ନିମବାହାଳି, ୧୨/୧୧ : ଦନ୍ତାହାତୀ ମୁହଁକୁ ଯାଇ ତା ସହ ଲାଗୁଛି । ଲାଞ୍ଜ ଟାଣି ଚିଡ଼ାଉଛି । ହାତୀ ଗୋଡ଼ାଉଥିବା ବେଳେ ପଛକୁ ଫେରି ଆସି ପୁଣି ତା ନିକଟକୁ ମାଡ଼ି ଯାଉଛି । ଆଗରେ ଗୁରୁଣ୍ଡି ଲଢ଼େଇ କରିବାକୁ ଆହ୍ୱାନ ଦେଉଛି । ହାତୀକୁ ବାଡ଼ିରେ ପିଟି, ଟେକା ପଥର ମାରି କଲବଲ କରୁଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ୍ ପାଇକପୁରୁଣାକୋଟ ଅଞ୍ଚଳରେ ଏକ ଚିକିତ୍ସାଧୀନ ଦନ୍ତାହାତୀ ସହ ଗତ କିଛିଦିନ ହେଲା ଜଣେ ଯୁବକ ଏଭଳି ହରକତ ଚଳାଇଛି । ରିଲ୍ସ ପାଇଁ ହାତୀକୁ ହଇରାଣ କରିବା ସହ ନିଜ ଜୀବନକୁ ବାଜିରେ ଲଗାଉଛି । ଏ ସମ୍ପର୍କିତ ଭିଡିଓ ସମ୍ପୃକ୍ତ ଯୁବକ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଅପଲୋଡ୍ କରି ନିଜକୁ ଭାରୀ ସାହସୀ ବୋଲି ପରିଚୟ ଦେଉଛନ୍ତି ।

ଏହି ଭିଡିଓ କ୍ଲିପ୍ ଭାଇରାଲ୍ ହୋଇଥିବା ବେଳେ ହାତୀ ସହ ଏପରି ଭାବେ ଲାଗି ତାକୁ ଚିଡଚିଡା କରାଇବାକୁ ଲୋକେ ନାପସନ୍ଦ କରିଛନ୍ତି । ଏହା ବନ୍ୟପ୍ରାଣୀ ଓ ମଣିଷ ବିବାଦକୁ ଆହୁରି ବଢ଼ାଇବ ବୋଲି ବନ୍ୟପ୍ରାଣୀ ପ୍ରେମୀ ମତ ଦେବା ସହ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ପାଇକପୁରୁଣାକୋଟ ଅଞ୍ଚଳରେ କାଚଖଣ୍ଡ ମାଡ଼ି ଆହତ ଗୋଠଛଡ଼ା ଦନ୍ତାହାତୀର ଚିକିତ୍ସା ଜାରି ରଖିଛି ବନ ବିଭାଗ । ଗୋଡ଼ରେ କ୍ଷତ ଯୋଗୁଁ ହାତୀଟି ବିଶେଷ ଚଳପ୍ରଚଳ କରିପାରୁନାହିଁ । ଦନ୍ତାହାତୀ ହୋଇଥିଲେ ମଧ୍ୟ ଶାନ୍ତ ସ୍ୱଭାବର ହୋଇଥିବାରୁ କିଛି ଯୁବକ ରିଲ୍ସ କରିବାକୁ ତା’ ନିକଟକୁ ଯାଇ ତାକୁ ହଇରାଣ କରୁଛନ୍ତି । ଟିଲୋ ଓରଫ ତ୍ରିଲୋଚନ ନାମକ ଜଣେ ଯୁବକ ନିୟମିତ ଏହି ଆହତ ଦନ୍ତାକୁ ଚିଡ଼ଚିଡ଼ା କରୁଛି । ଗୋଡ଼ରେ କାଚଖଣ୍ଡ ପଶିଥିବାରୁ ହାତୀ ଠିକ୍ ଭାବେ ଚାଲି ପାରୁନଥିବା ବେଳେ ତାକୁ ସମ୍ପୃକ୍ତ ଯୁବକ ଦୌଡ଼ାଇ ଦୌଡ଼ାଇ ନୟାନ୍ତ କରୁଛି । ଫଳରେ ହାତୀର କ୍ଷତ ଶୁଖିବା ପରିବର୍ତ୍ତେ ଅଧିକ ହେବାରେ ଲାଗିଛି । ହିନ୍ଦୋଳ ରେଞ୍ଜ୍ ଅଧିକାରୀ ତ୍ରିଲୋଚନ ଦେହୁରୀ କହିଛନ୍ତି, ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।