ଲଣ୍ଡନ,୧୨/୦୬: ଅଷ୍ଟ୍ରେଲିଆ ଓ ଦକ୍ଷିଣ  ଆଫ୍ରିକା ମଧ୍ୟରେ ଚାଲିଛି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ମୁକାବିଲା । ପ୍ରଥମ ଦିବସରେ ବୋଲରଙ୍କ ରାଜୁତି ଜାରି ରହିଛି ଓ ୧୪ଟି ୱିକେଟ୍‌ର  ପତନ ଘଟିଛି । କାଗିସୋ ରାବାଡ଼ାଙ୍କ ଘାତକ ବୋଲିଂର  ମୁକାବିଲା କରିନପାରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ  ମାତ୍ର ୨୧୨ ରନ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା ।  ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର  ସମ୍ମୁଖୀନ ହୋଇଛି । ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ  ସୁଦ୍ଧା ଦକ୍ଷିଣ ଆଫ୍ରିକା ୪ ୱିକେଟ୍‌ ହରାଇ ୪୩ ରନ  ସଂଗ୍ରହ କରିଛି । ଦଳ ପକ୍ଷରୁ ତେମ୍ବା ବଭୁମା ୩ ଓ  ଡେଭିଡ୍‌ ବେଡିଂହାମ ୮ ରନ କରି ଅପରାଜିତ ରହିଛନ୍ତି । 

ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଆଜି ଟସ୍‌  ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ରାବାଡ଼ା  ନୂଆ ବଲ୍‌ରେ ଘାତକ ସୁଇଂ ବୋଲିଂ କରିଥିଲେ । ସପ୍ତମ  ଓଭରରେ ସେ ଉସମାନ ଖୱାଜା(୦) ଓ କାମେରନ  ଗ୍ରୀନ(୪)ଙ୍କୁ ଆଉଟ୍‌ କରିଥିଲେ । ଅନ୍ୟ ଓପନର  ମାର୍ନସ ଲାବୁସାନ ସତର୍କତାର ସହ ଖେଳିଥିଲେ ହେଁ  ଶେଷରେ ୧୭ ରନ କରି ମାର୍କୋ ଜାନସେନଙ୍କ ବଲ୍‌ରେ  ପାଭିଲିୟନ ଫେରିଥିଲେ । ଟ୍ରେଭିସ୍‌ ହେଡ୍‌(୧୧) ଙ୍କୁ ମଧ୍ୟ ଆଉଟ୍‌ କରିଥିଲେ ଜାନସେନ । ୬୭ରନ୍‌ରେ  ଅଷ୍ଟ୍ରେଲିଆ ୪ଟି ୱିକେଟ୍‌ ହରାଇ ସଂକଟରେ  ପଡ଼ିଯାଇଥିଲା । ମାତ୍ର ଏହାପରେ ଷ୍ଟିଭେନ ସ୍ମିଥ ଲଢୁଆ  ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ବ୍ୟୁ ୱେବଷ୍ଟରଙ୍କୁ  ସାଥୀ କରି ସ୍ମିଥ୍‌ ପଞ୍ଚମ ୱିକେଟ୍‌ରେ ୭୯ ରନ୍‌ ଯୋଗ  କରିଥିଲେ । ଦଳୀୟ ସ୍କୋର ୧୪୬ରେ ପହଞ୍ଚିଥିଲା । ସ୍ମିଥ୍‌  ଅର୍ଦ୍ଧଶତକ ଅର୍ଜନ କରିସାରିଥିଲେ । ଆଡେନ ମାରକ୍ରମ  ୪୨ତମ ଓଭରରେ ସ୍ମିଥ୍‌ଙ୍କୁ ଆଉଟ୍‌ କରି ଉନ୍ମାଦନା  ଖେଳାଇ ଦେଇଥିଲେ । ସ୍ମିଥ୍‌ ୬୬ ରନ କରିଥିଲେ ।  

ଦ୍ୱିତୀୟ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ  ୱେବଷ୍ଟର ଓ ଆଲେକ୍ସ କ୍ୟାରୀ ଲଢେଇ ଜାରି ରଖି ୪୬  ରନ ଯୋଗ କରିଥିଲେ । ତୃତୀୟ ଅଧିବେଶନ ଆରମ୍ଭ  ହେବା ସହ ଅଷ୍ଟ୍ରେଲିଆ ପୁଣିଥରେ ବିପର୍ଯ୍ୟୟର ସାମ୍ନା  କରିଥିଲା । କ୍ୟାରୀ ୨୩ ରନ କରି କେଶବ ମହାରାଜଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ରାବାଡ଼ା ପୁଣିଥରେ  ବିପର୍ଯ୍ୟୟ ଘଟାଇଥିଲେ । ପ୍ୟାଟ୍‌ କମିନ୍ସ ଓ ମିଚେଲ ଷ୍ଟାର୍କ  ୧ରନ ଲେଖାଏଁ କରି ଆଉଟ୍‌ ହୋଇଥିଲେ । ୱେବଷ୍ଟର  ଲଢୁଆ ୭୨ ରନ କରି ଶେଷରେ ରାବାଡ଼ାଙ୍କ ପଞ୍ଚମ ଶିକାର  ସାଜିଥିଲେ । ନାଥାନ ଲାୟନଙ୍କୁ ଜାନସେନ ଆଉଟ୍‌ କରିଥିଲେ  ଓ ଅଷ୍ଟ୍ରେଲିଆ ଇନିଂସ ୨୧୨ରେ ସୀମିତ ରହିଥିଲା । 

ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ବ୍ୟାଟିଂ  ଆରମ୍ଭ କରି ଅନୁରୂପ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।  ଆଡେନ ମାରକ୍ରମ ଖାତା ଖୋଲିବା ପୂର୍ବରୁ ମିଚେଲ  ଷ୍ଟାର୍କଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ର‌୍ୟାନ ରିକେଲଟନ  ସତର୍କତାର ସହ ଖେଳି ୧୬ ରନ ସଂଗ୍ରହ କରିଥିଲେ  ହେଁ ଶେଷରେ ଷ୍ଟାର୍କଙ୍କ ବଲ୍‌ରେ ସ୍ଲିପ୍‌କୁ କ୍ୟାଚ ଟେକି  ଦେଇଥିଲେ । ୱିଆନ ମୁଲ୍ଡରଙ୍କୁ ବୋଲ୍ଡ କରିଥିଲେ ପ୍ୟାଟ୍‌  କମିନ୍ସ । ୨୫ ରନ୍‌ରେ ଦଳ ୩ଟି ୱିକେଟ୍‌ ହରାଇଥିଲା ।  ବଭୁମା ଓ ଟ୍ରିଷ୍ଟନ ଷ୍ଟବ୍ସ ସତର୍କତାର ସହ ବ୍ୟାଟିଂ  କରୁଥିବାବେଳେ ଜୋସ ହାଜେଲଉଡ୍‌ ୨୧ତମ ଓଭରରେ  ଯୋଡ଼ି ଭାଙ୍ଗିଥିଲେ । ଷ୍ଟବ୍ସ ୨ ରନ କରି ପାଭିଲିୟନ  ଫେରିଥିଲେ । ପରବର୍ତ୍ତୀ ଓଭରରେ ବେଡିଂହାମ୍‌ ୨ଟି  ଚୌକା ମାରି ଦଳୀୟ ସ୍କୋରକୁ ୪୩ରେ ପହଞ୍ଚାଇଥିଲେ ।