ବଲାଙ୍ଗୀର, ୧୪/୦୮ : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି। ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼। ବଲାଙ୍ଗୀର ସଇଁତଳା ଥାନା ଯୁବାମାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳାଙ୍କ ପରିବାର ଲୋକେ ଯୁବକଙ୍କ ଗୋଡ଼ହାତ ବାନ୍ଧି ମରଣାନ୍ତକ ଆକ୍ରମଣ କରିଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।
ସୂଚନାନୁଯାୟୀ, ସଇଁତଳା ଥାନା ଯୁବାମାଲ ଗାଁର ଜଣେ ମହିଳାଙ୍କ ସହ ଜଣେ ଯୁବକଙ୍କ ଅନୈତିକ ସମ୍ପର୍କ ଥିଲା। ବୁଧବାର ରାତିରେ ମହିଳାଙ୍କ ଘର ଲୋକ ନଥିବା ବେଳେ ଯୁବକ ଜଣଙ୍କ ତାଙ୍କ ଘରେ ପଶିଥିଲେ। ମହିଳାଙ୍କ ପରିବାର ଲୋକେ ଉଭୟଙ୍କୁ ଘର ଭିତରେ ପାଇ ଯୁବକଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଯୁବକଙ୍କ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଇଁତଳା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପରକୀୟା ପ୍ରୀତି ନେଇ ସଇଁତଳା ଥାନା ବଡମାଳ ଫାଣ୍ଡିରେ ମହିଳାଙ୍କ ପରିବାର ଲୋକେ ଯୁବକଙ୍କ ନାଁରେ ଅଭିଯୋଗ କରିଥିବା ଜଣାପଡିଛି। ସେପଟେ ଯୁବକଙ୍କ ପରିବାର ପକ୍ଷରୁ କୌଣସି ଏତଲା ଦିଆଯାଇ ନାହିଁ। ପୂର୍ବ ଶତ୍ରୁତାରୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଯୁବକଙ୍କ ପରିବାର କହିଛନ୍ତି। ସଇଁତଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାରେ କାହାକୁ ଅଟକ ରଖି ନଥିବା ସୂଚନା ମିଳିଛି।