ଭୁବନେଶ୍ୱର,୨୨/୦୨ : ଓଡ଼ିଶାରେ ଆସନ୍ତା ଏପ୍ରିଲ ୧ ତାରିଖରୁ ହେବ ମତଦାତା ସୂଚୀରେ ସ୍ୱତନ୍ତ୍ର ସଘନ ସଂଶାଧନ ବା ଏସଆଇଆର୍ । ଏବେ ଜାରି ରହିଛି ମ୍ୟାପିଂ । ୨୦୦୨ ଓ ୨୦୨୫ର ଭୋଟର ତାଲିକା ଅନୁସାରେ ଏସଆଇଆର ହେବ । ତେବେ ଏସଆଇଆର ପ୍ରକ୍ରିୟା ବେଳେ ଭୋଟରମାନଙ୍କୁ ଅଯଥାରେ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି କାଗଜପତ୍ର ମାଗି ହଇରାଣ କରନ୍ତୁ ନାହିଁ । ନିର୍ବାଚନ କମିଶନ କିମ୍ବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶ ନାହିଁ । ତେଣୁ ସେଥିରୁ ନିବୃତ୍ତ ରହିବାକୁ ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ର ସମସ୍ତ ଇଆରଓଙ୍କୁ ଚିଠି ଲେଖିଛନ୍ତି ।
ବୁଥ୍ସ୍ତରୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ କହିଛନ୍ତି । ଯଦି ଏଥିରେ ତ୍ରୁଟିବିଚ୍ୟୁତି ଦେଖାଦେବ, ତାହେଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ସେହିପରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ସନ୍ଥ ଗୋପାଳନଙ୍କ ସୂଚନା ଅନୁସାରେ, ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଜୁଲାଇ ମାସ ପର୍ଯ୍ୟନ୍ତ ଏସଆଇଆର ଚାଲିବ । ୨୩ ବର୍ଷ ହେବ ଏସଆଇଆର୍ ହୋଇ ନଥିବାରୁ ଏବେ କରାଯିବ । ଏପ୍ରିଲ ୧ରୁ ଆରମ୍ଭ ହେବ । ୨୦୦୨ରେ ହୋଇଥିବା ଏସଆଇଆରକୁ ଭିତ୍ତି କରି କାମ ଆଗେଇବ । ୨୦୨୫ ଭୋଟର ତାଲିକାରେ ୩ କୋଟି ୪୧ ଲକ୍ଷ ଭୋଟର ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୦୦୨ ଭୋଟର ତାଲିକା ସହ ଟ୍ରେସିଂ କରାଯାଉଛି । ଯାହାକୁ ମ୍ୟାପିଂ ବୋଲି କୁହାଯାଉଛି । ୮୦ ପ୍ରତିଶତ କାମ ସରିଲାଣି । ଆମେ ୯୫ ପ୍ରତିଶତ କରିଦେବୁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ୍ କହିଛନ୍ତି । ଏସଆଇଆର କରିବାର ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ କରିବା । ଯେଉଁମାନେ ଚାଲି ଯାଇଛନ୍ତି କିମ୍ବା ବାସସ୍ଥାନ ପରିବର୍ତ୍ତନ କରିଛନ୍ତି, ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ୍ କରିବା ଏହାର ଲକ୍ଷ୍ୟ । ସାରା ରାଜ୍ୟରେ ଏକା ସାଙ୍ଗରେ ଏସଆଇଆର ହେବ ।
ଆହୁରି ପଢନ୍ତୁ- "ସେବାର ଅନନ୍ୟ ଉଦାହରଣ 'ସ୍ନେହଲତା': ଗୋଶାଳାରେ ପାଳିଛନ୍ତି ୧୫୦ରୁ ଉର୍ଦ୍ଧ୍ୱ ଗୋରୁ, ଦୁଃସ୍ଥଙ୍କ ପାଇଁ ଆଶାର କିରଣ
ପ୍ରଥମେ ମ୍ୟାପିଂ ସରିବା ପରେ ସମସ୍ତଙ୍କୁ ଗୋଟେ ଗୋଟେ ଏନୁମରେସନ୍ ଫର୍ମ ଦିଆଯିବ । ଯାହାକୁ ସେମାନେ ପୂରଣ କରି ଫଟୋ ଲଗାଇ ଆମକୁ ଦେବେ । ୨୦୨୫-୨୬ ଭୋଟର ତାଲିକାରେ ଥିବା ବ୍ୟକ୍ତିଙ୍କୁ ଆମେ ୨୦୦୨ ତାଲିକା ସହ ଯାଞ୍ଚ କରିବୁ । ଯାହାର ଯାଞ୍ଚ ନ ହୋଇପାରିବ, ତାଙ୍କୁ ଆମେ ଡକ୍ୟୁମେଣ୍ଟ ମାଗିବୁ । ଡକ୍ୟୁମେଣ୍ଟ ମିଳିବା ପରେ ତାଙ୍କୁ ଭୋଟର ତାଲିକାରେ ଯୋଡ଼ିବୁ କି ବାଦ୍ ଦେବୁ ତାହା ସ୍ଥିର କରିବୁ । ସବୁବେଳେ ଭୋଟର ତାଲିକାରେ ଯୋଡ଼ିବା ପ୍ରକ୍ରିୟା ସ୍ୱାଭାବିକ ଭାବେ ହେଉଛି । ହେଲେ କାଟିବା ସମୟରେ ଠିକ ଭାବେ ଲୋକ କାଟୁନାହାନ୍ତି । କିଏ ମରିଗଲେ, ଝିଅ ବାହା ହୋଇ ଚାଲିଗଲେ, ଘର କିମ୍ବା ଚାକିରିରେ ବଦଳି ହେଲେ ଲୋକେ ଭୋଟର ତାଲିକାରୁ ନିଜ ନାମ କାଟୁନାହାନ୍ତି । ପ୍ରତି ବର୍ଷ ୪% ନୂଆ ଭୋଟର ଯୋଡ଼ୁଛନ୍ତି । ୨% କଟିବା କଥା । ମାତ୍ର ତାହା ମଧ୍ୟ ଠିକ ଭାବେ ହେଉନି । ଚିଠା ଭୋଟର ତାଲିକା ପ୍ରସ୍ତୁତ ହେବ । ଜଣେ ବି ଯୋଗ୍ୟ ଭୋଟର୍ ବାଦ ପଡ଼ିବେନି ବୋଲି ଶ୍ରୀ ଗୋପାଳନ କହିଛନ୍ତି ।