ଜଗତସିଂହପୁର,୦୬/୦୮: ଥାର୍ଡ ଡିଗ୍ରୀକୁ ନେଇ ଚର୍ଚ୍ଚାକୁ ଆସିଛି ବିରିଡ଼ି ଥାନା । ପୁଲିସର ଲାଠିମାଡ଼ରେ ଆହତ ବିରିଡ଼ି ବାଲିଆ (କୃତିବାସପାଟଣା) ଅଞ୍ଚଳର  ପାର୍ଥସାରଥୀ ଦାସ(୪୧) ନ୍ୟାୟ ଆଶାରେ ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟରେ ଦରଖାସ୍ତ ଦେବା ସହିତ ରାଜ୍ୟ ମାନବାଧିକାର କମିସନ୍‌ଙ୍କ ଦ୍ୱାରସ୍ଥ ହୋଇଛନ୍ତି ।   

ତାଙ୍କ ଅଭିଯୋଗ ମୁତାବକ, ଗତ ମାସ ୨୫  ତାରିଖ ଅପରାହ୍ନ ୧ଟାରେ ବିରିଡ଼ି ବ୍ଲକ କାର୍ଯ୍ୟାଳୟରେ ତିର୍ତ୍ତୋଲ ବିଧାୟକଙ୍କ ଦ୍ୱାରା ଏକ ବୈଠକ ହୋଇ ସାରିଥିଲା। ପରେ ପାର୍ଥସାରଥୀ ନିଜର ଜଣେ ବନ୍ଧୁଙ୍କ  ସହ କାର୍ଯ୍ୟାଳୟ ପରିସରକୁ ଯାଇ ଏକ ବିଲ୍‌  ବାବଦରେ ଆଲୋଚନା କରିଥିଲେ । ଏହି ସମୟରେ  କିଛି ବିଶୃଙ୍ଖଳିତ ଯୁବକ କୌଣସି କାରଣ ନଥାଇ  ପାର୍ଥସାରଥୀଙ୍କ ସାର୍ଟକୁ ଚିରି ମାରି ଲହୁଲୁହାଣ କରି ଦେଇଥିଲେ । ଏଭଳି ଅତର୍କିତ ଆକ୍ରମଣର ପ୍ରତିବାଦ କରିବାରୁ ସେଠାରେ ଉପସ୍ଥିତ ବିରିଡ଼ି ଥାନାଧିକାରୀ ସବ୍ୟସାଚୀ ରାଉତ ପାର୍ଥସାରଥୀଙ୍କୁ ଠେଲି ପୁଲିସ ଗାଡ଼ିରେ ଥାନାକୁ ନେଇ ଆସିଥିଲେ ।

ପାର୍ଥସାରଥୀ ବ୍ଲକ୍‌ରେ ଛୋଟ ଛୋଟ କାର୍ଯ୍ୟ କରି ପରିବାର ପ୍ରତିପୋଷଣ  କରୁଥିଲେ।  ବ୍ଲକ୍‌ ଗଣ୍ଡଗୋଳରେ ସଂପୃକ୍ତ ନଥିବା  ସତ୍ତେ୍ୱ ଥାନାଧିକାରୀ ଶ୍ରୀ ରାଉତ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ମାଡ଼ ମାରିଥିଲେ ବୋଲି ସେ  ଅଭିଯୋଗ କରିଛନ୍ତି । ଶାରୀରିକ ନିର୍ଯାତନା ଫଳରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ଚିତ୍କାର ବାହାରର କିଛି ଲୋକ ଶୁଣିଛନ୍ତି ମଧ୍ୟ ।  

ଥାନା ଭିତରୁ ଚିତ୍କାର ଆସୁଥିବା ଜାଣି ସେମାନେ ସେ ଦିଗକୁ ପାଦ ବଢ଼ାଇବାରୁ ଥାନାଧିକାରୀ ଶ୍ରୀ ରାଉତଙ୍କ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗପତ୍ରରେ  ଉଲ୍ଲେଖ କରିଛନ୍ତି ପାର୍ଥସାରଥୀ । ତିନି ଘଣ୍ଟା ଧରି  ପୁଲିସର ଅମାନବୀୟ ଅତ୍ୟାଚାରକୁ ସହିବା ପରେ  ସେ ଅସୁସ୍ଥ ହୋଇପଡ଼ିଥିଲେ । ଉକ୍ତ ଦିନ ଅପରାହ୍ନ  ସାଢ଼େ ଚାରିଟାରେ ଜଣେ ସଂପର୍କୀୟଙ୍କ ଜିମାରେ  ପାର୍ଥସାରଥୀଙ୍କୁ ଛାଡ଼ି ଦେଇଥିଲା ବିରିଡ଼ି ପୁଲିସ । ଅସୁସ୍ଥ  ଥିବାରୁ ପାର୍ଥସାରଥୀ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ  ସେବନ କରିଥିଲେ । ଯନ୍ତ୍ରଣା ଉପଶମ ନହେବାରୁ ଗତ  ୨ ତାରିଖରେ ପାର୍ଥସାରଥୀ ଜଗତସିଂହପୁର ମୁଖ୍ୟ  ଡାକ୍ତରଖାନାକୁ ଆସିଥିଲେ । ଏଠାରେ ଉପସ୍ଥିତ ଡାକ୍ତର  ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ  ପରାମର୍ଶ ଦେଇଥିଲେ । ସେଇଦିନ ରାତି ୧୧ଟା ସୁଦ୍ଧା  କଟକ ବଡ଼ ଡାକ୍ତରଖାନାରେ ପାର୍ଥସାରଥୀ ଭର୍ତ୍ତି  ହୋଇଥିଲେ । ସେଠାରୁ ଚିକିତ୍ସିତ ହୋଇ ଆସିଥିଲେ  ସୁଦ୍ଧା ପୁଲିସର ନିର୍ଘାତ ମାଡ଼ର ଯନ୍ତ୍ରଣା ଦୂର ହୋଇନାହିଁ ।  ଅସହ୍ୟ ଯନ୍ତ୍ରଣା ସହିବାକୁ ପଡ଼ୁଛି । ବିରିଡ଼ି ପୁଲିସର  ଏପ୍ରକାର ବର୍ବର ମାଡ଼ ଓ ଅକଥନୀୟ ବ୍ୟବହାର  ମାନବିକ ଅଧିକାରକୁ କ୍ଷୁଣ୍ଣ କରିଥିବାରୁ ପାର୍ଥସାରଥୀ  ନ୍ୟାୟ ଦାବି କରିଛନ୍ତି । ତେବେ ଘଟଣା ସଂପର୍କରେ  ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ ପଚାରିବାରୁ  ସେମିତି କିଛି ଅଭିଯୋଗ ସେ ଜାଣିନଥିବା କହିଛନ୍ତି ।