ମୁମ୍ୱାଇ,୦୬/୧୧: ଜଣାଶୁଣା କନ୍ନଡ ଅଭିନେତା ହରିଶ ରାୟଙ୍କ ଦେହାନ୍ତ। ତାଙ୍କ ମୃତ୍ୟୁକୁ ନେଇ କନ୍ନଡ ସିନେଜଗତରେ ଶୋକର ଛାୟା ଖେଳିଯାଇଛି। ଗତ କିଛି ବର୍ଷ ଧରି ହରିଶ କର୍କଟ ରୋଗରେ ପୀଡିତ ଥିବା ଜଣାପଡିଛି। ତେବେ ତାଙ୍କୁ ମୃତ୍ୟୁ ବେଳକୁ ୫୫ ବର୍ଷ ହୋଇଥିଲା । କନ୍ନଡ ସିନେମାର ସବୁଠାରୁ ସଫଳ ଫିଲ୍ମ କେଜିଏଫ ଏବଂ କେଜିଏଫ ଚାପ୍ଟର ୨ରେ ମଧ୍ୟ ସେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କର କାକା ଭୂମିକା ବେଶ ପ୍ରସିଦ୍ଧ ହୋଇଥିଲା। ସେ ତାଙ୍କର ଖଳନାୟକ ଭୂମିକା ପାଇଁ ମଧ୍ୟ ଜଣାଶୁଣା ଥିଲେ।
ତେବେ ହରିଶ ଦୀର୍ଘ ଦିନ ଧରି ଥାଇରଏଡ୍ କର୍କଟ ରୋଗରେ ପୀଡିତ ଥିଲେ। ଏହି ସମୟରେ କେଜିଏଫ୍ ଷ୍ଟାର ୟଶଙ୍କ ସମେତ ଅନେକ ସେଲିବ୍ରିଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେ କିଛି ସମୟ ଧରି ବେଙ୍ଗାଲୁରୁର କିଡୱାଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଗତ କିଛି ଦିନ ଧରି ହରିଶ ବହୁତ ଦୁର୍ବଳ ହୋଇଥିବା ବେଳେ ଆଜି ସେ ଜୀବନଯୁଦ୍ଧରେ ହାରି ଯାଇଛନ୍ତି ।
ନିକଟରେ ହରିଶ ରାୟ ତାଙ୍କର ମହଙ୍ଗା ଚିକିତ୍ସା ବିଷୟରେ ଗଣମାଧ୍ୟମ ସହିତ କଥା ହୋଇଥିଲେ। ତାଙ୍କୁ ବହୁତ ମହଙ୍ଗା ଇଞ୍ଜେକ୍ସନ ଦିଆଯାଉଥିଲା। ସେ କହିଥିଲେ ଯେ ଡାକ୍ତର ଇଞ୍ଜେକ୍ସନ ଲେଖିଥିଲେ, ଯାହାର ମୂଲ୍ୟ ୩.୫୫ ଲକ୍ଷ । ସେ ତାଙ୍କୁ ପ୍ରତି ୬୩ଟି ଦିନରେ ତିନୋଟି ଇଞ୍ଜେକ୍ସନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ ଥାଉକି, ତାଙ୍କର ଫିଲ୍ମ କ୍ୟାରିୟର ମଧ୍ୟରେ, ହରିଶ କନ୍ନଡ ସିନେମା, ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ କାମ କରିଛନ୍ତି। ୧୯୯୫ ମସିହାରେ ଫିଲ୍ମ "ଓମ୍" ରେ ଡନ୍ ରାୟ ଏବଂ କେଜିଏଫ ଫିଲ୍ମରେ କାସିମ୍ ଚାଚା ଭୂମିକା ତାଙ୍କର ସବୁଠାରୁ ପ୍ରସିଦ୍ଧ ଥିଲା।