ଭୁବନେଶ୍ୱର,୦୮/୦୫: ଯାଜପୁରର କ୍ରିଷ୍ଣା ସେଠୀ । ବୟସ ଜମାରୁ ୧୩ । ଯେଉଁ ସମୟରେ ଖେଳକୁଦ କରିବା କଥା, ସେ ସମୟରେ ଥାଲାସେମିଆ ରୋଗ ସହ ଲଢ଼ୁଛି । ସ୍କୁଲ ଯାଉଛି, ହେଲେ ଭାରି କଷ୍ଟରେ । ବାପା ଗଙ୍ଗାଧର ସେଠୀ ଜଣେ ଦିନମଜୁରିଆ । ତଥାପି ସେ ପୁଅକୁ କେମିତି ନିର୍ଦ୍ଧାରିତ ସମୟରେ ରକ୍ତ ଦେବେ, ସେ ଚିନ୍ତା ତାଙ୍କୁ ଘାରିଛି । ଯାଜପୁରରୁ ନେଇ କେତେବେଳେ କଟକ, ତ କେତେବେଳେ ଭୁବନେଶ୍ୱର ବୁଲୁଛନ୍ତି । ତଥାପି ବଞ୍ଚିବି, ଏ ଆଶା କ୍ରିଷ୍ଣା ରଖିଛନ୍ତି । ଆଉ ଜଣେ ହେଲେ ଖୋର୍ଦ୍ଧାର ପ୍ରିୟାଂଶୀ ମହାରଣା (୧୩) । ନବମ ଶ୍ରେଣୀରେ ପାଠ ପଢୁଛନ୍ତି, ୟାଙ୍କୁ ବି ଥାଲାସେମିଆ । ନୟାଗଡ଼ର ପ୍ରଣବ ମିଶ୍ର, ସାଲେପୁରର ଗିରିଜା ଶଙ୍କର ପଣ୍ଡା, କେନ୍ଦ୍ରାପଡ଼ାର ବର୍ଷା ବେହେରା । ସମସ୍ତଙ୍କ ଜୀବନକୁ ଦୁର୍ବିସହ କରିଛି ମାରାତ୍ମକ ଥାଲାସେମିଆ । ଜନ୍ମରୁ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏମାନେ । ଟୋପାଏ ରକ୍ତ ପାଇଁ ଖରାଶୀତରେ ଏ ଜିଲ୍ଲାରୁ ସେ ଜିଲ୍ଲାକୁ ଧାଉଁଛନ୍ତି । ହେଲେ ଠିକ୍ ସମୟରେ ମିଳୁନାହାନ୍ତି ।

ଗୋଟିଏ ପଟେ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥାଲାସେମିଆ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ରକ୍ତଭଣ୍ଡାର କିମ୍ବା ଡେ କେୟାର ସେଣ୍ଟର ବି ନାହିଁ । ଏଭଳି ନାନା ଅବ୍ୟବସ୍ଥା । କେବେ ଓଡ଼ିଶା ଥାଲାସେମିଆ ରୋଗୀ ମୁକ୍ତ ହେବ? ରୋଗୀଙ୍କୁ ହାତପାହାନ୍ତାରେ କେବେ ରକ୍ତ ମିଳିବ? ଏଭଳି ନାନା ପ୍ରଶ୍ନ ରୋଗୀଙ୍କ ମନରେ ଉଙ୍କି ମାରୁଛି । ରାଜ୍ୟ ସରକାରଙ୍କ ରିପୋର୍ଟ କହୁଛି, ୨୦୨୪-୨୫ ମସିହାରେ ୧୦ଲକ୍ଷ ୫୨ ହଜାର ୧୪୦ଜଣଙ୍କ ସ୍କ୍ରିନିଂ ହୋଇଥିଲା । ସେମାନଙ୍କ ମଧ୍ୟରେ ୨୬୩୪୯ଙ୍କ ଶରୀରରେ ଥାଲାସେମିଆ ରହିଥିବା ଆଶଙ୍କା କରାଯାଇଥିବାବେଳେ ୧୪୪୮ ଥାଲାସେମିଆ ଚିହ୍ନଟ ହୋଇଥିଲେ । ଏବର୍ଷର ତଥ୍ୟ ଆସିନି । ଇଏ ହେଉଛି ସରକାରୀ ରିପୋର୍ଟ । ହେଲେ ଓଡ଼ିଶା ଥାଲାସେମିଆ ଆଣ୍ଡ ସିକଲସେଲ୍ ସୋସାଇଟିର ସର୍ଭେ କହୁଛି, ରାଜ୍ୟରେ ୨୦୧୦ରେ ଥାଲାସେମିଆ ବାହକ ସଂଖ୍ୟା ୪.୫ ପ୍ରତିଶତ ସହ ବର୍ଷକୁ ୫ରୁ ୭ ହଜାର ରୋଗୀ ଚିହ୍ନଟ ହେଉଥିଲେ । ଏହା କ୍ରମାଗତ ଭାବରେ ବୃଦ୍ଧି ପାଉଛି ।

୨୦୨୫-୨୬ରେ ଏହି ହାର ୧୧ ପ୍ରତିଶତ ଓ ରୋଗୀ ସଂଖ୍ୟା ୩୫ହଜାରରେ ପହଞ୍ଚିଛି । ଏଥିସହ ରୋଗୀଙ୍କୁ ମିଳୁଥିବା ମାସିକ ଷ୍ଟାଇପେଣ୍ଡ ୫୦୦ ଟଙ୍କା ମଧ୍ୟ ବନ୍ଦ ହୋଇଯାଇଛି । ଖରାଦିନ ଚାଲୁଥିବାରୁ ଥାଲାସେମିଆ ରୋଗୀମୀନେ ରକ୍ତ ପାଇବା ପାଇଁ କଲବଲ ହେଉଛନ୍ତି । କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଉପରେ ୭ଶହରୁ ଊଦ୍ଧ୍ୱର୍ ଥାଲାସେମିଆ ରୋଗୀ ନିର୍ଭରଶୀଳ । ଏମାନେ ରକ୍ତଭଣ୍ଡାରରୁ କିଭଳି ସୁବିଧାରେ ଓ ସହଜରେ ରକ୍ତ ପାଇବେ ସେଥିପାଇଁ ନାମ ପଞ୍ଜିକରଣ କରିଛନ୍ତି । ଏମାନଙ୍କ ମଧ୍ୟରେ କିଏ ମାସକୁ ଗୋଟିଏ ତ ଆଉ କିଏ ଆବଶ୍ୟକ ମୁତାବକ ଦୁଇ/ତିନିଟି ରକ୍ତ ନିଅନ୍ତି । ବର୍ତ୍ତମାନ ଏହି ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି । ସମାନ ସ୍ଥିତି ବିଏମ୍ସି ହସ୍ପିଟାଲରେ । ଏହାର କାରଣ, ରକ୍ତଦାନ ଶିବିର ପୂର୍ବଭଳି ଆୟୋଜନ ହେଉନି । ରିପୋର୍ଟ ଅନୁସାରେ, ରାଜ୍ୟରେ ସ୍ୱେଚ୍ଛାସେବୀ ରକ୍ତ ସଂଗ୍ରହ କମିଚାଲିଛି ।

ଗତ ୨୦୨୧-୨୨ରେ ୩ଲକ୍ଷ ୯ହଜାର ୭୨୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ୨୦୨୨-୨୩ରେ ୩ଲକ୍ଷ ୩୨ହଜାର୬୧୯ୟୁନିଟ, ୨୦୨୩-୨୪ରେ ୩ଲକ୍ଷ୬୩ହଜାର୯୮୮ ୟୁନିଟ ହୋଇଥିବା ବେଳେ ୨୦୨୪- ୨୫ରେ ଏହି ସଂଖ୍ୟା ଖସି ଆସି ମାତ୍ର ୨ଲକ୍ଷ ୮ହଜାର ୭୬୦ ୟୁନିଟରେ ସୀମିତ ରହିଛି । ଥାଲାସେମିଆ ରୋଗୀଙ୍କ ପାଇଁ କୌଣସି ଉନ୍ନତ ସୁବିଧା ନଥିବା ଥାଲାସେମିଆ ସିକିଲସେଲ୍ ସୋସାଇଟିର ସଭାପତି ନିରାକାର ପଣ୍ଡା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, କୌଣସି ଜିଲ୍ଲା ହସ୍ପିଟାଲରେ ରକ୍ତଭଣ୍ଡାରରେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ ୟୁନିଟ୍ ନାହିଁ । ତେଣୁ ସବୁ ହସ୍ପିଟାଲରେ ଡେ କେୟାର ସେଣ୍ଟର ରହୁ । ଏହା ହେଲେ ତାହା ୯ଟାରୁ ୫ଟା ଖୋଲିବ । ରକ୍ତ ସଂଚାରଣ ପାଇଁ ସ୍ୱତନ୍ତ୍ର ଡାକ୍ତର, ନର୍ସ ରହିବେ । ପାଥୋଲୋଜି ଟେଷ୍ଟ ଉପଲବ୍ଧ ହେବ । ରୋଗୀଙ୍କୁ ଆଉ କେଉଁଆଡେ ବୁଲିବେନି । ବର୍ତ୍ତମାନ ବାଲେଶ୍ୱର, ଗଞ୍ଜାମରେ ଅଧିକ ରୋଗୀ ଅଛନ୍ତି । ହେଲେ ଏମ୍କେସିଜି ଓ ବୁର୍ଲା ଭିମସାରରେ ହେମାଟୋଲୋଜି ବିଭାଗ ନାହିଁ ।

ଆହୁରି ପଢନ୍ତୁ- ବଦନାମ ମୁଣ୍ଡାଇବ ଯାଜପୁର: ମାସକରେ ୯ ଅପପୁଷ୍ଟି ଆକ୍ରାନ୍ତ ଚିହ୍ନଟ, ସଚେତନତା ଅଭାବରୁ ବିଗୁଡ଼ୁଛି ସ୍ଥିତି

ବ୍ରହ୍ମପୁର, କୋରାପୁଟ, ଭବାନୀପାଟଣା ଓ ସମ୍ବଲପୁରରେ ସ୍ୱତନ୍ତ୍ର ନୋଡାଲ ଥାଲାସେମିଆ ସେଣ୍ଟର ଖୋଲାଯାଉ । ରୋଗୀଙ୍କୁ ଯେପରି ପର୍ଯ୍ୟାପ୍ତ ରକ୍ତ ମିଳିବ ସେଦିଗରେ ସରକାର ଧ୍ୟାନ ଦିଅନ୍ତୁ । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ରକ୍ତ ପରୀକ୍ଷା କରିବା, ନାଟ-ପିସିଆର ଓ ମାସିକ ଷ୍ଟାଇପେଣ୍ଡ ପୁନଃଚାଲୁ କରିବାକୁ ସେ ଦାବି କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ନାଟ-ପିସିଆର ପ୍ରତି ଜିଲ୍ଲା ହସ୍ପିଟାଲ ରକ୍ତଭଣ୍ଡାରରେ ରହିବାକୁ ଯାଉଛି । ଜୋରଦାର ଯାଞ୍ଚ ଚାଲିଛି । ସରକାର ଥାଲାସେମିଆ ରୋକିବାକୁ ଯଥାସମ୍ଭବ ପ୍ରୟାସ ଜାରି କରିଛନ୍ତି ।