ବେଙ୍ଗାଲୁରୁ ୦୧/୦୮: ରକ୍ତ ଦାନ କ୍ଷେତ୍ରରେ ଏକ ବଡ଼ ଉପଲବ୍ଧି । ଗବେଷକମାନେ ଏକ ବିରଳତମ ମାନବ ରକ୍ତ ସମୂହ ଚିହ୍ନଟ କରିଛନ୍ତି, ଯାହାର ନାଁ ‘ସିଆର୍‌ଆଇବି’ । ଭାରତ ଓ ବ୍ରିଟେନର ବୈଜ୍ଞାନିକ ଟିମ୍‌ ଏହି ଯୁଗାନ୍ତକାରୀ ଆବିଷ୍କାର କରିଛନ୍ତି । ଜଟିଳ ରୋଗର ଚିକିତ୍ସା, ପ୍ରାକ୍‌-ପ୍ରସବକାଳୀନ ରୋଗ ଚିହ୍ନଟ ଏବଂ ବିଶ୍ୱସ୍ତରରେ ରକ୍ତଦାନ ଔପଚାରିକତା କ୍ଷେତ୍ର ନିମନ୍ତେ ଏହା ପ୍ରଭାବଶାଳୀ ହୋଇପାରିବ । ଏହି ଅନନ୍ୟ ଆବିଷ୍କାର ବିଶ୍ୱ ଚିକିତ୍ସା ଜଗତର ଧ୍ୟାନ ଆକର୍ଷଣ କରିଛି । ବେଙ୍ଗାଲୁରୁ ସ୍ଥିତ କୋଲାର ବାସିନ୍ଦା ଜଣେ ୩୮ ବର୍ଷୀୟା ମହିଳାଙ୍କଠାରେ ପୂର୍ବରୁ କେବେ ମିଳିନଥିବା ଏକ ରକ୍ତ ସମୂହ ଚିହ୍ନଟ କରାଯାଇଛି । ଏହାର ଔପଚାରିକ ନାଁ ରଖାଯାଇଛି ‘ସିଆର୍‌ଆଇବି’ । ବୈଜ୍ଞାନିକଙ୍କ ଅନୁସାରେ, ଏହା ବିଶ୍ୱର ବିରଳତମ ରକ୍ତ ସମୂହ ।

ସିଆର୍‌ଆଇବି ଏବିଓ ଓ ଆର୍‌ଏଚ୍‌ ଭଳି ବର୍ତ୍ତମାନର ପ୍ରମୁଖ ପ୍ରଣାଳୀ ବାହାରେ ଚିହ୍ନଟ ଏକ ନୂଆ ବ୍ଲଡ୍‌ ଗ୍ରୁପ୍‌ । ଏହାର ପୂରା ନାଁ ‘କ୍ରୋମୋଜୋମ୍‌ ରିଜନ୍‌ ଆଇଡେଣ୍ଟିଫାଏଡ୍‌ ଆଜ୍‌ ବ୍ଲଡ୍‌ ଗ୍ରୁପ୍‌’ । ଯଦିଓ ଏହି ସଂକ୍ଷିପ୍ତ ନାଁର ସମ୍ପର୍କ ପ୍ରତିକାତ୍ମକ ଭାବେ ନବଜାତକ ଓ ଭ୍ରୂଣ ଚିକିତ୍ସା ସହ ଜଡ଼ିତ, ଏହା ଆଇଏନ୍‌ଆର୍‌ଏ (ଇଣ୍ଡିଆନ୍‌ ରେୟାର ଆଣ୍ଟିଜେନ୍‌) ରକ୍ତ ସମୂହ ପ୍ରଣାଳୀର । ୨୦୨୨ରେ ଇଣ୍ଟରନ୍ୟାସ୍‌ନାଲ ସୋସାଇଟି ଅଫ୍‌ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ୍‌ (ଆଇଏସ୍‌ବିଟି) ଏହାକୁ ଔପଚାରିକ ରୂପେ ମାନ୍ୟତା ଦେଇଥିଲା । 

ସିଆର୍‌ଆଇବିର ବୈଶିଷ୍ଟ ହେଉଛି ଅଧିକାଂଶ ଲୋକଙ୍କଠାରେ ଥିବା ଉଚ୍ଚ-ପ୍ରଚଳନ ଆଣ୍ଟିଜେନ୍‌ ଏଥିରେ ନାହିଁ । ସିଆର୍‌ଆଇବି ବ୍ଲଡ୍‌ ଗ୍ରୁପ୍‌ର ଲୋକଙ୍କଠାରେ ଏହି ସାଧାରଣ ଆଣ୍ଟିଜେନ୍‌ ନ ଥିବାରୁ ସେମାନଙ୍କୁ ରକ୍ତଦାନ ଅତ୍ୟନ୍ତ ଜଟିଳ ହୋଇଥାଏ । ଏହି ସ୍ଥିତିରେ କେବଳ ସିଆର୍‌ଆଇବି-ନେଗେଟିଭ୍‌ ରକ୍ତ ହିଁ ଉପଯୋଗ ହୋଇପାରେ, ଯାହା ଅତ୍ୟନ୍ତ ବିରଳ । ବିଶ୍ୱରେ ମାତ୍ର ହାତଗଣତି ଲୋକଙ୍କ ରକ୍ତ ପ୍ରକାର ସିଆର୍‌ଆଇବି ହୋଇଥିବାରୁ ସଦ୍ୟ ଆବିଷ୍କାର ଚିକିତ୍ସା ଜଗତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭ୍ରୂଣ ଓ ନବଜାତକଙ୍କର ହେମୋଲିଟିକ୍‌ ରୋଗ ମାମଲାରେ ଏହି ବ୍ଲଡ୍‌ ଗ୍ରୁପ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ, ଯେଉଁଥିରେ ମା’ର ଆଣ୍ଟିବଡି ଭ୍ରୂଣର ଲାଲ୍‌ ରକ୍ତ କୋଷିକାଗୁଡ଼ିକୁ ଆକ୍ରମଣ କରନ୍ତି । ଏଭଳି ମାମଲାରେ ସିଆର୍‌ଆଇବି ରକ୍ତ ସମୂହର ଚିହ୍ନଟ ଦ୍ୱାରା ଗର୍ଭାବସ୍ଥାରେ ଜୀବନ ଉପରେ ବିପଦ ଥିବା ଜଟିଳତାକୁ ପ୍ରତିରୋଧ କରାଯାଇ ପାରିବ । 

ଗୁଜରାଟର ଜଣେ ରୋଗୀଙ୍କଠାରେ ପ୍ରଥମେ ସିଆର୍‌ଆଇବି ରକ୍ତ ସମୂହ ଚିହ୍ନଟ ହୋଇଥିଲା । ତାଙ୍କର ଚିକିତ୍ସା ପାଇଁ ରକ୍ତ ଆବଶ୍ୟକ ଥିଲା, କିନ୍ତୁ ନିୟମିତ କିମ୍ବା ବିରଳ ରକ୍ତଦାତାଙ୍କ ତାଲିକାରେ ଏହା ମିଳିଲା ନାହିଁ । ପରବର୍ତ୍ତୀ ଯାଞ୍ଚ୍‌ରୁ ଏକ ନୂଆ ଆଣ୍ଟିଜେନ୍‌ ପ୍ରୋଫାଇଲ୍‌ର ଉପସ୍ଥିତି ଆବିଷ୍କାର କରାଗଲା । ଜିନ୍‌ଗତ ବିଶ୍ଳେଷଣରୁ ସ୍ପଷ୍ଟ ହେଲା, ଏହା ସମ୍ପୂର୍ଣ୍ଣ ରୂପେ ଏକ ନୂଆ ଆଣ୍ଟିଜେନ୍‌ ଥିଲା, ଯାହା ଇଣ୍ଟରନ୍ୟାସ୍‌ନାଲ ସୋସାଇଟି ଅଫ୍‌ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ୍‌ ଦ୍ୱାରା ପୂର୍ବରୁ ମାନ୍ୟତାପ୍ରାପ୍ତ ୪୩ ପରିଚିତ ରକ୍ତ ସମୂହ ପ୍ରଣାଳୀ ସହ ମେଳ ଖାଉନାହିଁ । ପରବର୍ତ୍ତୀ ଯାଞ୍ଚ୍‌ ଓ ବିସ୍ତୃତ ସମୀକ୍ଷା ପରେ ସିଆର୍‌ଆଇବି ବ୍ଲଡ୍‌ ଗ୍ରୁପ୍‌ ମାନବ ରକ୍ତ ସମୂହ ପ୍ରଣାଳୀର ବର୍ଦ୍ଧିତ ତାଲିକାରେ ଔପଚାରିକ ଭାବେ ସ୍ଥାନ ପାଇଲା । ଜିନ୍‌ଗତ ଭାବେ ବିବିଧ ଜନସଂଖ୍ୟା ଯୋଗୁ ଭାରତରେ ଅନେକ ବିରଳ ରକ୍ତ ସମୂହ ଚିହ୍ନଟ ହୋଇଛି । ୨୦୧୭ ମସିହାରେ ଜଣେ ଭାରତୀୟ ମହିଳାଙ୍କଠାରେ ପ୍ରଥମ ଥର ଆଇଏନ୍‌ଆର୍‌ଏ ରକ୍ତ ସମୂହ ଚିହ୍ନଟ ହୋଇଥିଲା । ଏହି ତାଲିକାରେ ସଦ୍ୟ ସାମିଲ ହୋଇଛି ସିଆର୍‌ଆଇବି । ଏହି ସ୍ଥିତିରେ ବିରଳ ବ୍ଲଡ୍‌ ବ୍ୟାଙ୍କ୍‌, ବର୍ଦ୍ଧିତ ଦାତାଙ୍କ ତାଲିକା ଓ ଜିନ୍‌ଗତ ସ୍କ୍ରିନିଂ କାର୍ଯ୍ୟକ୍ରମରେ ନିବେଶ ପାଇଁ ଭାରତୀୟ ଚିକିତ୍ସା ଅଧିକାରୀଙ୍କ ଉପରେ ଚାପ ବଢୁଛି ।

ଏହି ଆବିଷ୍କାର ବିଶ୍ୱସ୍ତରରେ ମାନବ ଇମ୍ୟୁନୋହେମାଟୋଲୋଜିକୁ ବୁଝିବାରେ ଆଉ ଏକ ପର୍ଯ୍ୟାୟକୁ ଯୋଡ଼ିଛି । ଚିକିତ୍ସକଙ୍କ ପାଇଁ ଏହାର ଅର୍ଥ ବର୍ତ୍ତମାନର ରକ୍ତ ସ୍ଥାନାନ୍ତରଣ ରଣନୀତିର ସମଯୋଜନ । ଗବେଷକଙ୍କ ପାଇଁ ଏହା ଜିନ୍‌ଗତ କ୍ଷେତ୍ର, ଲୋକଙ୍କ ପ୍ରବାସ ଏବଂ ରୋଗ ପ୍ରବନ୍ଧନ ସମ୍ପର୍କିତ ଅଧ୍ୟୟନର ଏକ ନୂଆ ଦିଗ ଉନ୍ମୁକ୍ତ କରିଛି । ବୈଜ୍ଞାନିକମାନେ ସିଆର୍‌ଆଇବି-ବିଶିଷ୍ଟ ଆଣ୍ଟିବଡି ପ୍ୟାନେଲ୍‌ର ବିକାଶ ଓ ସ୍କ୍ରିନିଂ ଟେଷ୍ଟ୍‌ର ବିକାଶ ଦାବି କରୁଛନ୍ତି, ଯାହା ଏହାର ବାହକଙ୍କୁ ଶୀଘ୍ର ଚିହ୍ନଟ କରିବାରେ ସହାୟକ ହୋଇପାରିବ ।