ଭୁବନେଶ୍ୱର,୨୧/୦୬ : ଯୋଗକୁ ନେଇ ବିଶ୍ୱବ୍ୟାପୀ ଚାଲିଛି ଜୋର୍‌ସୋର୍‌ ପ୍ରଚାର ପ୍ରସାର । ଖୋଦ୍‌ ପ୍ରଧାନମନ୍ତ୍ରୀ ଯୋଗକୁ ନିଜ ନିତିଦିନିଆ ଜୀବନରେ ସାମିଲ କରିବା ଲାଗି ଉତ୍ସାହିତ କରୁଛନ୍ତି । କିନ୍ତୁ ସବୁଠାରୁ ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟରେ ଖୋଲିଥିବା ଯୋଗ କୋର୍ସ ବନ୍ଦ ହୋଇଯାଇଛି । ଲାଗୁଛି ଯେମିତି ଯୋଗ ପାଠ୍ୟକ୍ରମକୁ ରୋଗ ଗ୍ରାସିଛି । ଜୁନ୍‌ ୨୧ ଯୋଗ ଦିବସକୁ ସମଗ୍ର ବିଶ୍ୱରେ ପାଳନ କରାଯାଉଛି । ଯୋଗ ଦ୍ୱାରା ଅନେକ ରୋଗର ସମାଧାନ ହେଉଛି । ହେଲେ ସ୍କୁଲ, କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ଯୋଗ କୋର୍ସ ନାହିଁ । ଯେଉଁ କିଛି ସ୍ଥାନରେ ସେଲ୍ଫ ଫାଇନାନ୍ସ କୋର୍ସ ଖୋଲିଥିଲା ତାହା ବି ବନ୍ଦ କରିଦିଆଗଲା । ଯୋଗକୁ ନେଇ ଚାଲିଥିବା ପ୍ରଚାର ପ୍ରସାର କେବଳ ସୋସିଆଲ ମିଡିଆରେ ସୀମିତ ରହିଛି । ନହେଲେ ଅନ୍ତର୍ଜାତୀୟ ଯୋଗ ଦିବସ ଆସିଲେ ମନେ ପଡ଼ୁଛି । 

ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୋଗରେ ସେଲ୍ଫ ଫାଇନାନ୍ସ କୋର୍ସ ୨୦୦୮ରେ ଆରମ୍ଭ ହୋଇଥିଲା । ୧୮ ସିଟ୍‌ ବିଶିଷ୍ଟ ଏହି କୋର୍ସ କରିବା ଲାଗି ଛାତ୍ରଛାତ୍ରୀଙ୍କ ଭିତରେ ଲାଗୁଥିଲା ପ୍ରତିଯୋଗିତା । କିନ୍ତୁ ୧୦ ବର୍ଷ ହେଲା ଯୋଗକୁ ନେଇ ଥିବା ସେଲ୍ଫ ଫାଇନାନ୍ସ କୋର୍ସ ବନ୍ଦ କରି ଦିଆଯାଇଛି । ସଂସ୍କୃତ ବିଭାଗର ମୁଖ୍ୟ ଡ.ମନୋରଞ୍ଜନ ସେନାପତି କହିଛନ୍ତି, ୨୦୧୬ରୁ ଏହି କୋର୍ସରେ କୌଣସି ଆଡମିସନ୍‌ ହେଉନାହିଁ । ଚଳିତବର୍ଷ ଏହି କୋର୍ସ ଆରମ୍ଭ କରାଯିବାକୁ ଯୋଜନା ଚାଲିଛି । ପୂର୍ବତନ ଭିସି ସବିତା ଆଚାର୍ଯ୍ୟ ଏହି କୋର୍ସ ଆଉ ଥରେ ଆରମ୍ଭ ହେବ ବୋଲି ମଧ୍ୟ କହିଥିଲେ । ଏହାକୁ ଆରମ୍ଭ କରିବା ପରେ ଏକ ସ୍ଥାୟୀ ବିଭାଗ ଭାବେ ଖୋଲିବାକୁ ସରକାରଙ୍କୁ ମଧ୍ୟ ସୁପାରିସ କରାଯିବ ବୋଲି କହିଛନ୍ତି ଶ୍ରୀ ସେନାପତି । 

ହ୍ୟୁମାନ୍‌ କନ୍‌ସିୟସ୍‌ନେସ୍‌ ଆଣ୍ଡ ଯୋଗିକ୍‌ ସାଇନ୍ସ(ଏଚ୍‌ସିୱାଇଏସ୍‌) ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗ ଅଧୀନରେ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମ ଭାବେ ଚାଲିଥିଲା । ସଂସ୍କୃତ ବିଭାଗର ପ୍ରଫେସର ମଧ୍ୟରୁ ଜଣେ କୋଅର୍ଡିନେଟ୍‌ର ଥିଲେ । ସଂସ୍କୃତ ବିଭାଗର ଦୁଇଟି କୋର୍ସ ମଧ୍ୟ ଏଠାରେ ପଢ଼ାଯାଉଥିଲା । ୫ବର୍ଷିଆ ଏହି କୋର୍ସ ପାଇଁ ସ୍ଥାୟୀ ଶିକ୍ଷକ ନଥିଲେ । ଡିପ୍ଲୋମା ୨ବର୍ଷ(୧୫ହଜାର) ଓ ଡିଗ୍ରୀ ୩ବର୍ଷ(୩୦ହଜାର) ଥିଲା । ଜଣେ ଚାହିଁଲେ ୫ବର୍ଷିଆ କୋର୍ସ ବି କରିପାରୁଥିଲେ । କିନ୍ତୁ ଏହି କୋର୍ସ ବନ୍ଦ ହୋଇଗଲା । ପୂର୍ଣ୍ଣଚନ୍ଦ୍ର ବେହେରା ଉତ୍କଳ ବିଶ୍ୱବିଦ୍ୟାଳୟ ସେଲ୍ଫ ଫାଇନାନ୍ସ ଯୋଗ କୋର୍ସର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ସେ ୨୦୦୯ରେ ଆଡମିସନ୍‌ କରିଥିଲେ । ଅନ୍ୟ କେଉଁଠି ବେସରକାରୀ ସଂସ୍ଥାରେ ଯୋଗ କୋର୍ସ କଲେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହିଠାରେ ୫୦ ହଜାର ଟଙ୍କାରେ କୋର୍ସ ସମ୍ପୂର୍ଣ୍ଣ ହୋଇଯାଉଥିଲା । ଶ୍ରୀ ବେହେରା କହିଥିଲେ, ୨୦୦୮- ୦୯ ବେଳକୁ ଯୋଗକୁ ନେଇ ବହୁ ଉତ୍ସାହ ଦେଖିବାକୁ ମିଳିଥିଳା । ହେଲେ ଓଡ଼ିଶାରେ ସେହିଭଳି ଯୋଗ ଶିକ୍ଷକ ବା ଇନ୍‌ଷ୍ଟ୍ରକଟର ନଥିଲେ । କିନ୍ତୁ ଦୁଃଖର ବିଷୟ ଏହି କୋର୍ସ ବନ୍ଦ ହୋଇଗଲା ବୋଲି ଶ୍ରୀ ବେହେରା କହିଛନ୍ତି ।