ନୂଆଦିଲ୍ଲୀ ୦୫/୦୯: ଇଟାଲୀ ଫ୍ୟାଶନ୍ ଆଇକନ୍ ଜର୍ଜିଓ ଅର୍ମାନିଙ୍କର ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି । ଦୀର୍ଘ ଦଶନ୍ଧିର କ୍ୟାରିଅର୍ରେ ଏକ ସ୍ୱତନ୍ତ୍ର ଇଟାଲିଆନ୍ ଶୈଳୀକୁ ପରିଭାଷିତ କରିବା ଲାଗି ଖାସ୍ ପରିଚୟ ସୃଷ୍ଟି କରିଥିଲେ ଅର୍ମାନି । ସେତିକି ନୁହେଁ, ହଲିଉଡ୍ ରେଡ୍ କାର୍ପେଟ୍ ଫ୍ୟାଶନ୍କୁ ଭବ୍ୟତାର ନୂଆ ସ୍ତରକୁ ନେବା ପାଇଁ ମଧ୍ୟ ସ୍ୱତନ୍ତ୍ର ପରିଚିତି ହାସଲ କରିଥିଲେ । ଏହିଭଳି ଭାବେ ସେ କାଳଜୟୀ ସୌନ୍ଦର୍ଯ୍ୟ ଓ ସାଦାସିଧା, କିନ୍ତୁ ପ୍ରଭାବଶାଳୀ ବିଳାସପୂର୍ଣ୍ଣତାର ବୈଶ୍ୱିକ ପ୍ରତୀକ ହୋଇଗଲେ ।
୧୯୩୪ ମସିହା, ଇଟାଲୀର ଉତ୍ତରରେ ଅବସ୍ଥିତ ପିୟାସେନ୍ଜା ଟାଉନ୍ରେ ଜନ୍ମିତ ଜର୍ଜିଓ ଅର୍ମାନି ପ୍ରଥମରୁ ଫ୍ୟାଶନ୍ ପ୍ରତି ଆକୃଷ୍ଟ ନ ଥିଲେ । ମେଡିସିନ୍ ଅଧ୍ୟୟନ ପରେ ସେ ଆର୍ମିରେ ଭର୍ତ୍ତି ହୋଇଥିଲେ । ୧୯୫୭ରେ ମିଲାନ୍ର ଐତିହାସିକ ଲା ରିନାସେଣ୍ଟେ ଡିପାର୍ଟମେଣ୍ଟ୍ ଷ୍ଟୋର୍ରେ ସେ ଜଣେ ୱିଣ୍ଡୋ ଡ୍ରେସର୍ ଭାବେ କାମ ଆରମ୍ଭ କଲେ । ୧୯୬୪ ମସିହା ବେଳକୁ ଅର୍ମାନିଙ୍କୁ ନିନୋ ସେରୁଟି ନାମକ ଜଣେ ଡିଜାଇନର୍ ପୁରୁଷଙ୍କ ପୋଷାକ ଡିଜାଇନ୍ ପାଇଁ ଅଫର୍ ଦେଇଥିଲେ । ଇତିମଧ୍ୟରେ ସ୍ଥପତି ସର୍ଜିଓ ଗାଲିଓଟିଙ୍କ ସହ ଅର୍ମାନିଙ୍କର ସାକ୍ଷାତ ହେଲା । ଏହା ପରେ ଉଭୟ ପରସ୍ପରର ଜୀବସସାଥୀ ଓ ବିଜ୍ନେସ୍ ପାର୍ଟନର୍ ହେଲେ ।
ସର୍ଜିଓଙ୍କଠୁ ପ୍ରେରଣା ପାଇ ଅର୍ମାନି ୧୯୭୫ରେ ନିଜର ବ୍ରାଣ୍ଡ୍ ଜର୍ଜିଓ ଅର୍ମାନି ପ୍ରତିଷ୍ଠା କଲେ । ୧୯୮୫ରେ ଗାଲିଓଟି ଏଡ୍ସରେ ପ୍ରାଣ ହରାଇବା ପରେ ଅର୍ମାନି କମ୍ପାନିର ଏକମାତ୍ର ଶେୟାରହୋଲ୍ଡର ହେଲେ । ଚାହୁଁ ଚାହୁଁ ଅର୍ମାନିଙ୍କ ଜ୍ୟାକେଟ୍ ହଲିଉଡ୍ର ଦୃଷ୍ଟି ଆକର୍ଷଣ କଲା । ୧୯୮୦ରେ ରିଚାର୍ଡ ଗେରେ ଆମେରିକାନ୍ ଜିଗୋଲୋରେ ଏକ ଅର୍ମାନି ସୁଟ୍ ପିନ୍ଧି ଏହାକୁ ଷ୍ଟାଟସ୍ ଓ ଷ୍ଟାଇଲ୍ର ପ୍ରତୀକରେ ରୂପାନ୍ତରିତ କଲେ । ଏହା ପରେ ଆଗଧାଡ଼ିର ହଲିଉଡ୍ ଷ୍ଟାର୍ମାନେ ଅର୍ମାନି ପୋଷାକରେ ରେଡ୍ କାର୍ପେଟ୍କୁ ଓହ୍ଲାଇଲେ ।
ସମୟ ସହିତ ଅର୍ମାନି ଫ୍ୟାଶନ୍ ବ୍ରାଣ୍ଡ୍ର ବିସ୍ତାର ହେଲା । ୨୦୧୧ରେ ବୁର୍ଜ ଖଲିଫାରେ ସେ ଅର୍ମାନି ହୋଟେଲ ମଧ୍ୟ ଖୋଲିଲେ । କ୍ରୀଡ଼ାପ୍ରେମୀ ଅର୍ମାନି ୨୦୦୮ରେ ଇଟାଲିର ସବୁଠୁ ସଫଳ ବାସ୍କେଟ୍ବଲ ଟିମ୍ ଅଲିମ୍ପିୟା ମିଲାନୋ କିଣିଲେ । ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ ଓ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଅର୍ମାନି ନିଜେ ଏହି ଟିମ୍ର ୟୁନିଫର୍ମ ଡିଜାଇନ୍ କରିଥିଲେ । ଇଟାଲୀର ବିଳାସପୂର୍ଣ୍ଣ ଫ୍ୟାଶନ୍ ହାଉସ୍ ଅର୍ମାନି ବିଶ୍ୱର ଅନ୍ୟତମ ମୂଲ୍ୟବାନ ଫ୍ୟାଶନ୍ ବ୍ରାଣ୍ଡ୍ର ମାନ୍ୟତା ପାଇଛି । ୨୦୨୪ରେ ଏହାକୁ ୨.୧ ବିଲିଅନ୍ ଡଲାର ମୂଲ୍ୟାଙ୍କନ କରାଯାଇଥିଲା, ଯାହାର ନେଟ୍ ସମ୍ପତ୍ତି ୧୨ ବିଲିଅନ୍ ଆମେରିକୀୟ ଡଲାର ।