ନୂଆଦିଲ୍ଲୀ,୨୫/୦୨:  ବିରୋଧୀଙ୍କ ପ୍ରବଳ ହୋ ହାଲ୍ଲା । ଉପରାଜ୍ୟପାଳଙ୍କୁ କଥା ପଦେ କୁହାଇ ଦେଲେ ନାହିଁ । ଫଳରେ ବାଧ୍ୟ ହୋଇ ଆକ୍ସନ ନେଲେ ବାଚସ୍ପତି । ଦିଲ୍ଲୀ ବିଧାନସଭା ଅଧିବେଶନ ଆଜି ହଙ୍ଗାମାରୁ ଆରମ୍ଭ ହୋଇଛି । ଉପରାଜ୍ୟପାଳ ଭିକେ ସକ୍ସେନା ଗୃହରେ ଅଭିଭାଷଣ ଦେବା ସମୟରେ ବିରୋଧୀ ଆମ୍ ଆମଦୀ ପାର୍ଟି (ଆପ୍) ସଦସ୍ୟ ଜୋରଦାର ହଙ୍ଗାମା କରିଥିଲେ । ବାବାସାହେବ ଆମ୍ବେଦକର ଓ ଭଗତସିଂହଙ୍କ ଫଟୋ ହଟାଇ ସେଠି ପିଏମ୍ ମୋଦିଙ୍କ ଫଟୋ ଲଗା ଯିବାକୁ ନେଇ ଜୋରଦାର ହଙ୍ଗାମା କରିଥିଲେ ବିରୋଧୀ । ଏହାକୁ ନେଇ ବାଚସ୍ପତି ବିଜେନ୍ଦର ଗୁପ୍ତା ୧୧ ଆପ୍ ବିଧାୟକଙ୍କୁ ଗୋଟିଏ ଦିନ ପାଇଁ ସସପେଣ୍ଡ କରିଛନ୍ତି । ସେଥିରେ ବିରୋଧୀ ଦଳ ନେତା ଆତିଶୀ ରହିଛନ୍ତି ।

LoP ଆତିଶୀଙ୍କ ସମେତ ୧୧ MLA ଗୋଟିଏ ଦିନ ପାଇଁ ଗୃହରୁ ସସପେଣ୍ଡ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ବିରେନ୍ଦ୍ର କାଧ୍ୟତ୍ରା, କୁଲଦୀପ, ଗୋପଳ ରାୟ,ଜରନେଲ ସିଂହ, ସଞ୍ଜୀବ ଝା, ଅନିଲ ଝା, ବିଶୋଷ ରବି, ସୋମଦତ୍ତ ଏବଂ ବୀର ସିଂହ ଧିଗନ ସାମିଲ ଅଛନ୍ତି । ସସପେଣ୍ଡ ପରେ ଗୃହ ବାହାରେ ବିରୋଧ ପ୍ରଦର୍ଶନ କରିଛି ଆପ୍ । 

ଅଧିକ ପଢନ୍ତୁ...କମ୍‌ବ୍ୟାକ୍‌ ହେବ ତ ଏମିତି ! ବାଚସ୍ପତିଙ୍କ ନିର୍ଦ୍ଦେଶରେ ଗୃହରୁ ବିଦା ହେଉଥିଲେ, ଏବେ ସେହି ଚୌକିରେ ବସିଲେ ବିଜେନ୍ଦର ଗୁପ୍ତା

ଗୋଟିଏ ଦିନ ପାଇଁ ସସପେଣ୍ଡ ପରେ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ଆତିଶୀ କହିଛନ୍ତି, ''ଭାରତୀୟ ଜନତା ପାର୍ଟି ସିଏମ୍ କାର୍ଯ୍ୟାଳୟରେ ବାବାସାହେବ ଆମ୍ବେଦକରଙ୍କ ସ୍ଥାନରେ ପିଏମ୍ ମୋଦିଙ୍କ ଫଟୋ ଲଗାଇଛନ୍ତି । ଦିଲ୍ଲୀ ସରକାରଙ୍କ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ବାବାସାହେବଙ୍କ ଫଟୋ ସ୍ଥାନରେ ନରେନ୍ଦ୍ର ମୋଦି ଜୀଙ୍କ ଫଟୋ ଲାଗିଛି । ମୁଁ ପଚାରିବାକୁ ଚାହୁଁଛି କି କଣ ମୋଦି ଜୀ ବାବା ସାହେବ ଆମ୍ବେଦକରଙ୍କଠୁ ବଡ ? ଏତେ ଅହଂକାର କାହିଁକି ? ଏହାକୁ ବିରୋଧ କରି ଗୃହରେ ପ୍ରତିବାଦ କରିଥିଲୁ । ବିଧାନସଭାରୁ ନେଇ ରାଜରାସ୍ତା ଯାଏ ସବୁଠି ପ୍ରଦର୍ଶନ କରିବୁ ।''