ଢେଙ୍କାନାଳ, ୨୪/୧୨ : ଜାତୀୟସ୍ତରରେ ରାଜ୍ୟ ପାଇଁ ଖେଳିବାକୁ ଯାଉଥିବା ଖେଳାଳିଙ୍କୁ ମିଳିଲାନି ଟ୍ରେନ୍ ଟିକଟ । ଶୌଚାଳୟ ପାଖେ ବସି ଶୀତରେ ଥରିଥରି ଯାତ୍ରା କଲେ । ପୁଣି ଫେରିବା ବେଳେ ବି ସମାନ ଅବସ୍ଥା । ସୋସିଆଲ ମିଡିଆରେ ଏହାର ଦୟନୀୟ ଚିତ୍ର ଭାଇରାଲ ହେବା ପରେ ସବୁଠି ନିନ୍ଦା କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦାୟିତ୍ୱହୀନତା କାରଣରୁ ଟ୍ରେନ୍ ଟିକଟ ନ ପାଇ ଓଡ଼ିଶାରୁ ଉତ୍ତରପ୍ରଦେଶ ଯାଇଥିବା ୧୮ ଜଣ ପୁଅ ଓ ଝିଅ ଖେଳାଳି ଏଭଳି ହୀନସ୍ତା ହୋଇଛନ୍ତି ।
ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୬୯ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ କୁସ୍ତି ପ୍ରତିଯୋଗିତା ଚଳିତବର୍ଷ ଢେଙ୍କାନାଳରେ ହୋଇଥିଲା । ସେପ୍ଟେମ୍ବର ୧୫ ତାରିଖରେ ୧୪ ଓ ୧୭ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ବର୍ଗରେ ସ୍କୁଲ୍ ପିଲାମାନଙ୍କୁ ନେଇ ପ୍ରତିଯୋଗିତା ହୋଇଥିଲା । ଢେଙ୍କାନାଳ ସମେତ କଟକ, ଭୁବନେଶ୍ୱର, ଗଞ୍ଜାମ, ଗଜପତି, ନୂଆପଡ଼ା, ସମ୍ବଲପୁର, କନ୍ଧମାଳ, ପୁରୀ ଜିଲ୍ଲାରୁ ୧୦୪ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମୋଟ୍ ୧୮ ଜଣ ଜାତୀୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଉତ୍ତରପ୍ରଦେଶ ବଲିୟାଠାରେ ଗତ ୯ରୁ ୧୭ ପର୍ଯ୍ୟନ୍ତ ଜାତୀୟ ପ୍ରତିଯୋଗିତା ରହିଥିଲା । ଏଣୁ ୫ ତାରିଖ ରାତିରେ ଭୁବନେଶ୍ୱରରୁ ଟ୍ରେନ୍ରେ ୧୮ ଖେଳାଳିଙ୍କ ସହ ୪ ଜଣ କୋଚ୍ ଓ ମ୍ୟାନେଜର ଯାଇଥିଲେ । ସେମାନଙ୍କ ପାଇଁ ୩ ଟାୟାର ଏସି କୋଚ୍ ଟ୍ରେନ୍ ଟିକଟ୍ କରାଯାଇଥିଲା । କିନ୍ତୁ ବିଭାଗ ପକ୍ଷରୁ ଅନେକ ପ୍ରଚେଷ୍ଟା ସତ୍ତ୍ଵେ ଟିକଟ କନ୍ଫର୍ମ ହୋଇପାରିନଥିଲା ।
ଟ୍ରେନ୍ରେ ମାତ୍ର ୨ଟି ଟିକଟ୍ କନଫର୍ମ ହୋଇପାରିଥିଲା । ଅନ୍ୟ ସମସ୍ତେ ଛିଡ଼ା ହୋଇ ଯିବାକୁ ବାଧ୍ୟ ହୋଇଥିଲେ । ଗୋଟିଏ ବଗିରେ ଶୌଚାଳୟ ପାଖ ବା ଗେଟ୍ ପାଖରେ ଛିଡ଼ା ହେବା ଅସମ୍ଭବ ହେବାରୁ ଭିନ୍ନ ଭିନ୍ନ ବଗିର ଶୌଚାଳୟ ପାଖେ ତଳେ ବସି ଯାତ୍ରା କରିଥିଲେ । ସେଠାରେ ନାନା ଅବ୍ୟବସ୍ଥା ମଧ୍ୟରେ ଖେଳିଥିଲେ । ଫେରିବା ବେଳେ ବି ଟିକଟ୍ ହୋଇପାରିନଥିଲା । ସେମିତି ହଇରାଣ ହୋଇ ଫେରିଥିଲେ । ଜଣେ ଅଭିଭାବକ ସୋସିଆଲ ମିଡିଆରେ ଏହାର ଭିଡିଓ ପୋଷ୍ଟ କରିଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଥିଲା । ଏହି ଘଟଣାରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରିପୋର୍ଟ ତଲବ କରାଯାଇଛି । ଏନେଇ ଦୁଇଦିନ ମଧ୍ୟରେ ରିପୋର୍ଟ ଦେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ କୁହାଯାଇଛି । ଘଟଣାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ୱର ସହ ନେଇଛି । ଆଗକୁ ଯେପରି ଏପରି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରେଳବାଇ କର୍ତ୍ତୃପକ୍ଷଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ସମନ୍ୱୟ ବୈଠକ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।
ବାଳକ ଟିମ୍ର ମ୍ୟାନେଜର ଦାୟିତ୍ୱରେ ଥିବା କୋଚ୍ ଶିବାନୀ ପଟ୍ଟନାୟକ କହିଛନ୍ତି, ବିଭାଗ ପକ୍ଷରୁ ଦୁଇ ଜଣ କୋଚ୍ଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସମସ୍ତ ୨୨ ଜଣଙ୍କ ପାଇଁ ଟିକଟ ହୋଇଥିଲା । ମାତ୍ର ଟିକଟ କନ୍ଫର୍ମ ହୋଇପାରିନଥିଲା । ସେହିଭଳି ଫେରିବା ଟିକଟ ମଧ୍ୟ କନ୍ଫର୍ମ ହୋଇନଥିବା ବେଳେ ଅତିଥି ହୋଇ ଆସିଥିବା ସେଠାକାର ପରିବହନ ମନ୍ତ୍ରୀଙ୍କୁ ଜଣାଇଥିଲେ । ମାତ୍ର କିଛି ସୁଫଳ ମିଳିନଥିଲା ।