ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ନେଇ ଚର୍ଚ୍ଚା ଜୋର ଧରିଛି । ଦୁହିଁଙ୍କ ସଂପର୍କରେ ଫାଟ୍‌ ସୃଷ୍ଟି ହୋଇଥିବା କୁହାଯାଉଛି । ଏନେଇ ଚର୍ଚ୍ଚା ହେବା ପଛର ସେମିତି ଠୋସ୍‌ କାରଣ ମଧ୍ୟ ରହିଛି । ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅନ୍‌ଫଲୋ କରିଛନ୍ତି । ଏପରିକି ୟୁଜବେନ୍ଦ୍ର ଧନଶ୍ରୀଙ୍କ ସହ ଥିବା ଫଟୋ ସବୁ ଡିଲିଟ୍‌ କରିଦେଇଛନ୍ତି । ସେପଟେ ଧନଶ୍ରୀ ଚହଲଙ୍କୁ ଅନଫଲୋ କରିଥିଲେ ସୁଦ୍ଧା ତାଙ୍କ ସହ ଥିବା ଫଟୋ ଡିଲିଟ୍‌ କରିନାହାନ୍ତି । 

ଟାଇମ୍ସ ଅଫ୍‌ ଇଣ୍ଡିଆ ସୂତ୍ର ଅନୁସାରେ, ଚହଲ ଏବଂ ଧନଶ୍ରୀଙ୍କ ଛାଡ଼ପତ୍ର ଚର୍ଚ୍ଚାରେ ସତ୍ୟତା ରହିଛି । ଛାଡ଼ପତ୍ର ନିଶ୍ଚିତ ହୋଇଥିବା ବେଳେ କେବଳ ଆନୁଷ୍ଠନିକ ଘୋଷଣା ବାକି ରହିଛି ।  ଅଲଗା ହେବାର କାରଣ କଣ ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ସେମାନଙ୍କ ଛାଡ଼ପତ୍ର ହେବା ନିଶ୍ଚିତ ବୋଲି ସୂତ୍ର ଆଧାରରେ ଖବର ପ୍ରକାଶ କରିଛି ଟାଇମ୍ସ ଅଫ ଇଣ୍ଡିଆ ।  ଏହା ପୂର୍ବରୁ ୨୦୨୩ରେ ଧନଶ୍ରୀ ବର୍ମା ଏବଂ ୟୁଜେବନ୍ଦ୍ର ଚହଲଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । 

ସେତେବେଳେ ଧନଶ୍ରୀ ନିଜ ଇନଷ୍ଟାଗ୍ରାମ୍‌ରେ ଥିବା ନାଁରୁ ‘ଚହଲ’ ହଟାଇ ଦେଇଥିଲେ । ଏହା ପରଦିନ  ଚହଲ ଏକ ପୋଷ୍ଟ କରି ଲେଖିଥିଲେ, ‘ନୂଆ ଜୀବନ ଆରମ୍ଭ ହେଉଛି।’ କିନ୍ତୁ ଛାଡ଼ପତ୍ର ନେଇ ହେଉଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଥିଲେ । ସେ ନିଜର ପ୍ରଶଂସକଙ୍କୁ ଏଭଳି ଗୁଜବ ଉପରେ ବିଶ୍ବାସ ନକରିବାକୁ ଅପିଲ୍‌ କରିଥିଲେ ।   ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ୧୧ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ ।  ଝଲକ୍‌ ଦିଖଲା ଯା’ ସିଜନ୍‌ ୧୧ରେ ଧନଶ୍ରୀ ନିଜର ପ୍ରେମ କାହାଣୀ ସଂପର୍କରେ କହିଥିଲେ । 

ଲକଡାଉନ୍‌ ସମୟରେ ୟୁଜବେନ୍ଦ୍ର କିଭଳି ଡ୍ୟାନ୍ସ ଶିଖିବାକୁ ତାଙ୍କୁ କଣ୍ଟାକ୍ଟ କରିଥିଲେ ଏବଂ ସେ ମାନିଯାଇଥିଲେ ସେନେଇ ଜାତୀୟ ଟେଲିଭିଜନରେ କହିଥିଲେ ଧନଶ୍ରୀ । ସେପଟେ ୟୁଜବେନ୍ଦ୍ର ଚହଲଙ୍କ କ୍ରିକେଟ କ୍ୟାରିୟର କଥା କହିଲେ, ସେ ଦୀର୍ଘ ଦିନ ହେଲା ଟିମ୍‌ ଇଣ୍ଡିଆରୁ ବାହାରେ ଅଛନ୍ତି । ଟି-୨୦ ବିଶ୍ବକପ୍‌ ୨୦୨୪ରେ ବିଜୟୀ ଟିମ୍‌ର ଅଂଶ ଥିଲେ ବି ତାଙ୍କୁ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିନଥିଲା । ଜାନୁଆରୀ ୨୦୨୩ରେ ସେ ଭାରତ ପାଇଁ ଶେଷ ଦିନିକିଆ ଏବଂ ଅଗଷ୍ଟ ୨୦୨୩ରେ ଶେଷ ଟି-୨୦ ମ୍ୟାଚ୍‌ ଖେଳିଥିଲେ । କିନ୍ତୁ ଆଇପିଏଲରେ ଚହଲଙ୍କ କ୍ରେଜ୍‌ କମିନାହିଁ । ତାଙ୍କୁ ଆଇପିଏଲ ୨୦୨୫ ଲାଗି ପଞ୍ଜାବ କିଙ୍ଗ୍ସ ୧୮ କୋଟି ଟଙ୍କା କିଣିଛି । 

ଭାରତୀୟ କ୍ରିକେଟ ଟିମ୍‌ରେ ସ୍ଥାନ ନମିଳିବା ନେଇ ଚହଲ ଚିନ୍ତାରେ ଥିବା ବେଳେ ଏବେ ବ୍ୟକ୍ତିଗତ ଜୀବନରେ ଆସିବାକୁ ଥିବା ସମ୍ଭାବ୍ୟ ଝଡ଼କୁ ନେଇ ଦୁଃଖରେ ଥିବା ଚର୍ଚ୍ଚା ହେଉଛି । ଚହଲଙ୍କ ପୂର୍ବରୁ ଭାରତୀୟ ଟିମ୍‌ର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ବିବାହ ବିଚ୍ଛେଦର ସାମ୍ନା କରିବାକୁ ପଡ଼ିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାସା ଷ୍ଟାନକୋଭିକ୍‌ ଜୁଲାଇ ୨୦୨୪ରେ ନିଜର ଛାଡ଼ପତ୍ର ନେଇ ଘୋଷଣା କରିଥିଲେ । ଚହଲ, ପାଣ୍ଡ୍ୟାଙ୍କ ଭଳି କ୍ରିକେଟର ମହମ୍ମଦ ସାମି ଏବଂ ଶିଖର ଧାଓ୍ବନଙ୍କର ମଧ୍ୟ ବିବାହ ବିଚ୍ଛେଦ ହୋଇସାରିଛି ।