ନୂଆଦିଲ୍ଲୀ: ଟାଇମ୍ ମାଗାଜିନ୍ ଭାରତୀୟ ଓପନର ଯଶସ୍ୱୀ ଜୟସ୍ୱାଲଙ୍କୁ ବିଶ୍ୱର ୧୦୦ ଉଦୀୟମାନ ତାରକାଙ୍କ ମଧ୍ୟରେ ସ୍ଥାନ ଦେଇଛି। ୨୦୨୫ ଟାଇମ୍ ୧୦୦ ନେକ୍ସଟରେ ଜୟସ୍ୱାଲ ଏକମାତ୍ର କ୍ରିକେଟର ଭାବରେ ସ୍ଥାନ ପାଇଛନ୍ତି। ୨୩ ବର୍ଷୀୟ ବ୍ୟାଟର ବୁଧବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ନିଜର ଖୁସି ପ୍ରକାଶ କରିଛନ୍ତି। ଯଶସ୍ୱୀ ଏକ୍ସରେ ପୋଷ୍ଟ କରିଛନ୍ତି, ‘କି ସୁନ୍ଦର ସମୟ ! ଭବିଷ୍ୟତ ଗଠନ କରୁଥିବା ଲିଡରଙ୍କ ତାଲିକାରେ ମୋତେ ଟାଇମ୍ ୧୦୦ ନେକ୍ସଟ ୨୦୨୫ ରେ ସାମିଲ କରାଯାଇଛି। ମୁଁ ଏଥିରେ ବହୁତ ଗର୍ବିତ। ଏହା ମୋତେ ମନେ ପକାଇ ଦିଏ ଯେ, ମୁଁ କେତେ ଦୂର ଆସିଛି ଏବଂ ମୁଁ କେତେ ଆଗକୁ ଯିବାକୁ ଚାହୁଁଛି।’
ଯଶସ୍ୱୀ ଜୟସ୍ୱାଲ ବର୍ତ୍ତମାନ ଅହମ୍ମଦାବାଦରେ ଅଛନ୍ତି। ତାଙ୍କୁ ଅକ୍ଟୋବର ୨ତାରିଖରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳରେ ମନୋନୀତ କରାଯାଇଛି। ବୁଧବାର ଯଶସ୍ୱୀ ଟିମ୍ ଇଣ୍ଡିଆର ଅଭ୍ୟାସ ସେସନ୍ରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ମ୍ୟାଚ୍ ସକାଳ ୯ ଟାରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଟାଇମ ମାଗାଜିନ୍ ତାଲିକାରେ ଯଶସ୍ୱୀ ଜୟସୱାଲ, ସ୍ପାନିସ୍ ଫୁଟବଲ୍ ଖେଳାଳି ଲାମିନ୍ ୟାମାଲ, ଆମେରିକୀୟ ବାସ୍କେଟବଲ୍ ଖେଳାଳି ପାଇଗେ ବୁଏକର୍ସ, ଆମେରିକୀୟ ଟେନିସ୍ ତାରକା ଟେଲର ଫ୍ରିଜ୍ ଏବଂ ଥାଇ ଗଲ୍ଫର୍ ଜିନୋ ଥିଟିକୁଲ୍ ସମେତ ପାଞ୍ଚ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି।
ଟାଇମ୍ ୧୦୦ ନେକ୍ସଟ୍ ୨୦୧୯ ମସିହାରେ ଆରମ୍ଭ ହୋଇଥିଲା। ଭାରତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଏହି ତାଲିକାରେ ସାମିଲ କରାଯାଇଥିଲା । ସେ ଏହି ତାଲିକାରେ ସାମିଲ ହୋଇଥିବା ପ୍ରଥମ ଭାରତୀୟ ହୋଇଥିଲେ। ସେହି ବର୍ଷ, ଇଂଲଣ୍ଡର ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସ ଏହି ତାଲିକାରେ ସାମିଲ ହୋଇଥିବା ପ୍ରଥମ କ୍ରିକେଟର ହୋଇଥିଲେ। ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌରଙ୍କୁ ୨୦୨୨ ମସିହାରେ ସାମିଲ କରାଯାଇଥିଲା।
ସେପଟେ ଟାଇମ୍ ମାଗାଜିନ୍ ବୁଧବାର ୨୦୨୫ ମସିହାର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି। ବାଂଲାଦେଶ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି । କିନ୍ତୁ ଏଥର କୌଣସି ଭାରତୀୟଙ୍କୁ ଏହି ତାଲିକାରେ ସାମିଲ କରାଯାଇ ନାହିଁ। ଗତ ୨୧ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ହୋଇଛି ଯେ, କୌଣସି ଭାରତୀୟ ଟାଇମ ମାଗାଜିନ୍ର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇ ନାହାନ୍ତି ।