ନୂଆଦିଲ୍ଲୀ: ବାଂଲାଦେଶରେ ବିଦ୍ରୋହ ପରେ ପ୍ରଥମ ଥର ପାଇଁ ମହମ୍ମଦ ୟୁନୁସ୍ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଛନ୍ତି। ବିବିସିକୁ ଦେଇଥିବା ସାକ୍ଷାତକାରରେ ୟୁନୁସ୍ କହିଛନ୍ତି, ଶେଖ ହସିନାଙ୍କ ଆୱାମୀ ଲିଗ୍ ମଧ୍ୟ ୨୦୨୬ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ଆୱାମୀ ଲିଗ୍ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି । ୟୁନୁସଙ୍କ ମତରେ, ଶେଖ ହସିନାଙ୍କ ଦଳ ନିର୍ବାଚନ ଲଢ଼ିବ କି ନାହିଁ ତାହା ନିର୍ବାଚନ କମିଶନଙ୍କୁ ନିଷ୍ପତ୍ତି ନେବାକୁ ପଡିବ। ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ ନିର୍ବାଚନ ଘୋଷଣା ପରେ ନିଷ୍ପତ୍ତି ନିଆଯାଇପାରିବ। ସାକ୍ଷାତକାରରେ ୟୁନୁସ୍ କହିଛନ୍ତି ଯେ, ଯେତେବେଳେ ଶେଖ୍ ହସିନା ବାଂଲାଦେଶରୁ ପଳାଇ ଯାଇଥିଲେ, ଆମେ କହିଥିଲୁ ଅତୀତକୁ ପଛରେ ପକାଇ ଆଗକୁ ବଢ଼ିବାର ସମୟ ଆସିଛି। ଆମେ ସେହି ଦିଗରେ କାମ କରିବା ଆରମ୍ଭ କରିଥିଲୁ।
ୟୁନୁସଙ୍କ ଅନୁସାରେ, ହସିନା ଭାରତରେ ରହି ଯେତେବେଳେ ପ୍ରତିକ୍ରିୟା ଦେଲେ ପରିସ୍ଥିତି ଆହୁରି ଖରାପ ହୋଇଗଲା। ବାଂଲାଦେଶର ଲୋକମାନେ ଏହାକୁ ନେଇ କ୍ରୋଧିତ ହେଉଛନ୍ତି । ଆମେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛୁ। ହସିନାଙ୍କ ସକ୍ରିୟ ହେବା ଅଧିକ ବିପଦପୂର୍ଣ୍ଣ। ବାଂଲାଦେଶରେ ହସିନାଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆସିଛି। ତାଙ୍କ ବିରୁଦ୍ଧରେ ଦୁର୍ନୀତି ଏବଂ ନରସଂହାରର ଅଭିଯୋଗ ଆସିଛି।
ମେ ୨୦୨୬ରେ, ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଅସ୍ଥାୟୀ ଭାବରେ ଆୱାମୀ ଲିଗର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ୟୁନୁସ ସରକାର କହିଥିଲେ ଯେ, ଆୱାମୀ ଲିଗ ନିର୍ବାଚନୀ ଡକାୟତିରେ ଜଡିତ । ତେଣୁ ଏହାକୁ ଗଣତାନ୍ତ୍ରିକ ଭାବରେ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଯୁବ ନେତା ନାହିଦ ଇସଲାମଙ୍କ ଦାବି ପରେ ଆୱାମୀ ଲିଗକୁ ନିଷେଧ କରିବାର ନିଷ୍ପତ୍ତି ନିଆଯାଇଥିଲା। ନାହିଦ କହିଛନ୍ତି ଯେ, ଯେଉଁ ଦଳ ହଜାର ହଜାର ବାଂଲାଦେଶୀଙ୍କ ପ୍ରତି ଅନ୍ୟାୟ କରିଛି, ସେହି ଦଳକୁ କିପରି ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଇପାରିବ ? କିନ୍ତୁ ମହମ୍ମଦ ୟୁନୁସ ଏବେ ଏହି ପ୍ରସଙ୍ଗରେ ନିଜର ମତ ବରିବର୍ତ୍ତନ କରିଛନ୍ତି ।