ପୁରୀ, ୧୮/୦୫: ଜ୍ୟୋତି ମାଲହୋତ୍ରାଙ୍କ ଗିରଫ ପରେ ତାଙ୍କର ପୁରୀ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ିଛି । ଜ୍ୟୋତି ଗତ ସେପ୍ଟେମ୍ବରରେ ପୁରୀ ଆସିଥିଲେ । ପୁରୀର ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ । ପୁରୀରେ ରହୁଥିବା ତାଙ୍କର ବାନ୍ଧବୀ ପୁରୀ ବୁଲିବାରେ ତାଙ୍କୁ ସହଯୋଗ କରିଥିଲେ । ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କକୁ ନେଇ ମଧ୍ୟ ଆଶଙ୍କା ବଢ଼ିଛି । ଯୁବତୀ ମଧ୍ୟ ପୂର୍ବରୁ ପାକିସ୍ତାନ ଯାଇ ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏ ସମ୍ପର୍କରେ ପୁରୀ ପୁଲିସ ତଦନ୍ତ ଆରମ୍ଭ କରିଛି ।
ଯୁବତୀ ପୁରୀ ଶ୍ରୀମନ୍ଦିର ନିକଟ କାଳିକାଦେବୀ ସାହିର ବାସିନ୍ଦା । ଯୁବତୀଙ୍କ ବାପା ପୁରୀ ସ୍ୱର୍ଗଦ୍ୱାର ନିକଟରେ ଏକ ରେଷ୍ଟୁରାଣ୍ଟ କରିଥିବା ବେଳେ ନିଜସ୍ୱ ବ୍ୟବସାୟ ରହିଛି । ଜ୍ୟୋତିଙ୍କ ଭଳି ଯୁବତୀଙ୍କ ମଧ୍ୟ ବିଭିନ୍ନ ସ୍ଥାନ ଭ୍ରମଣ କରି ଏହାର ଭିଡିଓ ୟୁଟ୍ୟୁବ, ଇନ୍ଷ୍ଟାଗ୍ରାମ ସମେତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥାନ୍ତି । ସେ କିଛି ମାସ ତଳେ ପାକିସ୍ତାନ ଯାଇ ସେଠାରୁ ବିଭିନ୍ନ ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ । ବିଭିନ୍ନ ଫଟୋ ଓ ଭିଡିଓରେ ଯୁବତୀ ଓ ଜ୍ୟୋତି ଏକା ସାଥୀରେ ମଧ୍ୟ ନଜର ଆସିଛନ୍ତି । ଜ୍ୟୋତିଙ୍କ ଗିରଫ ପରେ ଯୁବତୀ ନିଜ ଇନ୍ଷ୍ଟାଗ୍ରାମରୁ ଜ୍ୟୋତିଙ୍କ ସହ ଥିବା ବିଭିନ୍ନ ଫଟୋ ଓ ଭିଡିଓ ଡିଲିଟ କରି ଦେଇଛନ୍ତି । ତେବେ ସେ ଇନ୍ଷ୍ଟାଗ୍ରାମରେ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି, ୟୁଟ୍ୟୁବ ମାଧ୍ୟମରେ ମୁଁ ଜ୍ୟୋତିଙ୍କୁ ଚିହ୍ନିଥିଲି । ତାଙ୍କ ସମ୍ପର୍କରେ ମୁଁ ଏତେ ମାତ୍ରାରେ ଅବଗତ ନଥିଲି । ସେ ପାକିସ୍ତାନ ଗୁପ୍ତଚର ଭାବେ କାମ କରୁଛନ୍ତି ବୋଲି ମୁଁ ଜାଣିଥିଲେ କେବେ ବି ତାଙ୍କ ସହ ଯୋଗାଯୋଗରେ ଆସିନଥାନ୍ତି । ତାଙ୍କ ସମ୍ପର୍କରେ ଏସବୁ ଜାଣିବା ପରେ ଏବେ ମୋତେ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି । ଯଦି କୌଣସି ତଦନ୍ତକାରୀ ସଂସ୍ଥା ମୋତେ ପ୍ରଶ୍ନ ପଚାରନ୍ତି ତେବେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି ।
ଗତ ସେପ୍ଟେମ୍ବରରେ ଜ୍ୟୋତି ପୁରୀ ବୁଲିବାକୁ ଆସିଥିବା ସମୟରେ ଯୁବତୀ ତାଙ୍କ ସହ ପୁରୀର ବିଭିନ୍ନ ରେଷ୍ଟୁରାଣ୍ଟ ଓ ହୋଟେଲରେ ଏକାଠି ଫଟୋ ଉଠାଇ ପୋଷ୍ଟ କରିଥିଲେ । ଏହା ସହ ପୁରୀ ସମ୍ପର୍କିତ ବିଭିନ୍ନ ସୂଚନା ଦେଇଥିଲେ । ପୁରୀ ଏସ୍ପି ବିନୀତ ଅଗ୍ରୱାଲ କହିଛନ୍ତି, ଜ୍ୟୋତି ମାଲହୋତ୍ରା ପୁରୀ ଆସିବା ଏବଂ ପୁରୀର ଯୁବତୀଙ୍କ ସହ ସମ୍ପର୍କ ରଖିବା ଘଟଣାକୁ ପୁରୀ ପୁଲିସ ଗୁରୁତ୍ୱ ସହ ନେଇଛି ।