ପାହାଳ, ୧୭।୬ : ପାହାଳ ଥାନା ଅନନ୍ତପୁର- ନିମାପଡ଼ା କେନାଲ ପଠାରେ କ୍ଷତ ବିକ୍ଷତ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ଭୀମପୁର ମୌଜା ତଳ ଅନନ୍ତପୁର ଗ୍ରାମର ପ୍ରଭାତ ବେହେରା। ପ୍ରଭାତଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ୨ ଜଣଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଟେନିସ ପାତ୍ର ଏବଂ ତାଙ୍କ ଭାଇ ପ୍ରୀତିଶ ପାତ୍ର।
ଅନନ୍ତପୁର- ନିମାପଡ଼ା କେନାଲ ପଠାରେ କ୍ଷତ ବିକ୍ଷତ ଅବସ୍ଥାରେ ପ୍ରଭାତଙ୍କ ମୃତଦେହ ପଡିଥିଲା। ଖବର ପାଇ ପାହାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା। ମୃତ ଦେହ ପାଖରେ ଏକ ପ୍ଲାଷ୍ଟିକ ପାଇପ ଏବଂ ଆଉ କିଛି ଦୂରରେ ଏକ ସ୍କୁଟି ପଡ଼ି ଥିବା ବେଳେ ଗୋଟିଏ ଭଙ୍ଗା ମୋବାଇଲ ଫୋନ୍ ମିଳିଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସେହି ଜାଗାରେ ପଡ଼ିଥିବା ବିଭିନ୍ନ ଜିନିଷପତ୍ରକୁ ଓ ନମୁନା ସଂଗ୍ରହ କରିଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ମଙ୍ଗଳବାର ଟେନିସ ପାତ୍ର ଓରଫ ଦେବାଶିଷ ପାତ୍ର ଘରୁ ଡାକି ନେଇ ମାରିଥିବା କହିଛନ୍ତି। ଏଥିରେ କେବଳ ଟେନିସ ପାତ୍ର ନୁହେଁ ବରଂ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ଅଭିଯୁକ୍ତଙ୍କୁ ଧରିବା ସହ ନ୍ୟାୟ ଦାବିରେ ରାସ୍ତା ରୋକ କରିଥିଲେ। ନଖରା - ନିଆଳି ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ ଗ୍ରାମବାସୀ କରିଥିଲେ। ଦୀର୍ଘ ୨ଘଣ୍ଟା ରୁ ଅଧିକ ସମୟ ଧରି ରାସ୍ତା ରୋକ ହୋଇଥିବା ବେଳେ ଶହ ଶହ ଗାଡ଼ି ମୋଟର ଅଟକି ରହିଥିଲା। ସ୍ଥାନୀୟ ଅଞ୍ଚଳ ରାଜ ରାସ୍ତାରେ ଉତ୍ତେଜନା ଦେଖାଦେଇ ଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ଅଧିକ ଫୋର୍ସ ମୁତୟନ କରାଯାଇଥିଲା। ପରେ ହାଇୱା ଗାଡ଼ି ମାଲିକ ଟେନିସ ପାତ୍ର ଏବଂ ତାର ଭାଇ ପ୍ରୀତିଶ ପାତ୍ର କୁ ଗିରଫ କରିଥିଲା ପାହାଳ ଥାନା ପୁଲିସ। ପରେ ବରିଷ୍ଠ ପୋଲିସ ଅଧିକାରୀ ଓ ଫୋର୍ସ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ବୁଝାସୁଝା କରିବା ପରେ ରାସ୍ତା ରୋକ୍ ହଟିଥିଲା।