ଭୁବନେଶ୍ୱର ୦୧/୦୪: ଭାରତୀୟ ଲୋକସଂଖ୍ୟାର ୪୦ ପ୍ରତିଶତ ବ୍ୟକ୍ତିଙ୍କ ଶରୀରରେ ଟ୍ୟୁବର କ୍ୟୁଲୋସିସ୍‌ ବା ଯକ୍ଷ୍ମା ରୋଗର ଜୀବାଣୁ ରହିଛି। ଯଦିଓ ସେମାନଙ୍କର ମାଇକ୍ରୋ ବାୟୋଲଜିକାଲ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ ଦର୍ଶାଇଥାଏ। ଏହା ସତ୍ୱେ ମଧ୍ୟ ଏହି ୪୦ ପ୍ରତିଶତ ବ୍ୟକ୍ତି ଟିବି ଜୀବାଣୁ ଦ୍ୱାରା ସଂକ୍ରମିତ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି । 

ଯଦିଓ ସେମାନେ ଏହି ଜୀବାଣୁ ବହନ କରିଥାନ୍ତି ତଥାପି ଏହି ବ୍ୟାଧିଜନିତ ସମସ୍ୟା ପ୍ରାଥମିକ ସ୍ତରରେ ଦେଖାଦେଇ ନଥାଏ ଏବଂ ପରବର୍ତୀ ସମୟରେ ଏହି ରୋଗ ପ୍ରାୟ ୧୦ ପ୍ରତିଶତ ଲୋକଙ୍କ ଠାରେ ସମସ୍ୟା ସୃଷ୍ଟି କରିଥାଏ । ତେବେ ଏହି ଲକ୍ଷଣବିହୀନ ଟିବି ରୋଗୀ ମାନେ ଏହି ରୋଗକୁ ଅଧିକ ସଂକ୍ରମିତ କରିଥାନ୍ତି ବୋଲି କହିଛନ୍ତି ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ୍‌ କଲେଜ ଏବଂ ହସ୍ପିଟାଲର ପ୍ରଫେସର (ଡାକ୍ତର) ସୁଦର୍ଶନ ପୋଥାଳ । 

ପ୍ରଫେସର ପୋଥାଳ କହିଛନ୍ତି ଯେକୌଣସି ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ହସ୍ପିଟାଲ୍‌କୁ ଆସୁଥିବା ପ୍ରତ୍ୟେକ ରୋଗୀଙ୍କର ସ୍କ୍ରିନିଂ ଦ୍ୱାରା ଟ୍ୟୁବରକ୍ୟୁଲୋସିସ୍‌ ପରୀକ୍ଷଣ କରାଯିବାର ଆବଶ୍ୟକତା ରହିଛି । ପୋର୍ଟେବଲ ଏକ୍ସ-ରେ ମେସିନ୍‌ ଦ୍ୱାରା ଏହି ପରୀକ୍ଷା କରାଯାଇ ପାରିବ ବୋଲି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ ପକ୍ଷରୁ ବିଶ୍ୱ ଟିବି ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ପ୍ରଫେସର ପୋଥାଳ । ଟିବି ଜୀବାଣୁ ଶରୀରରେ ଧାରଣ କରି ନୀରବରେ ସଂକ୍ରମିତ କରୁଥିବା ବ୍ୟକ୍ତିମାନଙ୍କର ସ୍କ୍ରିନିଂ ଦ୍ୱାରା ହିଁ ଅଧିକ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ସେ କହିଛନ୍ତି । 

ପ୍ରଫେସର ପୋଥାଳ କହିଛନ୍ତି ଯେ ଟିବିର ମୁକାବିଲା କରିବା ପାଇଁ ନୂତନ ବିପାମ (ବିପିଏଏଲ୍‌ଏମ୍‌) ଚିକିତ୍ସା ଖୁବ୍‌ ସୁରକ୍ଷିତ ଏବଂ ଫଳପ୍ରଦ ଅଟେ । ଏହା ଦ୍ୱାରା ଖୁବ୍‌ ଶୀଘ୍ର ଚିକିତ୍ସା ସମ୍ଭବ ହୋଇପାରେ ବୋଲି ସେ କହିଛନ୍ତି । ଏହି ନୂଆ ରେଜିମେନ୍‌ ୪ଟି ଔଷଧ ଯଥାକ୍ରମେ ବେଡାକୁଇଲାଇନ୍‌, ପ୍ରେଟୋମାନିଡ୍‌, ଲିନେଜୋଲିଡ ଏବଂ ମୋକ୍ସିଫ୍ଲୋକ୍ସାସିନ୍‌ ର ସମ୍ମିଳନ ଯାହା କି ୯୪ ପ୍ରତିଶତ ସଫଳ ଚିକିତ୍ସା ପ୍ରଦାନ କରିପାରିବ ବୋଲି ସେ କହିଛନ୍ତି । ଏହି ନୂତନ ଚିକିତ୍ସା ୨୬ ରୁ ୩୮ ସପ୍ତାହ ମଧ୍ୟରେ କରାଯାଇପାରିବ ବୋଲି ସେ କହିଛନ୍ତି । 

ଏହି କାର୍ଯ୍ୟକ୍ରମରେ ଗୁରୁଗ୍ରାମ ସ୍ଥିତ ମେଦାନ୍ତ-ଦ ମେଡ୍‌ସିଟିର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚେଷ୍ଟ ସର୍ଜରୀ, ଚେଷ୍ଟ ଅଙ୍କୋ ସର୍ଜରୀ ଆଣ୍ଡ ଲଙ୍ଗ ଟ୍ରାନ୍ସପ୍ଲାନ୍‌ଟେସନର କନ୍‌ସଲ୍‌ଟାଂଟ ଥୋରାସିକ୍‌ ସର୍ଜନ ଡାକ୍ତର ମୋହନ ଭେଙ୍କଟେଶ ପୁଲେ, ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଓ ରେସ୍ପିରେଟୋରୀ ମେଡିସିନ୍‌ ବିଭାଗର ମୁଖ୍ୟ ତଥା ଓଡ଼ିଶା ଚେଷ୍ଟ ସୋସାଇଟିର ସଭାପତି ପ୍ରଫେସର (ଡାକ୍ତର) ବନାନୀ ଜେନା ବକ୍ତବ୍ୟ ରଖିଥିଲେ । 

ଡାକ୍ତର ପୁଲେ କହିଥିଲେ ଯେ ୧୯୪୦ ମସିହା ପୂର୍ବରୁ ଯକ୍ଷ୍ମା ରୋଗର ଚିକିତ୍ସା କେବଳ ଶଲ୍ୟ ଚିକିତ୍ସକମାନେ ହିଁ କରୁଥିଲେ କାରଣ ଶଲ୍ୟ ଚିକିତ୍ସା ହିଁ ଏକମାତ୍ର ପନ୍ଥା ଥିଲା । ତେବେ ୧୦୦ ବର୍ଷ ମଧ୍ୟରେ ଯକ୍ଷ୍ମା ରୋଗର ଏହି ଚିକିତ୍ସା ପଦ୍ଧତି ହିଁ ଥୋରାସିକ୍‌ ସର୍ଜରୀରେ ଅନେକ ଉନ୍ନତି ଆଣିପାରିଛି ବୋଲି ସେ କହିଥିଲେ । 

ଏହି ଅବସରରେ ପ୍ରଫେସର (ଡାକ୍ତର) ଜେନା ଟିବି ମୁକ୍ତ ଭାରତର ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟ ସାଧନ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ରେସ୍ପିରେଟୋରୀ ମେଡିସିନ୍‌ ବିଭାଗର ପ୍ରଫେସର (ଡାକ୍ତର) ରାକ୍ଷୀ ଲୁଦାମ୍‌ ଏବଂ ଡାକ୍ତର ପ୍ରିୟଦର୍ଶିନୀ ବେହେରା ଉପସ୍ଥିତ ଥିଲେ।