ନୂଆଦିଲ୍ଲୀ, ୨୬/୦୯: ସ୍ମାର୍ଟ ଫୋନ୍ କିପରି ହେବା ଦରକାର ? ସେଥିରେ କ’ଣ ଫିଚର୍ସ ରହିବା ଆବଶ୍ୟକ ? ବ୍ୟାଟେରୀ କାପାସିଟି କେତେ, ମୋବାଇଲର ଲୁକ୍ସ କ’ଣ ? ସ୍ମାର୍ଟଫୋନ୍ କେତେ ହାଲୁକା ହେଲେ ଚଳିବ ? ଏସବୁ ହେଉଛି ଲୋକଙ୍କ ପସନ୍ଦ ନାପସନ୍ଦ । ମୋବାଇଲ୍ କିଣିବା ପୂର୍ବରୁ ଗ୍ରାହକମାନେ ଏସବୁ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । କାରଣ ସ୍ମାର୍ଟଫୋନର ଦାମ୍ ଯାହା ହେଉନା କାହିଁକି, କିନ୍ତୁ ସେଥିରେ ସମସ୍ତ ପ୍ରକାର ଫିଚର୍ସ ରହିଥିବା ଜରୁରୀ । ଗ୍ରାହକଙ୍କ ଚାହିଦା ହିସାବରେ ମୋବାଇଲ କମ୍ପାନି ଗୁଡ଼ିକ ମଧ୍ୟ ସେହି ରେସ୍ରେ ଲାଗି ପଡ଼ିଛନ୍ତି । କିଏ କେତେ କମ୍ ପ୍ରାଇସରେ ସର୍ବାଧିକ ଫିଚର୍ସ, ପତଳା ଏବଂ ହାଲୁକା ସ୍ମାର୍ଟଫୋନ ମାର୍କେଟକୁ ଆଣିପାରିବ । ଅର୍ଥଶାସ୍ତ୍ର ଅନୁଯାୟୀ, ବଜାର ଚାହିଦା ଅନୁଯାୟୀ ଉତ୍ପାଦ । ମାତ୍ର ସମୟ ଏଭଳି ଥିଲା, ବଜାରକୁ ଆସିଥିଲା ଏକ କିଲୋଗ୍ରାମ ଓଜନର ମୋବାଇଲ ଫୋନ୍ । ଏଥିରୁ ଟିକିଏ ଅନୁମାନ କରନ୍ତୁ, ଏହି ଫୋନକୁ କିଭଳି ବ୍ୟବହାର କରାଯାଉଥିଲା ।
ମୋବାଇଲ ଫୋନର ଉଦ୍ଭାବକ ମାର୍ଟିନ୍ କୁପର ଏବଂ ତାଙ୍କ ଟିମ୍ ବିଶ୍ବକୁ ବରଦାନ ସ୍ବରୂପ ପ୍ରଥମ ମୋବାଇଲ୍ ଦେଇଥିଲେ । ୧୯୭୩ ମସିହା ଏପ୍ରିଲ୍ ୩ ତାରିଖରେ ଏହାର ଲଞ୍ଚ୍ ହୋଇଥିଲା । ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍ ମୋଟୋରଲା କମ୍ପାନିର ଥିଲା । ଏହାର ମଡେଲ ଥିଲା ମୋଟୋରଲା ଡାଇନା TAC 8000X । ମୋବାଇଲର ଓଜନ ପ୍ରାୟ ୧ କିଲୋଗ୍ରାମ ୧ଗ୍ରାମ୍ ଥିଲା । ଏହାର ଉଚ୍ଚତା ହାରାହାରି ୨୫ ସେଣ୍ଟିମିଟର । ସବୁଠୁ ବଡ଼ କଥା ହେଲା ଏହି ଫୋନକୁ ଚାର୍ଚ୍ଚ କରିବା ପାଇଁ ପାଖାପାଖି ୧୦ ଘଣ୍ଟା ସମୟ ଲାଗୁଥିଲା । ଆଉ ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ବି ଏହା କେବଳ ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିପାରୁଥିଲା । ଏଥିରେ ଏକ LED ସ୍କ୍ରିନ୍ ଥିଲା, ଯେଉଁଥିରେ କିଛି ଡିଜିଟ୍ ଦେଖିବାକୁ ମିଳୁଥିଲା । ଏହା ମୋବାଇଲ୍ କମ୍ୟୁନିକେସନ୍ର ଏକ ମାଇଲଖୁଣ୍ଟ ଭାବରେ ପ୍ରମାଣିତ ହୋଇଥିଲା । ଏହା ପରଠାରୁ ଟେଲି କମ୍ୟୁନିକେସନ ଟେକ୍ନୋଲୋଜି ନିରନ୍ତର ବିକଶିତ ହେଉଛି । ପରବର୍ତ୍ତୀ ସମୟରେ ଧୀରେ ଧୀରେ ଫ୍ଲିପ୍ ଫୋନ୍ ଏବଂ ସ୍ମାର୍ଟ ଫୋନ୍ ଆସିଲା । ଆଉ ଏବେ ଫୋଲ୍ଡେବଲ୍ ଏବଂ ଟ୍ରାଇଫୋଲ୍ଡ ଫୋନ୍ ବଜାରରେ ଉପଲବ୍ଧ ହେଲାଣି ।
ଦିନକୁ ଦିନ ସ୍ମାର୍ଟ ଫୋନର ଚାହିଦା ବଢ଼ୁଥିବାରୁ ମୋବାଇଲ୍ କମ୍ପାନି ଗୁଡ଼ିକ ମଧ୍ୟରେ ନିରନ୍ତର ଭାବେ ଏହାକୁ ବିକଶିତ କରୁଛନ୍ତି । ଏବେ ବଜାରରେ ସ୍ମାର୍ଟ ଫୋନକୁ ନେଇ ଏକ ପ୍ରକାର ଦୌଡ଼ ଚାଲିଛି । କିଏ କେତେ କମ୍ ଦାମରେ ସର୍ବାଧିକ ଫଚର୍ସ ଥିବା ମୋବାଇଲ୍ ଆଣୁଛି । ଯେପରି ଆଇଫୋନ ଭଳି କମ୍ପାନି ଆଇନଫୋନ୍ ଏୟାର ଲଞ୍ଚ୍ କରିଛି । ଯାହା ସର୍ବାଧିକ ପତଳା । ଏହାର ମୋଟେଇ ମାତ୍ର ୬ ମିଲିମିଟର । ସମାସଙ୍ଗ ଏବଂ ଟେକ୍ନୋ ଭଳି କମ୍ପାନି ନିଜ ମୋବାଇଲକୁ ସ୍ଲିମ୍ ଏବଂ ଅଧିକ ସ୍ମାର୍ଟ କରିବାରେ ଲାଗିପଡ଼ିଛନ୍ତି ।