ନୂଆଦିଲ୍ଲୀ: ନ୍ୟୁୟର୍କର ଓ୍ବାଲଷ୍ଟ୍ରିଟ୍‌ରେ ଆୟୋଜିତ ଇଣ୍ଟରନ୍ୟାସନାଲ ଚେସ୍ ଫେଡରେସନ (ଫିଡେ) ବିଶ୍ୱ ରାପିଡ୍ ଏବଂ ବ୍ଲିଟଜ୍ ଚାମ୍ପିଅନଶିପ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନରେ ବହୁ ବଡ଼ ଖବର ସାମ୍ନାକୁ ଆସିଛି । ପାଞ୍ଚ ଥରର ବିଶ୍ୱ ଚେସ୍ ଚାମ୍ପିଅନ ମାଗନସ୍ କାର୍ଲସେନଙ୍କୁ ଡ୍ରେସ୍ କୋଡ୍ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଛି । ସେପଟେ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଚେସ୍‌ ପ୍ଳେୟାର ବଡ଼ ଅଗ୍ରଣୀ ହାସଲ କରିଛନ୍ତି । ଓପନ ବର୍ଗରେ ଅର୍ଜୁନ ଏର୍ଗାଇସି ଏବଂ ମହିଳା ବର୍ଗରେ କୋନେରୋ ହମ୍ପି ଏବଂ ହାରିକା ଡ୍ରୋନାଭଲି ଦବଦବା ଜାହିର କରିଛନ୍ତି । ଅର୍ଜୁନ ରାଉଣ୍ଡ ୯ରେ ଏବଂ କୋନେରୋ ଏବଂ ହାରିକା ମହିଳା ବର୍ଗର ରାଉଣ୍ଡ ୮ରେ ଯୁଗ୍ମ ଭାବରେ ଆଗରେ ରହିଛନ୍ତି । 

ବିଶ୍ୱ ରାପିଡ୍ ଏବଂ ବ୍ଲିଟଜ୍ ଚାମ୍ପିଅନଶିପ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନରେ  ମାଗନସ୍ କାର୍ଲସେନଙ୍କୁ ଡ୍ରେସ୍ କୋଡ୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଡ୍ରେସ୍‌ କୋଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ଫିଡେ ଟୁର୍ଣ୍ଣାମେଣ୍ଟରୁ ବିଦା ହେବାକୁ ପଡ଼ିଛି ।  ଜିନ୍ସ ପିନ୍ଧିବା କାରଣରୁ କାର୍ଲସେନଙ୍କୁ ପ୍ରଥମେ ୨୦୦ ଡଲାର ଜରିମାନା ଲଗାଯାଇଥିଲା । ଏହାପରେ ତୁରନ୍ତ ପୋଷାକ ବଦଳାଇ ଆସିବା ପାଇଁ କୁହାଯାଇଥିଲା । କିନ୍ତୁ ସେ ଅଧିକାରୀଙ୍କ ଏହି ଅନୁରୋଧ ରଖିନଥିଲେ । ପରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସହ ଟୁର୍ଣ୍ଣାମେଣ୍ଟର ୯ମ ରାଉଣ୍ଡରୁ ବାହାର କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ମାଗନସ୍ କାର୍ଲସେନ ଏହି ଟୁର୍ଣ୍ଣାମେଣ୍ଟର ଡିଫେଣ୍ଡିଂ ଚାମ୍ପିଅନ ।

ଫିଡେ ଏକ୍ସରେ ଏନେଇ ଏକ ପୋଷ୍ଟ କରିଛି । ପୋଷ୍ଟରେ ଲେଖା ଅଛି, ଆଜି କାର୍ଲସେନ ଜିନ୍ସ ପିନ୍ଧି ଡ୍ରେସ୍ କୋଡର ଉଲ୍ଲଂଘନ କରିଛନ୍ତି । ଯାହା ଆୟୋଜନର ଦୀର୍ଘ ବର୍ଷରୁ ଚାଲିଆସିଥିବା ନିୟମର ଉଲ୍ଲଂଘନ । ଟୁର୍ଣ୍ଣାମେଣ୍ଟର ମୁଖ୍ୟ ନିଷ୍ପତ୍ତିକର୍ତ୍ତା କାର୍ଲସେନଙ୍କୁ ଏହି ଉଲ୍ଲଂଘନ ବାବଦରେ ସୂଚିତ କରିଥିଲେ । ୨୦୦ ଆମେରିକୀୟ ଡଲାରର ଜରିମାନା ଲଗାଯାଇଥିଲା ଏବଂ ପୋଷାକ ବଦଳାଇବା ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ସେ ଏହି ଅନୁରୋଧକୁ ଆଗ୍ରାହ୍ୟ କରିଥିଲେ । ଯେଉଁଥିପାଇଁ ତାଙ୍କୁ ନବମ ରାଉଣ୍ଡ ପାଇଁ ଅଯୋଗ୍ୟ ବିବେଚିତ କରାଯାଇଛି । ଏହି ନିୟମ ସବୁ ଖେଳାଳିଙ୍କ ଉପରେ ବିନା କୌଣସି ଭେଦଭାବରେ ଲାଗୁ ହେଉଛି । 

ଫିଡେ ଦ୍ୱାରା ଜାରି ବୟାନରେ ଇଆନ୍ ନେପୋମନିଚିଚିଙ୍କ ଉଦାହରଣ ଦିଆଯାଇଛି । ଇଆନ୍ ଫର୍ମାଲ ଜୋତା ବଦଳରେ ସ୍ଫୋର୍ଟ୍ସ ଜୋତା ପିନ୍ଧି ଡ୍ରେସ୍ କୋଡ୍ ଉଲ୍ଲଂଘନ କରିଥିଲେ । ତାଙ୍କୁ ବି ସମାନ ଅନୁରୋଧ କରାଯାଇଥିଲା । ସେ ନିଜ ଜୋତା ବଦଳାଇବା ପରେ ତାଙ୍କୁ ଖେଳିବା ପାଇଁ ଅନୁମତି ଦିଆଯାଇଥିଲା । ସେପଟେ ଅଯୋଗ୍ୟ ଘୋଷଣା ହେବା ପରେ କାର୍ଲସେନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।   ସେ ଫିଡେର ଏହି ନିୟମରେ ଅତିଷ୍ଠ ହୋଇପଡ଼ିଥିବା କହିଛନ୍ତି । ଏପରିକି ଫିଡେ ସହ ସଂପର୍କ ରଖିବାକୁ ଚାହୁଁନଥିବା କହିଛନ୍ତି ମାଗନସ୍ କାର୍ଲସେନ ।