ଭୋପାଳ: ମଧ୍ୟପ୍ରଦେଶରେ ଗଧଙ୍କ ସଂଖ୍ୟା ଲଗାତାର ହ୍ରାସ ପାଉଛି । ସଦ୍ୟ ପ୍ରକାଶିତ ପ୍ରାଣୀ ଗଣନା ରିପୋର୍ଟ ଅନୁଯାୟୀ , ରାଜ୍ୟରେ କେବଳ ୩,୦୫୨ ଗଧ ଅଛନ୍ତି । ୧୯୯୭ ମସିହାରେ ୪୯,୨୮୯ ଥିଲେ ।  ଗତ ତିନି ଦଶନ୍ଧୀ ମଧ୍ୟରେ ୯୪% ହ୍ରାସ ପାଇଛି ଗଧ ସଂଖ୍ୟା ।  ରାଜ୍ୟର ଅନେକ ଜିଲ୍ଲାରେ ଗଧ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଛନ୍ତି। ଡିଣ୍ଡୋରି , ନିୱାରି , ସେଓନି , ହରଦା ଏବଂ ଉମାରିଆ ଭଳି ଜିଲ୍ଲାରେ ଗୋଟିଏ ବି ଗଧ ନାହିଁ। ନର୍ମଦାପୁରମ ଜିଲ୍ଲାରେ ସର୍ବାଧିକ ୩୩୨ ଗଧ ଅଛନ୍ତି । ରାଜଧାନୀ ଭୋପାଳରେ କେବଳ ୫୬ଟି ଗଧ ଅଛନ୍ତି।

ବିଶେଷଜ୍ଞ ଏବଂ ପ୍ରାଣୀ ଅଧିକାର କର୍ମୀମାନେ ଏହି ହ୍ରାସକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି ବର୍ଣ୍ଣନା କରିଛନ୍ତି। ବିଶେଷଜ୍ଞଙ୍କ ମତରେ, ଏହି ସଙ୍କଟର ଏକ ପ୍ରମୁଖ କାରଣ ହେଉଛି ଚୀନ୍‌ର " ଏଜିଆଓ " ଶିଳ୍ପ । ଯେଉଁଠାରେ ଗଧ ଚମଡ଼ାରୁ ଜିଲେଟିନ୍ ତିଆରି କରାଯାଏ । ଏହି ଜଲେଟିନ୍ ପାରମ୍ପରିକ ଔଷଧ ଏବଂ ପ୍ରସାଧନ ସାମଗ୍ରୀରେ ବ୍ୟବହୃତ ହୁଏ। ବର୍ଦ୍ଧିତ ଚାହିଦା ଯୋଗୁଁ ଗଧର ଚୋରା ଚାଲାଣ ଏବଂ ଚମଡ଼ାର ବିକ୍ରୟ ବୃଦ୍ଧି ପାଇଛି । ଫଳରେ ଗଧଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି।

ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶରେ ମୋଟ ୩.୫ କୋଟି ପଶୁ ଅଛନ୍ତି । ଯେଉଁଥିରେ ୧.୫୭ କୋଟି ଗାଈ, ୧.୦୨ କୋଟି ମଇଁଷି ଏବଂ ୧.୦୯ କୋଟି ଛେଳି ସାମିଲ । ଏଭଳି ସ୍ଥିତିରେ ଗଧଙ୍କ ସଂଖ୍ୟା ହ୍ରାସ ପାଇବା ରାଜ୍ୟର ଗ୍ରାମୀଣ ଅର୍ଥନୀତି ଏବଂ ପରିବେଶ ସନ୍ତୁଳନ ପାଇଁ ଚିନ୍ତାର ବିଷୟ ପାଲଟିଛି । ଗ୍ରାମାଞ୍ଚଳରେ ପରିବହନ, ନିର୍ମାଣ ଏବଂ କୃଷି ପରିବହନ ପାଇଁ ଗଧମାନଙ୍କୁ ବହୁ ଦିନ ଧରି ବ୍ୟବହାର କରାଯାଇ ଆସୁଛି। ତେଣୁ ଗଧଙ୍କ ସଂଖ୍ୟାରେ ହ୍ରାସ ଗ୍ରାମାଞ୍ଚଳର ଶ୍ରମ ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରିପାରେ।

ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ଏଭଳି ପରିସ୍ଥିତି ଜାରି ରହେ, ତେବେ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟପ୍ରଦେଶରୁ ଗଧ ବିଲୁପ୍ତ ହୋଇଯାଇପାରନ୍ତି। ସେମାନେ ଏହି ଶାନ୍ତିପ୍ରିୟ ଏବଂ ଅତ୍ୟାବଶ୍ୟକ ପ୍ରାଣୀଙ୍କୁ ରକ୍ଷା କରିବା ପାଇଁ ତୁରନ୍ତ ଏକ ସଂରକ୍ଷଣ ନୀତି ପ୍ରଣୟନ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।