ଝରିଗାଁ , ୧୩।୭ -( ଆ ପ୍ର) , ଝରିଗାଁ ଥାନା ଅଧୀନ କୁସୁମୀ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ସୋମବାର ମଧ୍ୟାହ୍ନରେ ଦଳେ ଭାଲୁ ଆକ୍ରମଣରେ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ କୁସୁମୀ ଗ୍ରାମର ଫଗୁନୁ ଗୌଡ ( ୪୫ ) ।
ଝରିଗାଁ ଉମରକୋଟ ମୁଖ ରାସ୍ତା ପାର୍ଶ୍ୱରେ ରହିଥିବା ଗାଁ ଶ୍ମଶାନ ନିକଟ ଜଙ୍ଗଲ ମଧ୍ୟକୁ ଛେଳି ପଲ ଧରି ଚରାଇବାକୁ କୁସୁମୀ ଜଙ୍ଗଲକୁ ଯାଇଥିଲେ ଫଗୁନୁ ଗୌଡ଼। ଏହି ସମୟରେ ଜଙ୍ଗଲରେ ଥିବା ତିନୋଟି ଭାଲୁଙ୍କ ହାବୁଡରେ ପଡ଼ିଥିଲେ ଫଗୁନୁ। ଭାଲୁ ଦୁଇଟି ଅତର୍କିତ ଆକ୍ରମଣ କରି ଯୁବକଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଦେଇଥିଲେ। ଫଗୁଣୁ ଗୌଡ଼ଙ୍କ ଚିତ୍କାର ଶୁଣି ନିକଟରେ ଥିବା ଅନ୍ୟ ଚରାଳି ଭୟରେ ଦୌଡି ଗାଁ ଲୋକଙ୍କୁ ଖବର ଦେଇଥିଲେ।ପରିବାର ଓ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ମଧ୍ୟରେ ଫଗୁଣୁ କ୍ଷତ ବିକ୍ଷତ ମୁଣ୍ଡ ବିହୀନ ମୃତ ଶରୀର ଦେଖିବାକୁ ପାଇଥିଲେ। ଖବର ପାଇ ଝରିଗାଁ ପୋଲିସ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମାଇ ଭାଲୁ ଓ ଅଣ୍ଡିରା ଭାଲୁ ସହ ଗୋଟିଏ ଛୁଆ ଭାଲୁ ଜଙ୍ଗଲରେ ରହୁଛନ୍ତି। ଏହି ସଂରକ୍ଷିତ ଗୁର୍ଶୀଙ୍ଗା ଜଙ୍ଗଲ ଘଞ୍ଚ ରହିଥିବା ବେଳେ ଏହା ବିସ୍ତୃତ ହୋଇ ରାଇଘର ବ୍ଲକ ଦେଇ ସୁଦୂର ଛତିଶଗଡ ରାଜ୍ୟ ସୀମା ଓ ରାଜ୍ୟ ଜଙ୍ଗଲକୁ ସଂଯୋଗ ରହିଛି। ତେଣୁ ଭାଲୁ ବାଘ ଭଳି ଅନ୍ୟ ବନ୍ୟପ୍ରାଣୀ ଙ୍କ ପାଇଁ ଏହି ଜଙ୍ଗଲ ମୁଖ୍ୟ ଆଶ୍ରୟସ୍ଥଳ ହୋଇଛି। ମୃତ ଫଗୁଣୁ ଙ୍କ ୫ ଟି ସନ୍ତାନ ସନ୍ତତି ରହିଛନ୍ତି। ଫଗୁନୁଙ୍କ ମୃତ୍ୟୁ ଖବର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣା ନେଇ ପରିବାର ପକ୍ଷରୁ ମୃତକଙ୍କ ଭାଇ ଭସମନ ଗୌଡ଼ ଝରିଗାଁ ଥାନାରେ ଏତଲା ଦେବା ପରେ ପୋଲିସ ଶବ ଜବତ କରିଛି। ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ତଦନ୍ତ ଅଫିସର୍ ଏ ଏସ ଆଇ ଦିଲ୍ଲୀପ କୁମାର ବାରିକ୍ ସୂଚନା ଦେଇଛନ୍ତି।
ଆହୁରି ପଢନ୍ତୁ : ଆପାର୍ଟମେଣ୍ଟ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ