ନୂଆଦିଲ୍ଲୀ,୧୫/୧୧ : ଦରଦାମ ଚାପରେ ସନ୍ତୁଳି ହେଲେଣି ମଧ୍ୟବିତ୍ତ । ଖାଦ୍ୟ ସାମଗ୍ରୀ ଦର ଆଉ ପକେଟ୍କୁ ସୁହାଉନାହିଁ । ସୀମିତ ଆୟରେ ଜୀବନ ଧାରଣ କରିବାରେ ସକ୍ଷମ ହେଉନାହାନ୍ତି ସାଧାରଣ ବେତନଭୋଗୀ । ଉଚ୍ଚ ମୁଦ୍ରାସ୍ଫୀତି ମଧ୍ୟବିତ୍ତଙ୍କ ବଜେଟ୍କୁ ଚାପିଦେଲାଣି । ସହରବାସୀ କୁକିଜ୍ଠାରୁ ଆରମ୍ଭ କରି ଫାଷ୍ଟଫୁଡ୍ ପର୍ଯ୍ୟନ୍ତ ପ୍ରାୟ ସବୁ ସାମଗ୍ରୀରେ ଖର୍ଚ୍ଚ କମାଇଦେଲେଣି । ତେବେ ଦେଶର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଆଗରେ ଦରଦାମ ବୃଦ୍ଧି ବାଧକ ସାଜିପାରେ ବୋଲି ଆଶଙ୍କା କରାଯାଉଛି । ଦେଶର ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ଉଭୟ ଊଦ୍ଧ୍ୱର୍ମୁଖୀ । ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୧୪ ମାସର ସର୍ବୋଚ୍ଚ ସ୍ତର ୬.୨%କୁ ବଢ଼ିଥିବାବେଳେ ପାଇକାରୀ ମୁଦ୍ରାସ୍ଫୀତି ୨.୩୬% କୁ ବୃଦ୍ଧି ପାଇଛି । ବିଶେଷ କରି ଖାଦ୍ୟ ସାମଗ୍ରୀ ଦର ବଢ଼ିବା ଫଳରେ ମୁଦ୍ରାସ୍ଫୀତି ଊଦ୍ଧ୍ୱର୍ମୁଖୀ ହୋଇଛି । ବର୍ତ୍ତମାନ ଅର୍ଥବ୍ୟବସ୍ଥା ପାଇଁ ଦରଦାମ ବୃଦ୍ଧି ଚିନ୍ତା ପାଲଟିଥିବା ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।
ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ଥିବାବେଳେ ଆଗକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଏହାର ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧହାର ହ୍ରାସ ନ କରିପାରେ ବୋଲି ଅନୁମାନ କରାଯାଉଛି । ଏହାଦ୍ୱାରା ଋଣ ମହଙ୍ଗା ହେବ, ଯାହାର ପ୍ରଭାବ ବି ସାଧାରଣ ଲୋକ ଅନୁଭବ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ସରକାରୀ ତଥ୍ୟ ଅନୁସାରେ, ଗତ ଅକ୍ଟୋବରରେ ଖାଦ୍ୟ ଦରରେ ୧୧%ରୁ ଅଧିକ ବୃଦ୍ଧି ଘଟିଛି, ଯାହାକି ସେପ୍ଟେମ୍ବରରେ ୯.୪୭% ଥିଲା । ପନିପରିବା ଦର ୬୩.୦୪% ବୃଦ୍ଧି ପାଇଛି, ଯାହାକି ସେପ୍ଟେମ୍ବରରେ ୪୮.୭% ଥିଲା । ବିନିର୍ମାଣ ସାମଗ୍ରୀ କ୍ଷେତ୍ରରେ ଦରବୃଦ୍ଧି ୧.୫% ରହିଛି । ଗତ ୩ରୁ ୪ ମାସ ମଧ୍ୟରେ ସହରାଞ୍ଚଳରେ ବ୍ୟୟ ହ୍ରାସ ପାଇଛି । ଏହା କେବଳ ଖାଉଟି ସାମଗ୍ରୀ କମ୍ପାନିଙ୍କ ଆୟକୁ ପ୍ରଭାବିତ କରିନାହିଁ, ଏହା ମଧ୍ୟ ଭାରତର ଦୀର୍ଘମିଆଦୀ ଅର୍ଥନୈତିକ ସଫଳତା ଆଗରେ ବଡ଼ ପ୍ରଶ୍ନବାଚୀ ଛିଡ଼ାକରିଛି । ମହାମାରୀ ଶେଷ ହେବା ପରଠାରୁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ବିଶେଷ କରି ସହରାଞ୍ଚଳ ଚାହିଦା ବୃଦ୍ଧି ଦ୍ୱାରା ସମ୍ଭବ ହେଉଥିଲା । କିନ୍ତୁ ବର୍ତ୍ତମାନ ସେଥିରେ ପରିବର୍ତ୍ତନ ଘଟିଛି । ସହରାଞ୍ଚଳରେ ଚାହିଦା ବଡ଼ ମାତ୍ରାରେ ହ୍ରାସ ପାଇଛି । ଏହାର ପ୍ରଭାବ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉପରେ ପଡ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
ନେସ୍ଲେ ଇଣ୍ଡିଆ ଅଧ୍ୟକ୍ଷ ସୁରେଶ ନାରାୟଣନ କହିଛନ୍ତି ଯେ, ଦେଶରେ ମଧ୍ୟବିତ୍ତମାନେ ଏବେ ଖର୍ଚ୍ଚ କମାଉଛନ୍ତି । ଏହାର ପ୍ରଭାବ ବଡ଼ ବଡ଼ ଏଫ୍ଏମ୍ସିଜି କମ୍ପାନିଗୁଡ଼ିକର ଆୟରେ ସ୍ପଷ୍ଟ ପ୍ରତିଫଳିତ ହେଉଛି । ୨୦୨୦ରେ କୋଭିଡ୍ ପ୍ରଭାବିତ ଜୁନ୍ ତ୍ରୟମାସ ପରଠାରୁ ପ୍ରଥମ ଥର ପାଇଁ ନେସ୍ଲେର ତ୍ରୟମାସିକ ରାଜସ୍ୱ ଆୟ ହ୍ରାସ ପାଇଛି । ସୂଚନାଯୋଗ୍ୟ, ନେସ୍ଲେ ଇଣ୍ଡିଆ କିଟ୍କ୍ୟାଟ ଏବଂ ଅନ୍ୟାନ୍ୟ ପ୍ରମୁଖ ସାମଗ୍ରୀ ଉତ୍ପାଦନ କରିଥାଏ । ଭାରତର ୧୪୦ କୋଟି ଜନସଂଖ୍ୟା ମଧ୍ୟରୁ ଏକ ତୃତୀୟାଂଶ ହେଉଛନ୍ତି ମଧ୍ୟବିତ୍ତ । ଦେଶର ବିକାଶରେ ଏମାନଙ୍କ ବଡ଼ ଯୋଗଦାନ ରହିଛି । ଏମାନଙ୍କ ଆର୍ଥିକ ସ୍ଥିତି ଖରାପ ହେବା ଦ୍ୱାରା ସମଗ୍ର ଅର୍ଥନୈତିକ ବିକାଶ ବାଧାପ୍ରାପ୍ତ ହେବା ସ୍ୱାଭାବିକ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ମଧ୍ୟବିତ୍ତ ହତାଶ ହେବା ଦ୍ୱାରା ଅର୍ଥନୀତି ସହିତ ରାଜନୀତି ଅଙ୍କ ମଧ୍ୟ ବିଗିଡ଼ିଥାଏ । ଏଥର ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁର୍ବଳ ପ୍ରଦର୍ଶନ ଏହାର ଜ୍ୱଳନ୍ତ ଉଦାହରଣ ।
ଅକ୍ଟୋବରରେ ଦେଶର ସହରାଞ୍ଚଳ ଚାହିଦା ଦୁଇ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଥିବା ସିଟି ବ୍ୟାଙ୍କ ପକ୍ଷରୁ ଜାରି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସିଟିର ମୁଖ୍ୟ ଅର୍ଥନୀତିଜ୍ଞ(ଭାରତ) ସମିରଣ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଚାହିଦାରେ କିଛିଟା ହ୍ରାସ ସାମୟିକ ଥିବାବେଳେ ଅଉ କିଛି ପ୍ରମୁଖ ମାକ୍ରୋ କାରକଗୁଡ଼ିକ ଅର୍ଥନୀତି ପାଇଁ ଅନୁକୂଳ ନୁହେଁ । ଚଳିତ ଆର୍ଥିକବର୍ଷ ଏସିଆର ତୃତୀୟ ବୃହତ୍ ଅର୍ଥନୀତି ଭାରତ ୭.୨% ବଢ଼ିପାରେ ବୋଲି ଅନୁମାନ ରହିଛି । ଏଥିସହିତ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ପାଲଟିବ ।