ବ୍ରହ୍ମପୁର,୧୯/୦୫: ଜଣେ ଯୁବକ ଓ ଯୁବତୀଙ୍କୁ ନିର୍ମମ ଭାବେ ପିଟୁଛନ୍ତି ଆଉ କେତେଜଣ । ଚାରିପାଖରେ ଲୋକ ଅଛନ୍ତି, କିନ୍ତୁ ଦୁବୃର୍ତ୍ତଙ୍କ ସେଥିକୁ ଖାତିର ନାହିଁ । ଜନାକୀର୍ଣ୍ଣ ଗିରିରୋଡ୍ରେ ରାତି ୯ଟା ବେଳର ଦୃଶ୍ୟ । ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଦିନକ ପୂର୍ବରୁ ଜଣେ ଅପରାଧୀକୁ ପୁଲିସ ଏନ୍କାଉଣ୍ଟର କରିଛି । ସୋମବାର ସନ୍ଧ୍ୟାରେ ପୁଣି ଅପରାଧୀଙ୍କ ଆତଙ୍କରାଜ । ଆକ୍ରମଣରେ ଆହତ ହୋଇଛନ୍ତି ଗଜପତି ନଗରର ଉମେଶ ରଥ । ତାଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ବାନ୍ଧବୀଙ୍କୁ ମଧ୍ୟ ପିଟିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଉମେଶ ଓ ତାଙ୍କ ବାନ୍ଧବୀ ଗିରିରୋଡ଼ରେ ଏକ ମୋମୋ ଦୋକାନ ଆଗରେ ଠିଆ ହୋଇଥିବାବେଳେ ଏଭଳି ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ପାଖରୁ ପ୍ରକାଶ ।
ଅଧିକ ପଢ଼ନ୍ତୁ :- illegal parking : ଖଣ୍ଡଗିରି ପଛ ରାସ୍ତାରେ ବେଆଇନ୍ ପାର୍କିଂ, ପିସିଆର୍ ନେଉଛି ବସ୍ ପିଛା ୧୦୦, ବଟି ଆଦାୟ କରୁଛି ଲୋକାଲ ଦାଦା
ଆହତ ଉମେଶ ଓ ତାଙ୍କ ବାନ୍ଧବୀଙ୍କୁ ସ୍ଥାନୀୟ ଲୋକ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଉମେଶଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ବିଭିନ୍ନ ଅଙ୍ଗରେ କ୍ଷତ ଲାଗିଛି । ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତରଖାନାରେ ଏସ୍ପି ଡା.ସରବଣା ବିବେକ ଏମ୍ ପହଞ୍ଚି ଅନୁଧ୍ୟାନ କରିବା ସହ ଘଟଣା ସମ୍ପର୍କରେ ପଚରାଉଚରା କରି ଫେରିଛନ୍ତି । ଘଟଣାସ୍ଥଳରେ ଟାଉନ୍ ଥାନା ଆଇଆଇସି ରାମ ସୁବ୍ରମଣ୍ୟମ୍ ପ୍ରଧାନ ଓ ବୈଦ୍ୟନାଥପୁର ଥାନା ଆଇଆଇସି ସୁବ୍ରତ ବେହୁରା ପହଞ୍ଚି ଛାନ୍ଭିନ୍ କରିଛନ୍ତି । ପୂର୍ବ ଶତ୍ରୁତାରୁ ଉମେଶ ଉପରେ ଆକ୍ରମଣ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରେ ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ୨୦୨୪ ଡିସେମ୍ବର ମାସରେ ରାତିରେ କିଛି ଯୁବକ ଉମେଶଙ୍କ ଘରକୁ ଯାଇ ମାଉଜର ଦେଖାଇ ଉମେଶଙ୍କ ପରିବାର ଲୋକଙ୍କୁ ଧମକାଇଥିଲେ । ମାଉଜର ଧରି ଆତଙ୍କ ଖେଳାଇବାର ସିସିଟିଭି ଫୁଟେଜ ଭାଇରାଲ୍ ହେବା ପରେ ପୁଲିସ ଜଣେ ପୁରୁଣା ଅପରାଧୀକୁ ଗିରଫ କରିଥିଲା । ଏତଲା ପ୍ରତ୍ୟାହାର କରିବାକୁ ପୁଣି ଧମକ ହୋଇଥିଲା ବୋଲି ଉମେଶଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ତେବେ ସହର ଭିତରେ ରାତି ୯ଟାରେ ଏଭଳି ଆତଙ୍କରାଜ ପୁଲିସକୁ ଅପରାଧୀଙ୍କ ଡର ନଥିବା ସୂଚାଉଛି ।