ନୂଆଦିଲ୍ଲୀ,୧୬/୦୧: ସମୟ ଗଡୁଛି, ଜମୁଛି ଡବ୍ଲୁପିଏଲ୍ । ଚୌକା-ଛକାକୁ ଉପଭୋଗ କରୁଛନ୍ତି କ୍ରିକେଟପ୍ରେମୀ । ଚଳିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଜାଏଣ୍ଟ୍ସ ପରସ୍ପରକୁ ଭେଟିବେ । ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍ ଜିତି ସାରିଥିବାରୁ ତୃତୀୟ ବିଜୟ ପାଇଁ ଜୋରଦାର ଲଢ଼େଇ କରିବା ଏକ ପ୍ରକାର ନିଶ୍ଚିତ । ଗୁଜରାଟ ଜାଏଣ୍ଟ୍ସ ପ୍ରଥମ ୨ଟି ମ୍ୟାଚ୍ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିଲା । ପରେ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟ ପ୍ରଥମ ୨ଟି ମ୍ୟାଚ୍ ଜିତିବା ସହ ପଏଣ୍ଟ ତାଲିକାରେ ଜାଏଣ୍ଟ୍ସ ଦଳକୁ ପଛରେ ପକାଇଥିଲା ।

ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଶୀର୍ଷ ସ୍ଥାନ ପାଇଁ ପ୍ରବଳ ଦାବିଦାର ରହିଛି । ମାତ୍ର ଆଜିର ମ୍ୟାଚ୍‌ରେ ବିଜୟୀ ଦଳ ପୁଣି ଥରେ ଶୀର୍ଷ ସ୍ଥାନ ଦଖଲ କରିପାରିବେ । ଉଭୟ ଦଳରେ ଭରପୁର ତାରକା ଖେଳାଳି ରହିଥିବାରୁ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ । ମାତ୍ର ସ୍ମୃତି ମନ୍ଧନା ଓ ଆସଲି ଗାର୍ଡନରଙ୍କ ମଧ୍ୟରେ ଲଢ଼େଇ ମୁଖ୍ୟ ଆକର୍ଷଣ ସାଜିବ । ଉଭୟ ପରସ୍ପରକୁ ୨୭ଥର ଭେଟି ସାରିଛନ୍ତି । ଗାର୍ଡନରଙ୍କ ବିପକ୍ଷରେ ମନ୍ଧନା ୧୫୬ ରନ ସଂଗ୍ରହ କରିଛନ୍ତି ଓ ୯ ଥର ଆଉଟ୍ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ବୋଲର ମନ୍ଧନାଙ୍କୁ ଏତେ ଥର ଆଉଟ୍ କରି ନାହାନ୍ତି ।

ଚଳିତ ଡବ୍ଲୁପିଏଲ୍‌ରେ ବର୍ତ୍ତମାନ ସୁଦ୍ଧା ୧୬ଟି ମ୍ୟାଚ ଖେଳା ସରିଛି ।  ୪ ଲେଖାଏଁ ପଏଣ୍ଟ ସହ ଆରିସିବି ଏବଂ ଡେଫଣ୍ଡିଂ ଚାମ୍ପିଅନ ମୁମ୍ବାଇ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗୁଜରାଟ ତୃତୀୟ ସ୍ଥାନରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ଚତୁର୍ଥ ଓ ୟୁପି ୱାରିୟର୍ସ ପଞ୍ଚମ ସ୍ଥାନରେ ରହିଛି ।