ପ୍ରମୁଖ ଖବର
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ଫୁଲବାଣୀରେ ଗର୍ଜିଲେ ଖଡଗେ, ମୋଦିଙ୍କୁ ହଟାଇ ସମ୍ବିଧାନକୁ ବଞ୍ଚାଇବା ପାଇଁ ଦେଲେ ଆହ୍ବାନ

ଫୁଲବାଣୀ,୧୬/୫ : କଂଗ୍ରେସ ଦଳ ଦେଶକୁ ସ୍ବାଧୀନତା ସହିତ ସମ୍ବିଧାନ ଦେଇଛି । ଗଣତନ୍ତ୍ରକୁ ସୁରକ୍ଷିତ କରିଛି, ଆଦିବାସୀ ଓ ଦଳିତଙ୍କୁ ସଂରକ୍ଷଣ ଦେଇଛି । ବିଜେପି ସରକାରର ଦଶ ବର୍ଷର ଶାସନ ଆମ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି କରିଛି। ତେଣୁ ମୋଦି ସରକାରକୁ ହଟାଇ ସମ୍ବିଧାନ ଓ ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ ଆହ୍ବାନ  ଦେଇଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜ୍ଜନ ଖଡଗେ  । ସାମାଜିକ ନ୍ୟାୟ ପ୍ରତି କଂଗ୍ରେସ ଦଳର ପ୍ରତିବଦ୍ଧତା ବିଷୟ ଉଲ୍ଲେଖ କରି କନ୍ଧମାଳ ଆଗାମୀ ନିର୍ବାଚନରେ ଏହି ସାମାଜିକ ନ୍ୟାୟର କୁରୁକ୍ଷେତ୍ର ହେବ ବୋଲି  ଫୁଲବାଣୀ ଠାରେ  ନିର୍ବାଚନୀ ସଭାରେ ଯୋଗ ଦେଇ  କଂଗ୍ରେସ ଅଧ୍ୟକ୍ଷ କହିଥିଲେ ।

 ଏ ଅବସରରେ ସେ କଂଗ୍ରେସ ଦଳର ନିର୍ବାଚନ ଇସ୍ତାହାର ସମ୍ପର୍କରେ ସୂଚନା ଦେଇ ମହିଳା, ଯୁବଗୋଷ୍ଠୀ, ଦଳିତ, ଆଦିବାସୀ ଓ ଆର୍ଥିକ ଅନଗ୍ରସର ମାନଙ୍କ ପାଇଁ ରାହୁଳ ଗାନ୍ଧୀଙ୍କ ୫ ଗ୍ୟାରେଣ୍ଟିର ଉଲ୍ଲେଖ କରିଥିଲେ। କନ୍ଧମାଳ ଜିଲ୍ଲାକୁ ରେଳପଥ ସଂଯୋଗ ପ୍ରସଙ୍ଗ ଉଠାଇ ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିଲେ ଖଡଗେ। ଉଭୟ ଦଳ କେବଳ ଧନୀ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲେ ଖଡଗେ। ହୀରାକୁଦ ଡ୍ୟାମ, ନାଲକୋ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ପାରାଦୀପ ବନ୍ଦର ଭଳି ଓଡିଶାର ସମସ୍ତ ବଡ ପ୍ରକଳ୍ପ କଂଗ୍ରେସର ଅବଦାନ।ଅପରପକ୍ଷେ, ଗତ ୨୫ ବର୍ଷ ଭିତରେ ରାଜ୍ୟ ସରକାର ଓ ଦଶ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଓଡିଶା ପାଇଁ କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିଭଳି ଆଦିବାସୀ ମାନଙ୍କ ପ୍ରସଙ୍ଗ ଉତ୍ଥାପନ କରି ଖଡଗେ କହିଛନ୍ତି, ବିଜେପି ସରକାର ଆଦିବାସୀଙ୍କ ଜଳ,ଜମି ଓ ଜଙ୍ଗଲକୁ ବେପାରୀ ମାନଙ୍କ ହାତକୁ ଟେକି ଦେଇଛି। 

କେନ୍ଦ୍ରରେ ଇଣ୍ଡିଆ ମେଣ୍ଟର ସରକାର ଆସିଲେ ପେସା ଆଇନକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ। କନ୍ଧମାଳ ହଳଦୀ ସମେତ ସମସ୍ତ ଲଘୁ ବନଜାତ ସାମଗ୍ରୀ ପାଇଁ ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଆଇନ ପ୍ରଣୟନ କରାଯିବ ବୋଲି ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ। କୃଷି କ୍ଷେତ୍ରକୁ ସମ୍ପୂର୍ଣ୍ଣ ରୂପେ ଜିଏସଟି ମୁକ୍ତ କରାଯିବ ଓ ନୂତନ ଆମଦାନୀ-ରପ୍ତାନୀ ନିୟମ ପ୍ରଣୟନ ହେବ  ବୋଲି ସେ କହିଛନ୍ତି। 

ସେହିଭଳି ବିଜେପି ସରକାର ସମୟରେ ଦରଦାମ ବୃଦ୍ଧି, ବେରୋଜଗାରୀ, ସାମ୍ପ୍ରଦାୟିକତା ଭଳି ସମସ୍ତ ପ୍ରସଙ୍ଗ ଦୋହରାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ। ଆସନ୍ତା ନିର୍ବାଚନରେ ଇଣ୍ଡିଆ ମେଣ୍ଟ କେନ୍ଦ୍ରରେ ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହିତ କନ୍ଧମାଳ ସାଂସଦ ଏବଂ ସମସ୍ତ ବିଧାନସଭା ପ୍ରାର୍ଥିଙ୍କୁ ବିଜୟୀ କରିବା ପାଇଁ ଆହ୍ବାନ ଦେଇଥିଲେ ଖଡଗେ। 

କନ୍ଧମାଳ ଲୋକସଭା ଆସନ ପ୍ରାର୍ଥୀ ଅମୀରଚାନ୍ଦ ନାୟକ, ଫୁଲବାଣୀ ବିଧାନସଭା ପ୍ରାର୍ଥୀ ପ୍ରତିଭା କହଁର, ବାଲିଗୁଡା ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ, ଜି ଉଦୟଗିରି ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଦଶପଲ୍ଲା ପ୍ରାର୍ଥୀ ନକୁଳ ନାୟକ, ବୌଦ୍ଧ ପ୍ରାର୍ଥୀ ନବ କୁମାର ମିଶ୍ର, କଣ୍ଟାମାଳ ପ୍ରାର୍ଥୀ ସରୋଜ ପ୍ରଧାନ ଓ ଭଞ୍ଜନଗର ପ୍ରାର୍ଥୀ ପ୍ରଶାନ୍ତ ବିଷୋୟୀଙ୍କ ସମେତ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ ଏହି ଜନସଭାକୁ ସମ୍ବୋଧିତ କରିଥିଲେ।  

ସ୍ଥାନୀୟ କରୋନେସନ ପଡିଆ ଠାରେ ଆୟୋଜିତ ଏହି ଜନସଭାରେ ତେଲେଙ୍ଗାନା ଉପ ମୂଖ୍ୟମନ୍ତ୍ରୀ ବିକ୍ରମ ଭାଟି ମଲ୍ଲୁ,  ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଏଆଇସିସି ପର୍ଯ୍ୟବେକ୍ଷକ ଚୌଧୁରୀ ସାହନଓ୍ବାଜ ହୁସେନ, ମୀନାକ୍ଷୀ ନଟରାଜନ, କନ୍ଧମାଳ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡା,ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ ପ୍ରମୂଖ ଉପସ୍ଥିତ ଥିଲେ। କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳରୁ କଂଗ୍ରେସ ନେତା, କର୍ମୀ ଓ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.