ନୂଆଦିଲ୍ଲୀ : ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଭୟଭୀତ ହୋଇଛନ୍ତି। ତାଙ୍କର କହିବାନୁସାରେ ,ଶାନ୍ତି ଚୁକ୍ତି ଉପରେ ଆଲୋଚନା କରିବା ପାଇଁ ଯଦି ରାଷ୍ଟ୍ରପତି ଟ୍ରମ୍ପ ମୋ ଠାରୁ ପ୍ରଥମେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରନ୍ତି, ତ ଏହା ୟୁକ୍ରେନ୍‌ ଓ ଶାନ୍ତି ଚୁକ୍ତି ପାଇଁ ଖୁବ୍‌ ବିପଜ୍ଜନକ ହେବ। ୟୁକ୍ରେନୀ ରାଷ୍ଟ୍ରପତି କହିଛନ୍ତି ଯେ, କିଭ୍‌ ଚଳିତ ବର୍ଷ ରୁଷ୍‌ ସହ ନିଜର ଯୁଦ୍ଧକୁ ବନ୍ଦ କରି ଶାନ୍ତି ବଜାୟ ରଖିବାକୁ ଚାହୁଁଛି , କିନ୍ତୁ ଏହାର ଅର୍ଥ ଏହା ନୁହେଁ କି ଆମେ କୌଣସି ବି ପ୍ରସ୍ତାବରେ ରାଜି ହୋଇ ଯିବୁ।

ମ୍ୟୁନିଖ୍‌ ସୁରକ୍ଷା ସମ୍ମିଳନୀରେ ଶାନ୍ତି ବାର୍ତ୍ତାକୁ ନେଇ ନିଜର ଭୟ ବ୍ୟକ୍ତ କରି ଜେଲେନସ୍କି କହିଛନ୍ତି କି , ପୁଟିନଙ୍କ ସହ ମିଟିଂ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆମ ପକ୍ଷ ବିଷୟରେ ଅବଗତ ହୋଇ ଯିବା ଉଚିତ୍‌। ଜେଲେନସ୍କି ଏହା ପୂର୍ବରୁ ବି କହି ସାରିଛନ୍ତି କି, ସେ ପୁଟିନଙ୍କ ସହ କୌଣସି ଶାନ୍ତି ଡିଲ୍‌ରେ ସେତେବେଳେ ଯିବେ , ଯେତେବେଳେ ସେ ଟ୍ରମ୍ପଙ୍କ ସହ ଶାନ୍ତିର ଏକ ପ୍ଲାନ୍‌ ଉପରେ ସହମତ ହୋଇ ଯିବେ। 

ୟୁକ୍ରେନର ରାଷ୍ଟ୍ରପତି ୟୁକ୍ରେନର ନାଟୋ ସଦସ୍ୟତାକୁ ନେଇ ମଧ୍ୟ ନିଜର ଯନ୍ତ୍ରଣା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ଓ ବାଇଡେନ୍‌ ପ୍ରଶାସନ କେବେ ବି ୟୁକ୍ରେନକୁ ନାଟୋର ସଦସ୍ୟ ଭାବେ ଦେଖି ନାହାନ୍ତି। ଜେଲେନସ୍କିଙ୍କର ଏହି କଥାକୁ ନେଇ ଆମେରିକାର ନୂଆ ପ୍ରତିରକ୍ଷା ମନ୍ତ୍ରୀ ପିଟ୍‌ ହେଗସେଥ୍‌ ମଧ୍ୟ ନିଜର ବୟାନ ଦେଇଛନ୍ତି। ସେ କହିଛନ୍ତି - ୟୁକ୍ରେନର ନାଟୋ ସଦସ୍ୟତା ଯଥାର୍ଥବାଦୀ ନୁହେଁ। ଆମେ ଏହାକୁ ସମର୍ଥନ କରି ପାରିବୁ ନାହିଁ । ସେ କହିଛନ୍ତି ,ୟୁକ୍ରେନକୁ ୨୦୧୪ ପୂର୍ବରୁ ସୀମାକୁ ପୁଣି ଥରେ ହାସଲ କରିବା ସ୍ୱପ୍ନ ଛାଡି଼ ଦେବା ଉଚିତ୍‌। ଟ୍ରମ୍ପ ପ୍ରଶାସନ ଦ୍ୱାରା ଦିଆ ଯାଇଥିବା ଏହି ବୟାନ ୟୁକ୍ରେନ ପାଇଁ ଏକ ବଡ଼ ଝଟକା ସଦୃଶ ହୋଇଛି। 

ଏହା ପୂର୍ବରୁ ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ବୟାନ ଆସିଥିଲା କି , ସେ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା ପାଇଁ ଫୋନ୍‌ରେ କଥା ହୋଇଛନ୍ତି।  ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଶୀଘ୍ର ସାକ୍ଷାତ୍‌ ହେବାର ଆଶା କରାଯାଉଛି। ୟୁକ୍ରେନର ଭୟ ପରେ ଟ୍ରମ୍ପ ମଧ୍ୟ ଏହି ସ୍ପଷ୍ଟ କରିଛନ୍ତି ଯେ, ୟୁକ୍ରେନ୍‌ର ମାମଲାରେ କୌଣସି ପ୍ରକାରର କିଛି ବି ଶାନ୍ତିର ବୁଝାମଣାରେ ୟୁକ୍ରେନର ପ୍ରତିନିଧି ମଧ୍ୟ ସାମିଲ ହେବେ। ପିଏମ୍‌ ମୋଦିଙ୍କ ସହ କରାଯାଇଥିବା ସାମ୍ୱାଦିକ ସମ୍ମିଳନୀ ବେଳେ ମିଡ଼ିଆ ସହ କଥା ହୋଇ ଟ୍ରମ୍ପ କହିଥିଲେ କି, ଆମେ ଖୁବ୍‌ ଶୀଘ୍ର ଏହି ଯୁଦ୍ଧକୁ ବନ୍ଦ କରିବାକୁ ଚେଷ୍ଟା କରୁଛୁ । ଶାନ୍ତି ଚୁକ୍ତିର ପ୍ରୟାସ କରାଯାଉଛି । ଏଥିରେ ୟୁକ୍ରେନ ମଧ୍ୟ ସାମିଲ ହେବ।