ନୂଆଦିଲ୍ଲୀ ୨୩/୦୧; ଚଳିତ ଡବ୍ଲ୍ୟୁପିଏଲ୍‌ରେ ଗୁଜରାଟ ଜାଏଣ୍ଟ୍ସ ତୃତୀୟ ବିଜୟ ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ ଦଖଲ କରିଛି । ଗୁରୁବାର ଅନୁଷ୍ଠିତ ୧୪ତମ ଲିଗ ମ୍ୟାଚରେ ଦଳ ୪୫ ରନ୍‌ରେ ୟୁପି ୱାରିୟର୍ସକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଜାଏଣ୍ଟ୍ସ ୮ ୱିକେଟ୍ ବିନିମୟରେ ୧୫୩ ରନ ସଂଗ୍ରହ କରିଥିଲା । ଜବାବରେ ୟୁପି ୱାରିୟର୍ସ ୧୭.୩ ଓଭରରେ ୧୦୮ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ।

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ୟୁପି ୱାରିୟର୍ସ । ଗୁଜରାଟ ଜାଏଣ୍ଟ୍ସ ପକ୍ଷରୁ ବେଥ ମୁନି ଓ ଡାନି ୱାଟ ପାଳି ଆରମ୍ଭ କରିଥିଲେ । ଉଭୟ ୨୩ ରନ ସଂଗ୍ରହ କରିବା ପରେ ପ୍ରଥମ ୱିକେଟ୍ର ପତନ ଘଟିଥିଲା । ୱାଟ୍ ୧୪ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ପରେ ପରେ ଅନୁଷ୍କା ଶର୍ମା ୩ଟି ଦର୍ଶନୀୟ ଚୌକା ମାରିଥିଲେ ହେଁ ୧୪ ରନ କରି ପାଭିଲିୟନ ଫେରିଥିଲେ । ଉଭୟଙ୍କୁ ଆଉଟ୍ କରିଥିଲେ କ୍ରାନ୍ତି ଗୌଡ଼ । ଆସଲି ଗାର୍ଡନର (୫) ନିରାଶ କରିଥିଲେ । ମୁନି ଗୋଟିଏ ପଟେ ସତର୍କତାର ସହ ବ୍ୟାଟିଂ ଜାରି ରଖିଥିଲେ । ତୃତୀୟ ୱିକେଟ୍‌ ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଶୋଫି ଡିଭାଇନ୍ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଚାପ ମୁକ୍ତ କରିଥିଲେ । ଦଳୀୟ ସ୍କୋର ୯୩ରେ ପହଞ୍ଚିଥିଲା । ୧୩ତମ ଓଭରରେ ଦୀପ୍ତି ଶର୍ମା ଯୋଡ଼ି ଭାଙ୍ଗିଥିଲେ ।

ମୁନି ୩୮ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଦଳ ନିୟମିତ ବ୍ୟବଧାନରେ ଆଉ ୪ଟି ୱିକେଟ୍ ହରାଇଥିଲା । ମାତ୍ର ଡିଭାଇନ ପ୍ରଭାବିତ ନ ହୋଇ ବିସ୍ଫୋରଣ ଜାରି ରଖିବା ସହ ଅର୍ଦ୍ଧଶତକ ଅର୍ଜନ କରି ଦଳୀୟ ସ୍କୋରକୁ ୧୫୩ରେ ପହଞ୍ଚାଇଥିଲେ । ସେ ୪୨ଟି ବଲ୍‌ରେ ୨ ଚୌକା ଓ ୩ଛକା ବଳରେ ୫୦ ରନ କରିଥିଲେ । ୟୁପି ୱାରିୟର୍ସ ପକ୍ଷରୁ କ୍ରାନ୍ତି ଓ ଶୋଫି ଏକ୍ଲେଷ୍ଟୋନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ୟୁପି ୱାରିୟର୍ସ ୨ ରନ୍ ମଧ୍ୟରେ ଓପନର କିରଣ ନଭଗିରେଙ୍କ ୱିକେଟ୍ ହରାଇଥିଲା । ସେ ଖାତା ଖୋଲି ପାରି ନଥିଲେ । ଅନ୍ୟ ଓପନର ମେଗ ଲ୍ୟାନିଂଙ୍କ ସହ ଫୋଏବ ଲିଚଫିଲ୍ଡ ମିଶି ସ୍ଥିତି ସୁଧାରିଥିଲେ ।

ଦଳୀୟ ସ୍କୋର ୩୯ ବେଳେ ବ୍ୟକ୍ତିଗତ ୧୪ ରନ କରି ଲ୍ୟାନିଂ ଆଉଟ୍ ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । ଅନ୍ୟ କୌଣସି ଖେଳାଳି ଗୁଜରାଟ ଜାଏଣ୍ଟସ ବୋଲରଙ୍କ ମୁକାବିଲା କରିପାରି ନଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଶେଷରେ ୧୦୮ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଲିଚଫିଲ୍ଡ ସର୍ବାଧିକ ୩୨ ଓ ଚୋଲେ ଟ୍ରିୟନ ଅପରାଜିତ ୩୦ ରନ କରିଥିଲେ । ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଗୁଜରାଟ ଜାଏଣ୍ଟ୍ସ ପକ୍ଷରୁ ରାଜେଶ୍ୱରୀ ଗାଏକୱାଡ୍ ୩ଟି, ରେଣୁକା ସିଂହ ଓ ଶୋଫି ଡିଭାଇନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।