ନୂଆଦିଲ୍ଲୀ,୮।୨୮: ଆମେରିକାର ଟାରିଫ ଓ୍ବାରକୁ ମିଳିବ କଡା ଟକ୍କର। ଟ୍ରମ୍ପଙ୍କୁ ଚେକ ଦେବାକୁ ଚୀନ୍ ତିଆରି କରୁଛି ରଣନୀତି। ଆଉ ଏଥିପାଇଁ ମାଗିଛି ଭାରତର ସାହାଯ୍ୟ। ୫ ମାସ ତଳେ ଭାରତକୁ ଜିନପିଙ୍ଗ ଲେଖିଥିବା ସିକ୍ରେଟ ଚିଠିକୁ ନେଇ ଏବେ ବଢିଲା ଚର୍ଚ୍ଚା। କିଭଳି ଟ୍ରମ୍ପକୁ ମାତ ଦେବେ ତାକୁ ନେଇ ଚିଠିରେ ଥିଲା ପୁରା ପ୍ଲାନ।
ଟ୍ରମ୍ପଙ୍କ ଟାରିଫ ଓ୍ବାର ପରେ ସୁଧରୁଛି ଭାରତ-ଚୀନ ସମ୍ପର୍କ। ଭାରତ ଉପରେ ଏବେ ଆମେରିକା ଲଗାଇଛି ୫୦% ଟାରିଫ। ଏହାପରେ ଆମେରିକାକୁ ମୁକାବିଲା କରିବାକୁ ଏକାଠି ହୋଇଛନ୍ତି ଦୁଇ କ୍ଷମତା ସମ୍ପନ୍ନ ରାଷ୍ଟ୍ର। ୭ ବର୍ଷ ପରେ ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ଗସ୍ତରେ ଯିବେ। ଯାହାକି ଭାରତ-ଚୀନ ସମ୍ପର୍କକୂ ନୂଆ ଦିଗକୁ ନେଇଯିବାର ସମ୍ଭାବନା ସୃଷ୍ଟି କରୁଛି। ତେବେ ଏହାର ମୂଳଦୁଆ ପକାଇଥିଲେ ନିଜେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ। ୫ ମାସ ତଳେ ଭାରତକୁ ଲେଖିଥିଲେ ଏକ ସିକ୍ରେଟ ଚିଠି। ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା। ଜିନପିଙ୍ଗ ଏହି ଚିଠି ଭାରତର ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ନିକଟକୁ ଲେଖିଥିଲେ। ଯାହା ସମ୍ପର୍କରେ ପିଏମ୍ ମୋଦିଙ୍କୁ ସୂଚନା ଦିଆଯାଇଥିଲା। ଚିଠିରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଧାରିବା ସହ ଆମେରିକାର ଟାରିଫ ଓ୍ବାରକୁ କିଭଳି ମୁକାବିଲା କରିହେବ ତା’ର ଥିଲା ପୁରା ପ୍ଳାନିଂ। ଚିଠିଟି ଅତ୍ୟନ୍ତ ସତର୍କତାର ସହ ଲେଖାଯାଇଥିଲା, ଯେଉଁଥିରେ ଆମେରିକାର ଆର୍ଥିକ କାର୍ଯ୍ୟକଳାପ ଉପରେ ଚିନ୍ତା ପ୍ରକାଶ କରାଯାଇଥିଲା । ଏହା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାର କୂଟନୈତିକ ପ୍ରସ୍ତାବ ଦିଆଯାଇଥିଲା। ଜିନପିଙ୍ଗଙ୍କ ଚିଠି ଏପରି ଏକ ସମୟରେ ଆସିଥିଲା ଯେତେବେଳେ ଚୀନ ଏବଂ ଭାରତ ଉଭୟ ଉପରେ ୱାଶିଂଟନର ବାଣିଜ୍ୟ ଚାପ ବୃଦ୍ଧି ପାଇଥିଲା।
ଆମେରିକା ସହ ଟାରିଫ୍ ଓ୍ବାରରେ ଜିନପିଙ୍ଗ ଦୁର୍ବଳ ହେବାକୁ ଚାହୁଁ ନଥିଲେ। ସେଥିପାଇଁ ସେ ସିଧାସଳଖ ଭାରତ ସହିତ ଯୋଗାଯୋଗ କରିଥିଲେ। ଜିନପିଙ୍ଗ ସମଗ୍ର ପ୍ରସଙ୍ଗକୁ ଅତ୍ୟନ୍ତ ଗୁପ୍ତ ରଖିବାକୁ ଚାହୁଁଥିଲେ। ଚିଠିରେ ଆମେରିକାର ବାଣିଜ୍ୟ ଚୁକ୍ତିନାମାକୁ ଚୀନ ସ୍ୱାର୍ଥ ପାଇଁ କ୍ଷତିକାରକ ବୋଲି କୁହାଯାଇଥିଲା। ସେ ସମୟରେ ଚୀନ ଏବଂ ଆମେରିକା ମଧ୍ୟରେ ଟାରିଫ୍ ଓ୍ବାର ୨୫୦%ରେ ପହଁଞ୍ଚି ଯାଇଥିଲା। ଜୁନ ପଯ୍ୟନ୍ତ ଭାରତ ଜିନପିଙ୍ଗ ଏହି ସିକ୍ରେଟ ଲେଟର ଉପରେ କୌଣସି ପ୍ରତିକ୍ରିୟା ଦେଇନଥିଲା। ଏହି ପ୍ରସଙ୍ଗରେ ଭାରତ ସମ୍ପୂର୍ଣ୍ଣ ଭାବରେ ନିରବତା ରକ୍ଷା କରିଥିଲା। ଯେତେବେଳେ ଦୁଇ ଦେଶ ଭିତରେ ଟ୍ରେଡ ଓ୍ବାର ଶେଷ ହେଲା ସେବେ ଯାଇ ଭାରତ ଚୀନ୍ ସମ୍ପର୍କ ଠିକ୍ କରିବାର ପଦକ୍ଷେପ ଉପରେ ପ୍ରତିକ୍ରିୟା ରଖିଥିଲା। ଏହାପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଏନଏସଏ ଅଜିତ ଡୋଭାଲ ଚୀନ୍ ଯାଇଥିଲା। ତା ପରେ ଚୀନ୍ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟି ନୂଆଦିଲ୍ଲୀ ଆସିଥିଲେ। ଦୁଇ ଦେଶ ଭିତରେ ଲଗାତାର ବଢୁଥିବା ସୁ-ସମ୍ପର୍କ ଆଗାମୀ ଦିନରେ ଟ୍ରମ୍ପଙ୍କ ନିଦ ଉଡାଇପାରେ ବୋଲି ଚର୍ଚ୍ଚା ହେଉଛି।