ନୂଆଦିଲ୍ଲୀ ୧୦/୦୩: ମହିଳା ବିରୋଧୀ ହିଂସାକୁ ରୋକିବା ତଥା ସେମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଉତ୍ତରପ୍ରଦେଶର  ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ରୀ ଏକ ଅଭିନବ କାର୍ଯ୍ୟ କରିଛନ୍ତି ।  ସେମାନେ ଏକ ‘ଲିପଷ୍ଟିକ୍‌ ଗନ୍‌’ ତିଆରି କରିଛନ୍ତି । ତାହା  ଦେଖିବାକୁ ସାଧାରଣ ଲିପଷ୍ଟିକ୍‌ ଭଳି ହୋଇଥିବାବେଳେ ସେଥିରେ ଏକ ୫ ମିମିର ବ୍ୟାରେଲ୍‌ ରହିଛି । ସେଥିମଧ୍ୟରେ  ନାଲି ଲଙ୍କା ଗୁଣ୍ଡ ବୁଲେଟ୍‌ ଭଳି ଭର୍ତ୍ତି ହୋଇଛି। କୌଣସି  ଅସୁବିଧାଜନକ ପରିସ୍ଥିତିରେ ପୀଡ଼ିତା ଯଦି ଏହି ‘ଲିପଷ୍ଟିକ୍‌  ଗନ୍‌’ର ବଟନ୍‌କୁ ଦବାନ୍ତି ତେବେ ସେଥିରୁ ଲଙ୍କା ଗୁଣ୍ଡ ବୁଲେଟ୍‌ ବାହାରି ଆତତାୟୀଙ୍କ ଆଖିରେ ଜ୍ୱଳନ ସୃଷ୍ଟି କରିବ ।  ସେଥିଯୋଗୁ ସାମୟିକ ଭାବେ ସେ କିଛି ଦେଖିପାରିବେ  ନାହିଁ । ଏହି ସୁଯୋଗରେ ମହିଳା ଖସି ପଳାଇବାକୁ ସମୟ  ପାଇଯିବେ । 

ସେହିପରି ଗନ୍‌ରୁ ଫାୟାରିଂ ହେବା ପରେ  ତୀବ୍ର ଶବ୍ଦ ଶୁଣି ଆଖପାଖର ଲୋକେ ସତର୍କ ହୋଇଯିବେ  ଓ ତାଙ୍କୁ ସହାୟତା ଲାଗି ଆଗେଇ ଆସିବେ । ଆବଶ୍ୟକ ସ୍ଥଳେ  ସେହି ଗନ୍‌ରୁ ପୁଲିସ ଓ ପରିବାର ଲୋକଙ୍କୁ ଜରୁରିକାଳୀନ  ଫୋନ୍‌ ସହିତ ଲୋକେସନ୍‌ ମଧ୍ୟ ପଠାଇବାର ବ୍ୟବସ୍ଥା ରହିଛି । ଏହାର ଦାମ୍‌ ରହିଛି ୨୦୦୦ ଟଙ୍କା ।  

‘ଲିପଷ୍ଟିକ୍‌ ଗନ୍‌’ ତିଆରି କରିଥିବା  ଇସ୍ରତ୍‌ ଖାନ୍‌ ଓ ଶ୍ରୀଷ୍ଟି ଶ୍ରୀବାସ୍ତବ  ଗୋରଖପୁର ଆଇଟିଏମ୍‌ ଇଞ୍ଜିନିୟରିଂ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରୀ ।  ସେମାନେ କହିଛନ୍ତି,  ସାରା ବିଶ୍ୱରେ ମହିଳାଙ୍କ ବିରୋଧରେ ହେଉଥିବା ହିଂସା ଘଟଣାକୁ ଦେଖି ସେମାନେ ଏହି ସୁରକ୍ଷା ଉପକରଣ ପ୍ରସ୍ତୁତ କରିଛନ୍ତି ।  ଅସୁବିଧା ସମୟରେ ଏହା ଆତ୍ମରକ୍ଷା ଲାଗି ମହିଳାମାନଙ୍କର  ଅମୋଘ ଅସ୍ତ୍ର ପାଲଟିବ । ‘ଲିପଷ୍ଟିକ୍‌ ଗନ୍‌’କୁ ସ୍ୱତନ୍ତ୍ର କାର୍ବନ ଫାଇବରରେ ପ୍ରସ୍ତୁତ କରାଯାଇଛି । ଏହାର ଓଜନ ମାତ୍ର  ୫୦ ଗ୍ରାମ । ଏହାକୁ ବନାଇବା ଲାଗି ଭଏସ୍‌ ମୋଡ୍ୟୁଲ,  ୩ ଭୋଲ୍‌ଟର ବ୍ୟାଟେରୀ, ମେଟାଲ ପାଇପ୍‌, ବଟନ,  ମାଇକ୍ରୋଫୋନ୍‌ ଆଦିର ବ୍ୟବହାର କରାଯାଇଛି। ଆଇଟିଏମ୍‌  ଇଞ୍ଜିନିୟରିଂ କଲେଜର ଡିନ୍‌ ଛାତ୍ରୀଦ୍ୱୟଙ୍କର ଏହି ଉଦ୍ଭାବନକୁ  ଉଚ୍ଚ ପ୍ରଶଂସା କରିଛନ୍ତି । 

ସେ କହିଛନ୍ତି, ଏହି ଅଭିନବ  ପ୍ରକଳ୍ପ ମହିଳାମାନଙ୍କର ନିରାପତ୍ତାକୁ ସୁନିଶ୍ଚିତ  କରିବା ଲାଗି ଏକ ବଡ଼ ପଦକ୍ଷେପ ପାଲଟିବ ।  ଅନ୍ୟପଟେ ଛାତ୍ରଛାତ୍ରୀମାନଙ୍କୁ ଟାବଲେଟ୍‌ ଓ  ସ୍ମାର୍ଟଫୋନ୍‌ ବଣ୍ଟନ ପରି ‘ଲିପଷ୍ଟିକ୍‌ ଗନ୍‌’ ବି  ବଣ୍ଟନ କରାଯିବା ଆବଶ୍ୟକ ବୋଲି ଇସ୍ରତ  ଓ ଶ୍ରୀଷ୍ଟି ଦାବି କରିଛନ୍ତି ।