ନୂଆଦିଲ୍ଲୀ, ୦୪/୦୭ : କାର୍ଟୁନ୍ ଭଳି ଲୁକ୍... ମୋଟର ସାଇକେଲ୍‌ଠୁ ପତଳା... ତକିଆଠୁ ଟିକିଏ ଚଉଡ଼ା... ଖେଳନା ଭଳି ଆକାର। ଗଳିକନ୍ଦି ଏବଂ ଭିଡ଼ଭାଡ଼ ରାସ୍ତାରେ ନୋ ଟେନସନ୍। ସବୁଠି ଗଡ଼ିଯିବ ଏହି ସ୍ଲିମ୍ କାର୍। ଇଟାଲିର ପାଣ୍ଡା ଏ ପାଣ୍ଡିନୋ-୨୦୨୫ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଛି ଏମିତି ଏକ କାର୍‌। ଏହି କାର୍‌ର ନାଁ ରହିଛି ‘ପାଣ୍ଡା ଫର୍‌ ୱାନ୍‌’। ଏହାର ଚଉଡ଼ା ମାତ୍ର ୧୯ ଇଞ୍ଚ। ଏହା ବିଶ୍ଵର ସବୁଠୁ ପତଳା କାର୍। ଏହି କାର୍‌କୁ ତିଆରି କରିଛନ୍ତି ମେକାନିକ୍‌ ଆଣ୍ଡ୍ରିଆ ମାରାଜ୍ଜି। 

ଫିଆଟ୍‌ ପାଣ୍ଡାର ୪୫ତମ ଜନ୍ମ ବାର୍ଷିକୀରେ ଏହି ସିଙ୍ଗଲସିଟର୍‌ ଇଲେକ୍ଟ୍ରିକ୍‌ କାର୍‌ ଉନ୍ମୋଚିତ ହୋଇଛି। ଅତି ପତଳା ଏବଂ କାର୍ଟୁନ୍ ଭଳି ଲୁକ୍ ପାଇଁ ଏହା ସମସ୍ତଙ୍କୁ ଚକିତ କରିଛି। ନୀଳ ରଙ୍ଗର ଏହି କାର୍‌ ଆଗରେ ଗୋଟିଏ ହେଡ୍‌ଲାଇଟ୍‌, ୪ଟି ପତଳା ଚକ ଏବଂ ୨ଟି ୱିଙ୍ଗ୍‌ ମିରର୍‌ ରହିଛି, ଯାହା କାର୍‌ର ଚଉଡ଼ାକୁ କିଛି ମାତ୍ରାରେ ସମ୍ଭାଳି ଦେଉଛି । ପାଣ୍ଡା ଫର୍‌ ୱାନ୍‌ କାର୍‌ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ । କମ୍ପ୍ୟାକ୍ଟ ଇଲେକ୍ଟ୍ରିକ୍‌ ମୋଟର ପାଇଁ ଏହା ଗତି କରୁଛି । 

କାର୍‌ରେ ଆଗରେ ଗୋଟିଏ ସିଟ୍‌ ରହିଛି। ଜଣେ ଛୋଟ ପିଲା ପାଇଁ ପଛରେ ବିକଳ୍ପ ରୂପେ ଗୋଟିଏ ଛୋଟ ସିଟ୍‌ ଓ ମାନୁଆଲ ଝରକା ରହିଛି । କାର୍‌ର ମଝି ଅଂଶ ଏକ ଛୋଟ ମାଇକ୍ରୋୱେଭ୍‌ ଭଳି । ସିଙ୍ଗଲ୍‌ ଡୋର୍‌ ଜରିଆରେ ଚାଳକ କାର୍‌ ଭିତରେ ପ୍ରବେଶ କରିବେ। ପଛରେ ଯଦି କେହି ଯାତ୍ରୀ ଥାନ୍ତି, ତେବେ ସଙ୍କୁଚିତ ହୋଇ ବସିବେ । ଖେଳଣା ଭଳି ଆକାର ସତ୍ତ୍ଵେ ଏହି କାର୍‌ ସମ୍ପୂର୍ଣ୍ଣରୂପେ ରାସ୍ତାରେ ଚାଲିବାଯୋଗ୍ୟ। ନିଜର ନିଆରା ଲୁକ୍‌ ପାଇଁ ଏହା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି। ତେବେ ଏହା ମାରାଜ୍ଜିଙ୍କର ପ୍ରଥମ ଅଜବ ଉଦ୍ଭାବନ ନୁହେଁ । ଅଭିନବ ଅଟୋମୋଟିଭ୍‌ ସୃଷ୍ଟି ପାଇଁ ସେ ପରିଚିତ। ତେବେ ମାରାଜ୍ଜିଙ୍କ ଏହି ସ୍ଲିମ୍ ଟ୍ରିମ୍ କାର୍ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି।