ରାଉରକେଲା, ୩୧।୫ : ଜଙ୍ଗଲକୁ ଶୁଖିଲା କାଠ ଆଣିବାକୁ ଯାଇଥିଲେ ଯୁବକ। ଯବାନଙ୍କୁ  ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିବା ଆଇଡି ବିସ୍ଫୋରଣ ହେବାରୁ ଯୁବକ ଜଣକ ଗୁରୁତର ହୋଇଛନ୍ତି। ଝାଡ଼ଖଣ୍ଡ ଛୋଟାନାଗରା ଥାନା ଅନ୍ତର୍ଗତ ବଲିବା ଗ୍ରାମରେ ଏହି ଘଟଣା ଘଟିଛି। ଗୁରୁତର ଯୁବକ ଜଣକ ହେଲେ ସାହୁ ବାରଜୋ। 

କେ .ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖାଦାନରୁ ମାଓବାଦୀ ଲୁଟି ନେଇଛନ୍ତି ବିସ୍ଫୋରକ। ବିସ୍ଫୋରକ ସୁରକ୍ଷିତ ଉଦ୍ଧାର କରିବା ଲାଗି ସରଣ୍ଡା ଜଙ୍ଗଲରେ ଝାଡ଼ଖଣ୍ଡ ଓ ଓଡିଶାର ଯବାନଙ୍କ ପକ୍ଷରୁ ଚାଲିଛି ଜୋରଦାର ଅପରେସନ। ତେବେ ଶନିବାର ଅପରାହ୍ନ ପ୍ରାୟ ତିନିଟା ସମୟରେ ଝାଡ଼ଖଣ୍ଡ ଛୋଟାନାଗରା ଥାନା ଅନ୍ତର୍ଗତ ବଲିବା ଗ୍ରାମରେ ଯବାନମାନେ କମ୍ବିଂ ଚଳାଇଥିଲେ।  ଏହି ସମୟରେ ସେହି ଗ୍ରାମର ସାହୁ ବାରଜୋ (୩୦) ଘରୁ ବାହାରି ଶୁଖିଲା କାଠ ଆଣିବାକୁ ଯାଉଥିବା ବେଳେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ କରିଥିଲେ ଆଇଇଡି ବିସ୍ଫୋରଣ। ଏହି ବିସ୍ଫୋରଣରେ ଯୁବକ ଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ଯବାନମାନେ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲ ନେଇଥବା ସୂଚନା ମିଳିଛି।