ବାରଙ୍ଗ, ୧୨/୦୭: ପାରିବାରିକ କଳହର କରୁଣ ପରିଣତି । ମୁଣ୍ଡଳୀ ବ୍ରିଜ୍ ଉପରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି । ବ୍ରିଜ୍ ଉପରୁ ଗାଡ଼ି ଜବତ କଲା ପୁଲିସ । ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜି ତଦନ୍ତ କରୁଛି ଗୋଡିସାହି ଫାଣ୍ଡି ପୁଲିସ ।
ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବୋଲୋଗଡ ଗବଡି ଗ୍ରାମର ହେମନ୍ତ କୁମାର ସାହୁ (୩୫ବର୍ଷ) ଧୂପକାଠି ବ୍ୟବସାୟ କରୁଥଲେ । ସେ ବହୁ ଟଙ୍କା ଧାର କରଜ କରିଥିବା ବେଳେ ସେ ସବୁ ସୁଝିବା ପାଇଁ ଅନେକ ସମୟରେ ଚିନ୍ତାରେ ରହୁଥିଲେ । ଏହି କାରଣକୁ ନେଇ ହେମନ୍ତ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହା ପରେ ସେ ଘରୁ ବାହାରି କେଉଁଆଡେ ଚାଲିଯାଇଥିଲେ । ରାତିରେ ପତ୍ନୀଙ୍କୁ ଶେଷ ମେସେଜ୍ କରି ମୁଣ୍ଡଳୀ ବ୍ରିଜ୍ରୁ ଡେଇଁ ପଡ଼ିବେ ବୋଲି କହିଥିଲେ ।
ସେପଟେ ଶୁକ୍ରବାର ବିଳମ୍ୱିତ ରାତିରେ ବାରଙ୍ଗ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବ୍ରିଜ ଉପରେ ଗାଡି ଥୁଆ ହୋଇଥିବା ଦେଖିଥିଲେ। ଗାଡ଼ି ପାଖରେ କାହାକୁ ନପାଇବାରୁ ଗାଡିଟିକୁ ଗୋଡିସାହି ଫାଣ୍ଡିକୁ ନେଇଥିଲେ । ଘଟଣା ସ୍ଥଳରେ ପହଞ୍ଚି ଗୋଡିସାହି ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସ ଠାରୁ ଖବର ପାଇ ପରିବାର ଲୋକ ଗୋଡିସାହି ଫାଣ୍ଡିକୁ ଆସିଥିଲେ । ତେବେ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା କେଉଁଆଡେ ଚାଲିଯାଇଛନ୍ତି, ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।