ବ୍ରହ୍ମପୁର,୧୧/୦୯: ଆତ୍ମହତ୍ୟା ନିରୋଧ ଦିବସରେ ଆତ୍ମହତ୍ୟା ଉଦ୍ୟମ । ବାପା ଗାଳି କରିବାରୁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛନ୍ତି ଯୁବକ । ସେ ହୁତୁହୁତୁ ଜଳୁଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାରକରି ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଯୁବକ ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକ ବାସିନ୍ଦା ସୁରଜ ସାହୁ(୨୧) । ତାଙ୍କ ଅବସ୍ଥା ବର୍ତ୍ତମାନ ସଙ୍ଗୀନ ରହିଛି ।
ମେଣ୍ଟୁ ଛକରେ ରହିଛି ସୁରଜ ସାହୁଙ୍କ ବାପାଙ୍କର ଏକ ଜଳଖିଆ ଦୋକାନ । ବୁଧବାର ରାତି ପ୍ରାୟ ୯ଟା ୩୦ରେ ସେ ଦୋକାନ ଆଗରେ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଥିଲେ । ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାଆ ନର୍ମଦା ସାହୁଙ୍କ କହିବା ପ୍ରକାରେ ସୁରଜ ୧୦ମ ପାଠ ପଢ଼ା ପରେ କୋଭିଡ୍ ସମୟରେ ବାପାଙ୍କ ଜଳଖିଆ ଓ ମିଠା ଦୋକାନରେ ବସୁଥିଲେ । ବିଭିନ୍ନ କାରଣକୁ ନେଇ ବାପାଙ୍କ ସହ ତାଙ୍କର ଝଗଡ଼ା ହେଉଥିଲା । ଏବେ କିଛିଦିନ ହେଲା ଜଣେ ଝିଅ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯାହାକୁ ନେଇ ଘରେ ବିବାଦ ଉପୁଜି ଥିଲା । ସୁରଜଙ୍କୁ ଏନେଇ ବାପା ଗାଳି କରିବା ସହ ତାଗିଦ୍ ବି କରିଥିଲେ । ସପ୍ତାହକ ତଳେ ସୁରଜ ଘର ଛାଡ଼ି ଭୁବନେଶ୍ୱର ଚାଲିଯାଇଥିଲେ । ସେଠାରେ ଦୁଇଦିନ ରହିବା ପରେ ବାପା-ମାଆ ବୁଝାସୁଝା କରିବାରୁ ସେ ଘରକୁ ଫେରିଥିଲେ ।
ବୁଧବାର ମଧ୍ୟାହ୍ନରେ ସୁରଜଙ୍କୁ ତାଙ୍କ ବାପା ସେହି ପ୍ରସଙ୍ଗରେ ପୁଣି ଗାଳି କରିଥିଲେ । ଯାହାକୁ ନେଇ ସୁରଜ ଅଧିକ ଉତ୍କ୍ଷୀପ୍ତ ହୋଇପଡ଼ିଥିଲେ । ସେ ସନ୍ଧ୍ୟାରେ ଗୋଟିଏ ବୋତଲରେ ପେଟ୍ରୋଲ କିଣି ଆଣି ରଖିଥିଲେ । ରାତି ପ୍ରାୟ ୯ଟା ୩୦ରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । ବଡ଼ବଜାର ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ପଚରାଉଚରା କରୁଛି । ସୁରଜଙ୍କ ବୟାନ ରେକର୍ଡ କରାଯାଇଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ସୁରଜ ମୃତ୍ୟୁ ପୂର୍ବ ସେସିଆଲ ମିଡ଼ିଆ ସାଇଟ୍ ଇଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ସେଥିରେ ଲେଖିଛନ୍ତି ମୋ କରିଛି ହେଲେ ସେଥିପାଇଁ କାହାର ଦୋଷ ନାହିଁ।