ବଲାଙ୍ଗୀର, ୨୩/୦୭: ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମଦଭାଟିର ସୁରକ୍ଷା ପାଇଁ ଥିବା ପହଲବାନଙ୍କୁ ୪ରୁ ଅଧିକ ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ସିନଖମନ ଗାଁର ଏକ ମଦଭାଟିର ପହଲବାନଙ୍କୁ ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଯାଇଛନ୍ତି । ମୃତ ଯୁବକ ଜଣକ ହେଲେ ସରଦା ଯାଦବ ଏବଂ ତାଙ୍କ ଘର ବିହାରର ଓରଙ୍ଗାବାଦର ଖପର ମରହା ଗାଁରେ । ଏନେଇ ଖବର ମିଳିବା ପରେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ପରେ ଶବକୁ ଭୀମଭୋଇ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ହତ୍ୟାର କାରଣ ନିଶା କାରବାର ସହ ପୂର୍ବ ଶତ୍ରୁତା ପାଇଁ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ସୂଚନା ପାଇଛି ।