ନୂଆଦିଲ୍ଲୀ,୧୧/୦୧: ଜମୁଛି ଡବ୍ଲୁପିଏଲ୍ । କ୍ରିକେଟକୁ ଉପଭୋଗ କରୁଛନ୍ତି ଫ୍ୟାନ୍ସ । ଚଳିତ ମହିଳା ପ୍ରମିୟର ଲିଗ୍ରେ ଆଜି (ରବିବାର) ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଜାଏଣ୍ଟସ ପରସ୍ପରକୁ ଭେଟିବେ । ଗୁଜରାଟ ଦଳ ପ୍ରଥମ ମ୍ୟାଚ୍ରେ ୟୁପି ୱାରିୟର୍ସକୁ ପରାସ୍ତ କରିଥିଲା । ଆଜି ଦିଲ୍ଲୀକୁ ହରାଇ ଦଳ ଏହି ବିଜୟ ଧାରା ଜାରି ରଖିବାକୁ ପ୍ରୟାସ କରିବ । ଦିଲ୍ଲୀ ପ୍ରଥମ ମ୍ୟାଚରେ ମୁମ୍ବାଇଠୁ ପରାସ୍ତ ହୋଇଥିଲା । ଆଜି ଦଳ ଖାତା ଖୋଲିବାକୁ ପ୍ରୟାସ କରିବ ।
ଗୁଜରାଟ ଜାଏଣ୍ଟ୍ସ ଦଳ ୟୁପି ବିପକ୍ଷ ପ୍ରଥମ ମ୍ୟାଚ୍ରେ ଦମଦାର ବ୍ୟାଟିଂ କରିଥିଲା । ଅଧିନାୟିକା ଆସଲି ଗାର୍ଡନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ଭାରତୀୟ ଘରୋଇ ଖେଳାଳି ଅନୁଷ୍କା ଶର୍ମା ମଧ୍ୟ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ମାତ୍ର ବୋଲିଂ ବିଭାଗ ସେଭଳି ଦକ୍ଷତା ପ୍ରମାଣ କରିପାରି ନଥିଲା । ରେଣୁକା ସିଂହଙ୍କୁ ଛାଡ଼ି ଦେଲେ ବାକି ସବୁ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଜିତିବାକୁ ହେଲେ ବୋଲିଂ ବିଭାଗର ତ୍ରୁଟି ଦୂର କରିବାକୁ ହେବ । ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ବହୁ ତାରକା ଖେଳାଳି ରହିଛନ୍ତି । ଅବଶ୍ୟ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଏହି ଖେଳାଳିମାନେ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନଥିଲେ । ତଥାପି କୌଣସି ମୁହୂର୍ତ୍ତରେ ମ୍ୟାଚ ଫଳାଫଳ ବଦଳାଇବାର କ୍ଷମତା ଏମାନଙ୍କ ନିକଟରେ ରହିଛି । ପିଚ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ରାତ୍ରିରେ କାକର ଯୋଗୁଁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ଗୁଜରାଟ ଜାଏଣ୍ଟ୍ସ: ବେଥ ମୁନି, ଶୋଫି ଡିଭାଇନ, ଅନୁଷ୍କା ଶର୍ମା, ଆସଲି ଗାର୍ଡନର (ଅଧିନାୟିକା), ଜର୍ଜିୟା ୱାରେହାମ, ଭାରତୀ ଫୁଲମାଲି, କନିକା ଆହୁଜା, କାଶଭୀ ଗୌତମ, ତନୁଜା କୱଁର, ରାଜେଶ୍ୱରୀ ଗାଏକୱାଡ୍, ରେଣୁକା ସିଂହ ।
ଦିଲ୍ଲୀ କ୍ୟାପିଟାଲ୍ସ: ଲିଜେଲି ଲି, ଶେଫାଳି ବର୍ମା, ଲୌରା ଉଲଭାର୍ଟ, ଜେମିମା ରୋଡ୍ରିଗ୍ସ (ଅଧିନାୟିକା), ମରିଜାନ କାପ, ନିକି ପ୍ରସାଦ, ଚିନେଲି ହେନରୀ, ସ୍ନେହ ରାଣା, ମିନୁ ମାନି, ଶ୍ରୀ ଚରଣୀ, ନନ୍ଦନୀ ଶର୍ମା ।