ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିଶ୍ବମଟେଷ୍ଟ ଚାମ୍ପିଅନସିପ୍ (WTC) ୨୦୨୩-୨୫ ଟାଇଟଲ ଜିତିବାର ଗୋଟିଏ ଦିନ ପରେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) WTC ୨୦୨୫-୨୭ ର କାର୍ଯ୍ୟସୂଚୀ ଘୋଷଣା କରିଛି। ଏଥିରେ ୯ଟି ଦଳ ମଧ୍ୟରେ ମୋଟ ୭୧ଟି ମ୍ୟାଚ୍ ଖେଳାଯିବ। ଏହା ଜୁନ୍ ୧୭ ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କାର ଗାଲେରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। 

 କାର୍ଯ୍ୟସୂଚୀ ଅନୁସାରେ, ଅଷ୍ଟ୍ରେଲିଆ ଏଥର ସର୍ବାଧିକ ୨୨ଟି ମ୍ୟାଚ୍ ଖେଳିବ । ଇଂଲଣ୍ଡକୁ୨୧ଟି ମ୍ୟାଚ୍ ଖେଳିବାକୁ ପଡିବ। ଏହି ବର୍ଷ ଶେଷ ଭାଗରେ ଆଶେସ୍ ସିରିଜ୍ ସମୟରେ ଉଭୟ ଦଳ ପରସ୍ପର ସହିତ ମୁକାବିଲା କରିବେ। ଟିମ୍ ଇଣ୍ଡିଆ ଜୁନ୍ ୨୦ ରୁ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ସହିତ ତା'ର ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ ଲିଡ୍ସରେ ଖେଳାଯିବ। 

 ଶୁଭମନ ଗିଲଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ୨୦୨୫-୨୭ରେ ମୋଟ ୧୮ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏହା ଜୁନ୍ ୨୦ରୁ ଇଂଲଣ୍ଡ ବିପକ୍ଷରେ ୫ଟି ଟେଷ୍ଟ ସିରିଜ୍ ସହିତ ଆରମ୍ଭ ହେବାକୁ ଯାଉଛି। ଏହା ପରେ, ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ। ଏହା ବ୍ୟତୀତ, ଭାରତୀୟ ଦଳ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ।

 ଟିମ୍ ଇଣ୍ଡିଆର ମ୍ୟାଚ୍‌

ଇଂଲଣ୍ଡ: ୫ ମ୍ୟାଚ୍‌

ୱେଷ୍ଟଇଣ୍ଡିଜ୍‌: ୨ ମ୍ୟାଚ୍‌

ଦକ୍ଷିଣ ଆଫ୍ରିକା: ୨ ମ୍ୟାଚ୍‌

ଅଷ୍ଟ୍ରେଲିଆ: ୫ ମ୍ୟାଚ୍‌

ଶ୍ରୀଲଙ୍କା: ୨ ମ୍ୟାଚ୍‌

ନ୍ୟୁଜିଲ୍ୟାଣ୍ଡ: ୨ ମ୍ୟାଚ୍‌

 ଅଷ୍ଟ୍ରେଲିଆଠାରୁ ପ୍ରତିଶୋଧ ନେବ ଭାରତ ! 

ଟିମ୍‌ ଇଣ୍ଡିଆ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ୨୦୨୩-୨୫ରେ ତୃତୀୟ ସ୍ଥାନରେ ରହିଥିଲା । କିନ୍ତୁ ଏଥର ଏହାର ଅଧିକାଂଶ ମ୍ୟାଚ୍‌ ଘରୋଇ ଗ୍ରାଉଣ୍ଡରେ ହେବ । ତେଣୁ ଯେକୌଣସି ଉପାୟରେ ଟ୍ରଫି  ଜିତିବାକୁ ଚାହିଁବ ଟିମ୍‌ ଇଣ୍ଡିଆ। ଏଥିରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆକୁ ଏଥର ଭାରତ ଗସ୍ତ କରିବାକୁ ପଡିବ। ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚଟିକିଆ ଟେଷ୍ଟ ସିରିଜ୍‌ ଜିତି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ।