି ଆସିବା ପାଇଁ ଲୋକେ ମାସ ମାସ ଧରି ଅପେକ୍ଷା ମଧ୍ୟ କରୁଥିଲେ । କିନ୍ତୁ ସେ ସମୟ ବଦଳି ଯାଇଛି । ମୋବାଇଲ୍ ଏବଂ ଇଣ୍ଟରନେଟ୍ ଯୁଗରେ ଡାକରେ ଚିଠି ପଠାଇବାର ଗୁରୁତ୍ୱ କମି ଯାଇଥିବା ବେଳେ ଡାକ ବିଭାଗରେ ଡିଜିଟାଲ୍ କାରବାର ଅଧିକ ବଢ଼ିଥିବା ଲକ୍ଷ୍ୟ କରାଯାଉଛି । ଏହି କ୍ରମରେ ଓଡିଶା ତଥା କଟକର ସର୍ବପୁରାତନ ଡାକ ମୁଖ୍ୟାଳୟ ଭାବେ ବକ୍ସିବଜାରର ସାଧାରଣ ଡାକ କାର୍ଯ୍ୟାଳୟର(ଜିପିଓ) କାର୍ଯ୍ୟଧାରା ବଦଳିବା ସହ ସରକାରଙ୍କ ନୂଆ ଯୋଜନାଗୁଡ଼ିକ ପ୍ରଣୟନ କରାଯାଇଛି । ବିଶେଷକରି ଦେଶରେ ଆଧାର ପରିଚୟ ପତ୍ର କାର୍ଯ୍ୟକାରୀ ହେବା ପରେ ଜିପିଓର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।
୨୦୧୭ ମସିହାରୁ ଏଠାରେ ଆଧାର ପଞ୍ଜୀକରଣ କେନ୍ଦ୍ର ଖୋଲାଯିବା ସହ ନୂଆ ଆଧାର କାର୍ଡଠାରୁ ଆରମ୍ଭ କରି ଆଧାର ସଂଶୋଧନ ଏବଂ ବାୟୋମେଟ୍ରିକ୍ ଅପଡେଟ୍ ପରି କାର୍ଯ୍ୟ କରିବା ପାଇଁ ପ୍ରତିଦିନ ଶତାଧିକ ଲୋକ ଆସୁଛନ୍ତି । ସେହିପରି ପୂର୍ବରୁ ପାସପୋର୍ଟ ତିଆରି ପାଇଁ ଲୋକେ ଭୁବନେଶ୍ୱର ଯାଉଥିବା ବେଳେ ଏହି ସେବା ଏବେ ଜିପିଓରେ ଉପଲବ୍ଧ ହେଉଛି । ନୂଆ ପାସପୋର୍ଟ ସହ ନବୀକରଣ ମଧ୍ୟ କରାଯାଉଛି । କଟକ ଜିଲ୍ଲାରେ କେବଳ ଜିପିଓରେ ଏହି ସେବା ଥିବାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଲୋକେ ଆସି ପାସପୋର୍ଟ କରୁଛନ୍ତି । ଏଥିସହ ଚଳିତବର୍ଷ ମେ’ ମାସରୁ ଜିପିଓରେ ଜ୍ଞାନ ପୋଷ୍ଟ୍ ଆରମ୍ଭ ହୋଇଛି । ଏହା ଦ୍ୱାରା ବିଭିନ୍ନ ଶିକ୍ଷଣୀୟ ପୁସ୍ତକ ପଠାଇବାର ବ୍ୟବସ୍ଥା ରହିଛି । ଏଥିସହ ବିଭିନ୍ନ ଆର୍ଥିକ ସେବା ସ୍କିମ୍ ସହ ୫ ବର୍ଷିଆ ଫିକ୍ସ ଡିପୋଜିଟ୍ ସ୍କିମ୍ ଏବଂ ମାସିକିଆ ଆୟ ଯୋଜନା ମଧ୍ୟ ରହିଛି ।
ସେହିପରି ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ସହ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାରେ ମିଳୁଥିବା ଆର୍ଥିକ ସହାୟତା ହିତାଧିକାରୀମାନେ ଡାକ ସେବାରୁ ପାଇ ପାରୁଛନ୍ତି । ସେହିପରି ଗ୍ରାହକଙ୍କ ଅଭିଯୋଗ ଗ୍ରହଣ କରି ସମାଧାନ କରିବାକୁ ଗ୍ରାହକ ସେବାକେନ୍ଦ୍ର ରହିଛି । ଏପରି ଭାବେ ଡାକ ସେବାର କାର୍ଯ୍ୟଧାରା ବଦଳିବା ସହ ବ୍ୟାଙ୍କ୍ ପରି ଅଧିକରୁ ଅଧିକ ଗ୍ରାହକ ଏବେ ଡାକ ସେବା ସହ ଯୋଡ଼ି ହେଉଛନ୍ତି । ଏହି କ୍ରମରେ ବକ୍ସିବଜାର ଜିପିଓ ସହ ଏବେ ୫ଲକ୍ଷରୁ ଅଧିକ ଗ୍ରାହକ ଯୋଡ଼ି ହୋଇ ରହିଥିବା ଜିପିଓର ବରିଷ୍ଠ ଡାକପାଳ ଅସିତ କୁମାର ନାୟକ କହିଛନ୍ତି ।