କୋକସରା, ୧୪/୧୧: ବିଅର ବାର୍‌ରେ ଯୁବକଙ୍କୁ ଆକ୍ରମଣ ଘଟଣା। ମୁଣ୍ଡରେ ଇଣ୍ଟରନାଲ ଆଘାତ ଯୋଗୁଁ ୧୮ ଦିନ ପରେ ଯୁବକଙ୍କ ମୃତ୍ୟୁ। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପରିବାର ଲୋକଙ୍କ ଦାବି।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମରେ ଥିବା ବିଅର ବାର୍ରେ ଗତ ମାସ ୨୬ ତାରିଖ ପଲସାପଡା ଗ୍ରାମର ମୋତିରାମ ମେହେର ଓ ବେହେରା ଗ୍ରାମର ତିନି ଯୁବକ ଟୁନା ପଟେଲ, କ୍ଷିରୋଦ ନାଏକ ଓ ରଶ୍ମି ନାଏକ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ଯାହାଫଳରେ ଗଣ୍ଡଗୋଳ ହେବାରୁ ୩ ଯୁବକ ମୋତିରାମଙ୍କୁ ଆକ୍ରମଣ କରିବା ସହ ବିଅର ବୋତଲରେ ତାଙ୍କ ମୁଣ୍ଡରେ ମାଡ଼ କରିଥିଲେ। ଏହାକୁ ନେଇ କୋକସରା ଥାନାରେ ପୀଡିତ ମୋତିରାମ ଲିଖିତ ଅଭିଯୋଗ କରିଥିଲେ। ତେବେ କିଛିଦିନ ପରେ ସେ ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ମୁଣ୍ଡରେ ଇଣ୍ଟରନାଲ ଆଘାତ ଯୋଗୁଁ ଭବାନୀପାଟଣାରୁ ବୁର୍ଲାକୁ ସ୍ଥାନାନ୍ତର ପରେ ସେଠାରୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୋତିରାମଙ୍କ ମୃତ୍ୟ ଘଟିଥିଲା।

ପରେ କୋକସରା ପୁଲିସ ମୃତକଙ୍କ ଶବକୁ କୋକସରା ଡାକ୍ତରଖାନାରେ ଆଣି ବ୍ୟବଚ୍ଛେଦ କରିବା ପରେ ମୃତକଙ୍କ ପରିବାରଙ୍କୁ ଶବ ହସ୍ତାନ୍ତର କରିବା ବେଳେ ପରିବାର ଲୋକେ କୋକସରା ପୁଲିସ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବା ଅଭିଯୋଗ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି। ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବା ନେଇ ପ୍ରତିଶ୍ରୁତି ପରେ ପରିବାର ଲୋକେ ଶବ ଗ୍ରହଣ କରିଛନ୍ତି।