ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସବୁଠୁ ଶସ୍ତା ଇ-ସୁପର୍‌କାର ‘ଥଣ୍ଡର୍‌’,ନିର୍ମାଣ କଲେ ପ୍ରୟାଗରାଜର ଯୁବ ଉଦ୍ଭାବକ

Published By : Anindita Ratha | March 23, 2025 10:04 AM

ନୂଆଦିଲ୍ଲୀ,୨୩ /୦୩:  ଉତ୍ତରପ୍ରଦେଶ ପ୍ରୟାଗରାଜର ଜଣେ ଯୁବ ଉଦ୍ଭାବକ ବିଶ୍ୱର ସବୁଠୁ ଶସ୍ତା ଇ-ସୁପର୍‌କାର ଡିଜାଇନ୍‌ କରିଥିବା ଦାବି କରିଛନ୍ତି । ତାଙ୍କ ମଡେଲର ନାଁ ‘ଥଣ୍ଡର୍‌’ । ବେଗ ଘଣ୍ଟା ପ୍ରତି ୮୦ କିମି । ୧୬ ଲକ୍ଷ ଟଙ୍କାରେ ସେ ଏହି ସୁପର୍‌କାର ନିର୍ମାଣ କରିଛନ୍ତି । ଏହାର ଚୂଡ଼ାନ୍ତ ସଂସ୍କରଣ ଘଣ୍ଟା ପ୍ରତି ୨୫୦ କିମି ବେଗରେ ଗତି କରିବ ବୋଲି ସେ ଆଶାବାଦୀ । ଏହାର ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ମୋତିଲାଲ ନେହରୁ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଇନୋଭେସନ୍‌ ଆଣ୍ଡ ଇନ୍‌କ୍ୟୁବେସନ୍‌ ହବ୍‌ ଦ୍ୱାରା ଏକ ଦୁଇ ଦିନିଆ ଷ୍ଟାର୍ଟଅପ୍‌ ସମ୍ମିଳନୀ ଆୟୋଜିତ ହୋଇଥିଲା ।

ଏ ଅବସରରେ ଅଭିଷେକ ବୈରାଗ୍ୟ ଡିଜାଇନ୍‌ କରିଥିବା ଏହି ସୁପର୍‌କାର ସବୁରି ଧ୍ୟାନ ଆକର୍ଷଣ କରିଥିଲା । କେବଳ ଟେକ୍ନୋଲୋଜିପ୍ରେମୀ ନୁହନ୍ତି, କାର୍‌ ନିର୍ମାତା ମଧ୍ୟ ଏଥିପ୍ରତି ଆକର୍ଷିତ ହୋଇଥିଲେ । ଏ ଉଦ୍ୟୋଗର ବିଶିଷ୍ଟ ବ୍ୟକ୍ତିମାନେ ଏହି ଇ-ସୁପର୍‌କାର୍‌ରେ ଖାସ୍‌ ରୁଚି ପ୍ରଦର୍ଶନ କରିଥିଲେ । ଏହାର ବୈଷୟିକ ବିବରଣୀ ବିଷୟରେ ପଚାରି ବୁଝୁଥିଲେ । ‘ଥଣ୍ଡର୍‌’ ସୁପର୍‌କାର ଡିଜାଇନର୍‌ ଅଭିଷେକଙ୍କ କମ୍ପାନିର ନାଁ ଏଭି ଅଟୋମୋଟିଭ୍‌ସ । ଥଣ୍ଡର୍‌ ବିଷୟରେ ସେ ଗଣମାଧ୍ୟମକୁ କହିଛନ୍ତି, ଥରେ ଚାର୍ଜ ହେଲେ, କାର୍‌ର ବ୍ୟାଟେରୀ ୨୦୦ କିମି ପର୍ଯ୍ୟନ୍ତ ଚାଲିବ । ଏବେ ଏହାର ବେଗ ଘଣ୍ଟାପ୍ରତି ୮୦ କିମି ଅଛି । ଏହାକୁ ବଢ଼ାଇ ୨୫୦ କିମି କରିବାକୁ ସେ ଆଶା ରଖିଛନ୍ତି । 

ଅଟୋମୋବାଇ ଡିଜାଇନ୍‌ରେ ପାସନ୍‌ ପାଇଁ ଅଭିଷେକ ବିଟେକ୍‌ ଅଧ୍ୟୟନ ଛାଡ଼ିଛନ୍ତି । ଦ୍ୱାଦଶ ଶେଷ କରିବା ପରେ ୨୦୧୮ ମସିହାରେ ଦିଲ୍ଲୀର ଏକ ବିଟେକ୍‌ ପ୍ରୋଗ୍ରାମ୍‌ରେ ସେ ନାମ ଲେଖାଇଥିଲେ । କିନ୍ତୁ ପାଠ୍ୟକ୍ରମକୁ ନେଇ ଅସନ୍ତୁଷ୍ଟ ହୋଇ ବର୍ଷକ ମଧ୍ୟରେ ସେ ଅଧ୍ୟୟନ ଛାଡ଼ି ଘରକୁ ଚାଲିଆସିଲେ । ୨୦୧୯ରୁ ଭାଇ ଅଖିଳେଶଙ୍କ ସମର୍ଥନରେ ସୁପର୍‌କାର ନିର୍ମାଣ ବିଚାର ଉପରେ ସେ କାମ କରୁଛନ୍ତି । ଗୋଟିଏ ଡିଜାଇନ୍‌ ଚୂଡ଼ାନ୍ତ କରିବା ପାଇଁ ଅଭିଷେକଙ୍କୁ ପ୍ରାୟ ୪ ବର୍ଷ ସମୟ ଲାଗିଲା । 


କାର୍‌ ନିର୍ମାଣ ଖର୍ଚ୍ଚ କମ୍‌ କରିବାକୁ ସେ ସେକେଣ୍ଡ୍‌-ହ୍ୟାଣ୍ଡ୍‌ ଉପକରଣ ବ୍ୟବହାର କଲେ । ପରିବାର ଓ ବନ୍ଧୁଙ୍କ ସହାୟତାରେ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ପ୍ରୋଟୋଟାଇପ୍‌ ପ୍ରସ୍ତୁତି ଶେଷ କଲେ । ଶସ୍ତା ସୁପର୍‌କାର ନିର୍ମାଣ କରିବା ତାଙ୍କର ସ୍ୱପ୍ନ ବୋଲି ଅଭିଷେକ କହିଛନ୍ତି । ଏହି ଡିଜାଇନ୍‌କୁ ସତରେ ରୂପାନ୍ତର କରିବା ପାଇଁ ସେ ନିବେଶକ ଖୋଜୁଛନ୍ତି । ଏବେ କୌଣସି ଭାରତୀୟ କମ୍ପାନି ସୁପର୍‌କାର ନିର୍ମାଣ କରୁନାହାନ୍ତି । ଅନ୍ୟପକ୍ଷେ, ଆମେରିକା, ରୁଷ୍‌, ଜର୍ମାନୀ ଓ ଜାପାନର ଏ ଉଦ୍ୟୋଗରେ ଦବ୍‌ଦବା ରହିଛି । ଏମାନଙ୍କର ଉଚ୍ଚ ମୂଲ୍ୟ ମଧ୍ୟବିତ୍ତ ବର୍ଗ ପାଇଁ ସୁପର୍‌କାର କିଣିବା ଅସମ୍ଭବ ହେଉଛି । ଅଭିଷେକଙ୍କ ଯୋଜନା ଯଦି ସଫଳ ହୁଏ, ବଜେଟ୍‌-ସଚେତନ ବ୍ୟକ୍ତି ସୁପର୍‌କାର କିଣିବାର ସୁଯୋଗ ପାଇବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.